ପହିଲି ବର୍ଷାରେ ଚାଷୀ ତତ୍ପର

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଚଳିତ ବର୍ଷ ଓଡିଶାରେ ମୌଷୁମୀ ଗୋଟାଏ ସପ୍ତାହ ହେଲାଣି ପହଞ୍ଚି ସାରିଛି। ନର୍ଲାରେ ଝିପି ଝିପି ବର୍ଷା ମଧ୍ୟ ଆରମ୍ଭ ହୋଇ ଯାଇଛି। ହେଲେ ଆଶାନୁରୁପକ ବର୍ଷା ହୋଇ ପାରିନି। ହେଲେ ପହିଲି ବର୍ଷାରେ ନର୍ଲା ଅଞ୍ଚଳର ଚାଷୀକୂଳଙ୍କ ମଧ୍ୟରେ ଚାଷ କାର୍ଯ୍ୟକୁ ନେଇ ତତ୍ପରତା ପ୍ରକାଶ ପାଇଥିବା ଦେଖିବାକୁ ମିଳିଛି। ବର୍ଷା ଯୋଗୁଁ ମାଟି ହଳ କରିବାର ପାଗ ଅନୁକୂଳ ରହିଥିବାରୁ କିଏ ଟ୍ରାକ୍ଟରରେ ତ କିଏ ହଳ ଯୋଖୀ ଚାଷ ଆରମ୍ଭ କରିଥିବା ଦେଖିବାକୁ ମିଳିଛି। ପହିଲି ବର୍ଷା ପରଶରେ ମାଟି ନରମ ହେବା ଫଳରେ ଜମିରେ ହଳ କରିବା ଆରମ୍ଭ କରିଦେଇଛନ୍ତି ଚାଷୀ। କେତେକ ଚାଷୀ ଧାନ ମଧ୍ୟ ନିଜ ଜମିରେ ବୁଣିବା ଆରମ୍ଭ କରିଦେଲେଣି। ଏବେ ଚାଷପାଇଁ ତତ୍ପର ହୋଇପଡିଛନ୍ତି ଚାଷୀ। କଳାହାଣ୍ଡି ଜିଲ୍ଲା ନର୍ଲା ଏକ ଅଣ ଜଳସେଚିତ ଅଞ୍ଚଳ ହୋଇଥିବା ବେଳେ ଏଠିକାର ଚାଷୀ ଚାଷ କାର୍ଯ୍ୟ ପାଇଁ ବର୍ଷାପାଣି ଉପରେ ସମ୍ପୁର୍ଣ୍ଣ ଭାବରେ ନିର୍ଭର କରିଥାନ୍ତି। ଆଉ ଭଲ ବର୍ଷା ହେଲେ ତ ଠିକ୍। ନହେଲେ ମରୁଡିର କଷାଘାତରେ ଚାଷୀଙ୍କ ମେରୁଦଣ୍ଡ ଦୋହଲି ପଡିଥାଏ। ନର୍ଲାରେ ୨୦୧୬, ୨୦୧୭ରେ ମରୁଡି ପରିସ୍ଥିତି ସୃଷ୍ଟି ହୋଇଥିଲା। ୨୦୧୯ ଓ ୨୦୨୦ ମସିହାରେ ବର୍ଷା ଠିକ୍ ଅନୁପାତରେ ହୋଇଥିଲା। ହେଲେ ବାରମ୍ବାର ଲଘୁଚାପ ଜନିତ ବନ୍ୟା ଓ ଚକଡା ରୋଗ ଯୋଗୁଁ ଅନେକ ଚଷୀ ନୟାନ୍ତ ହୋଇପଡିଥିଲେ। ୨୦୨୧ ମସିହାରେ ଭୟଙ୍କର ମରୁଡି ଯୋଗୁଁ ଚାଷୀ ବିଲରୁ ଘରକୁ ମୁଠାଏ ଧାନ ମଧ୍ୟ ଆଣି ନଥିଲେ। ଗତ ବର୍ଷ ଭଲ ବର୍ଷା ଯୋଗୁଁ ନର୍ଲା ଅଞ୍ଚଳର ଧାନ ଚାଷ ଭଲ ହୋଇଥିବାରୁ ଧାନ ବିକ୍ରୟ କରି ଅଞ୍ଚଳର ଚାଷୀକୁଳ ଭଲ ଦୁଇ ପଇସା ପାଇଥିଲେ ସେମାନଙ୍କର କଷ୍ଟ ଅର୍ଜିତ ଚାଷରୁ। ଏବର୍ଷ ମଧ୍ୟ ବର୍ଷା ଭଲ ହେବ ବୋଲି ପାଣିପାଗ ବିଭାଗର ପୂର୍ବାନୁମାନରେ ଅଞ୍ଚଳର ଚାଷୀ ଖୁସି ଅଛନ୍ତି। ଗତ ତିନି ମାସ ଧରି ପ୍ରଚଣ୍ଡ ରୌଦ୍ର ତାପରେ ମାଟି ଶୁଖିଲା ପଡି ସଂପୁର୍ଣ୍ଣ ଆଣ୍ଟ ହୋଇଯାଇଛି। ଅନ୍ୟ ବର୍ଷ ଗୁଡିକରେ ଖରାଦିନରେ ମଧ୍ୟ ଯେପରି ଲଘୁଚାପ ବର୍ଷା ହୋଇଥାଏ, ଏବର୍ଷ ତା ମଧ୍ୟ ନର୍ଲା ଅଞ୍ଚଳରେ ହୋଇ ନାହିଁ। ଯାହା ଫଳରେ ଚାଷୀ ଆଗରୁ ତାର ଜମିକୁ ହଳ ମଧ୍ୟ କରି ପାରିନାହିଁ। ୨ ଦିନ ହେଲା ଆରମ୍ଭ ହୋଇଯାଇଛି ବର୍ଷର ପ୍ରଥମ ମୌଷୁମୀ ବର୍ଷା। ଦୀର୍ଘ ଦୁଇମାସ ଧରି ପ୍ରଚଣ୍ଡ ରୌଦ୍ର ତାପରେ ଶୁସ୍କ ହୋଇପଡିଥିବା ମାଟିରେ ମଉଳି ଯାଇଥିଲେ ଗଛଲତା। ପହିଲି ମୌଷୁମୀ ବର୍ଷାର କୋମଳ ପରଶରେ ସତେ ଯେମିତି ଜୀବନ୍ତ ହୋଇ ପଡିଛନ୍ତି। ଛୋଟଛୋଟ ଗୁଳ୍ମରାଜିର ମଧ୍ୟ ଅଙ୍କୁରୋଦ୍ଗମ ହୋଇଯାଇଛି। ବେଶୀ ନହେଲେ ମଧ୍ୟ ପ୍ରତ୍ୟହ ସକାଳେ ଓ ସନ୍ଧ୍ୟାରେ ଅଛରାଏ ଝିପି ଝିପି ବର୍ଷା ପଡୁଛି। ଏବେ ବାପୁଡା ଚାଷୀପୁଅ ପୁରା ତତ୍ପର ହୋଇ ପଡିଛି ଚାଷ କାମରେ। ସବୁଆଡେ ଜମିକୁ ହଳ କରୁଥିବାର ଦୃଶ୍ୟମାନ ହେଉଛି। କେଉଁ ଚାଷୀ ହଳ ଲଙ୍ଗଳ ଯୋଗେ ଜମିକୁ ଚଷୁଥିବା ବେଳେ ସକ୍ଷମ ଚାଷୀ ଟ୍ରାକ୍ଟର ଯୋଗେ ଜମିକୁ ଚଷୁଥିବାର ଦେଖିବାକୁ ମିଳୁଛି। ଏହି ପହିଲି ବର୍ଷାରେ ଜମିକୁ ଭଲଭାବରେ ହଳକରି ମାଟିକୁ ହାଲୁକା କରିଥିଲେ ବିହନ ଗଣ୍ଡାକ ବୁଣିବ, ନତୁବା ଧାନ ରୋଇବ। ଅକ୍ଷୟ ତୃତୀୟାରେ ଆଗରୁ ଅକ୍ଷିମୁଠି ନିୟମ ମୁତାବକ ଅନୁକୁଳ କରି ସାରିଥିଲେ ମଧ୍ୟ ପହିଲି ମୌଷୁମୀ ବର୍ଷାରୁ ଆରମ୍ଭ ହୋଇଥାଏ ପ୍ରକୃତ ଚାଷକାର୍ଯ୍ୟ। ଜମିକୁ ଚଷି ମାଟିକୁ ହାଲୁକା କରିବା ପରେ ପିଡିଆ ଖତ, ଗୋବର ଖତର ପ୍ରୟୋଗ ଫଳରେ ମାଟି ଉର୍ବର ହୋଇ ଭଲ ଫସଲ ଅମଳ ହୋଇଥାଏ। ଚାଷୀ ହୁଡିଲେ ବରଷେ। ଏଣୁ ପହିଲି ବର୍ଷାରୁ ଚଷୀ ତତ୍ପର ହୋଇ ଉଠିଛି ଚଳିତ ବର୍ଷ ମଧ୍ୟ କିଭଳି ଭଲ ଫସଲ ଅମଳ କରିବ ସେଇ ଲକ୍ଷ୍ୟ ନେଇ। ଜମିକୁ ଭଲ ଭାବରେ ଚଷି ହାଲୁକା କରି ସାରିଲେ ବିହନ ଗଣ୍ଡାକ ବୁଣିବ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.