ସ୍ୱାଧୀନତା ଦିବସ ପାଇଁ ଷ୍ଟାଡିୟମ ସଫା କଲେ ପଞ୍ଚାୟତ ଇଓ, ଭିଡିଓ ଭାଇରାଲ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ସଇଁତଲା ସ୍ଥିତ ରମେଶ ସିଂ ଭୋଇ ଷ୍ଟାଡିୟମ ଠାରେ ୭୮ତମ ବ୍ଲକସ୍ତରୀୟ ସ୍ୱାଧୀନତା ଦିବସ ପାଳନ ପାଇଁ ବୁଧବାର ପଞ୍ଚାୟତ ଇଓ ସଫାସୁତୁରା କରୁଥିବା ବେଳେ ଭିଡିଓ ଭାଇରାଲ ହୋଇଥିବା ନେଇ ସହରରେ ଚର୍ଚ୍ଚା ଜୋର ଧରିଛି। ପ୍ରକାଶ ଯେ, ଚଳିତ ବର୍ଷ ସ୍ୱାଧୀନତା ଦିବସ ଉପଲକ୍ଷେ ଟିଟିଲାଗଡ଼ ବିଧାୟକ ନବୀନ ଜୈନ ମୁଖ୍ୟଅତିଥି ଭାବେ ଯୋଗଦାନ କରି ଜାତୀୟ ପତାକା ଉତୋଳନ କରିବାର କାର୍ଯ୍ୟକ୍ରମ ରହିଛି। ଉକ୍ତ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ପ୍ରଶାସନ ତରଫରୁ ଷ୍ଟାଡିୟମ ପରିସରକୁ ସଫାସୁତୁରା ରଖିବା ପାଇଁ ଏକ କମିଟି ଗଠନ କରାଯାଇଥିଲା। କିନ୍ତୁ ଅଳିଆ ଆବର୍ଜନାରେ ଷ୍ଟାଡିୟମ ଦୁର୍ଗନ୍ଧ ହେଉଥିବା ବେଳେ ସଫାସୁତୁରା ରଖିବା ପାଇଁ ବ୍ଲକସ୍ତରୀୟ କମିଟିର ସଦସ୍ୟମାନଙ୍କ ଦେଖାନାହିଁ। ରାତି ପାହିଲେ ସ୍ୱାଧୀନତା ଦିବସ ହେବ।

ସଫାସୁତୁରା ପାଇଁ ବିଳମ୍ବ ହେବା ଯୋଗୁଁ ଶେଷରେ ନିଜେ କିଛି ହାତ ଗଣତି ଶ୍ରମିକଙ୍କୁ ଧରି ନିଜେ ଇଓ ସଫାସୁତୁରା କରୁଥିବା ଭିଡିଓ ଭାଇରାଲ ହୋଇଥିବା ଦେଖିବାକୁ ମିଳିଛି। ଏ ନେଇ ପଞ୍ଚାୟତ ଇଓ ରୁଦ୍ରାକ୍ଷ ଥପାଙ୍କୁ ପଚାରିବାରୁ ‘ମୁଁଇଁ ନିଜେ କାମ ନାଇଁ କଲେ ଶ୍ରମିକ କାମ ନାହିଁ କରନ।’ ଏପରିକି ଧାରୁଆ କାଚ ଲାଗି ହାତ କଟି ଯାଇ ଆଘାତ ଲାଗିଛି ବୋଲି ପ୍ରକାଶ କରିଥିଲେ। ଏପଟେ ପ୍ରଶାସନର ଏପରି ଖାମଖିଆଲି କାର୍ଯ୍ୟକଳାପକୁ ଅଞ୍ଚଳବାସୀ ନାପସନ୍ଦ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.