ଜାତୀୟ ସନ୍ତରଣ ପ୍ରତିଯୋଗିତା: ଇତିହାସ ରଚିଲେ ଓଡିଶାର ମହିଳା ସନ୍ତରଣକାରୀ ଟିମ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ମାଙ୍ଗାଲୋରରେ ଅନୁଷ୍ଠିତ ଜାତୀୟ ସନ୍ତରଣ ପ୍ରତିଯୋଗିତାର ୪ × ୨୦୦ ଫ୍ରିଷ୍ଟାଇଲ ବିଭାଗରେ ଓଡିଶାର ମହିଳା ଟିମ ବ୍ରୋଞ୍ଜ ପଦକ ହାସଲ କରିଛି । ପ୍ରତ୍ୟୁଷା ରାୟ, ସୃଷ୍ଟି ଉପାଧ୍ୟାୟ, ଦିବ୍ୟଙ୍କା ଦିବ୍ୟଜ୍ୟୋତି ପ୍ରଧାନ ଓ ସୋନିଆ ପଟେଲ ପ୍ରଦର୍ଶନ ମାଧ୍ୟମରେ ଓଡିଶାର ମାନ ବଢ଼ାଇଛନ୍ତି । ସେମାନେ ୯:୦୩.୫୩ ମିନିଟ ସମୟ ନେଇ ତୃତୀୟ ସ୍ଥାନରେ ରହିଥିଲେ । ଏହି ବିଭାଗରେ କର୍ଣ୍ଣାଟକ ଓ ମହାରାଷ୍ଟ୍ର ଯଥାକ୍ରମେ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ଜିତିଥିଲେ । ଷ୍ଟାର ସନ୍ତରଣକାରୀ ପ୍ରତ୍ୟୁଷା ୧୦୦ ମିଟର ବ୍ୟାକଷ୍ଟ୍ରୋକ ଇଭେଂଟରେ ରୌପ୍ୟ ପଦକ ଜିତିଥିଲେ । ଜାତୀୟସ୍ତରରେ ସେ ବ୍ୟକ୍ତିଗତ ଭାବେ ଓଡିଶା ପାଇଁ ଏହି ସଫଳତା ଆଣିଛନ୍ତି । ପ୍ରତ୍ୟୁଷା ୧:୦୫.୮୨ ସେକେଣ୍ଡରେ ରେସ ସମ୍ପୂର୍ଣ୍ଣ କରିଥିଲେ । ବେଙ୍ଗଲର ସୋବ୍ରିତ୍ୟ ମଣ୍ଡଳ( ୧:୦୫.୫୧) ଓ ମହାରାଷ୍ଟ୍ରର ରିତୁଜା ପ୍ରସାଦ ରାଜଦାନ୍ୟ (୧:୦୬.୩୦) ଯଥାକ୍ରମେ ସ୍ୱର୍ଣ୍ଣ ଏବଂ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି ।

ଏହା ବ୍ୟତୀତ ୩ଜଣ ସନ୍ତରଣକାରୀ ସେମାନଙ୍କ ବିଭାଗର ଫାଇନାଲ ଇଭେଂଟରେ ପ୍ରବେଶ କରିଛନ୍ତି । ୫୦ ମିଟର ବଟରଫ୍ଲାଏ ଇଭେଂଟରେ ସୃଷ୍ଟି ଓ ସୋନିଆ ପଟେଲ ୨୯.୨୩ ଓ ୨୯.୬୯ ସେକେଣ୍ଡ ସମୟ ନେଇ ୫ମ ଓ ୭ମ ସ୍ଥାନରେ ରହିଥିଲେ । ସୃଷ୍ଟି ଫାଇନାଲକୁ ଉନ୍ନୀତ ହୋଇଛନ୍ତି । ଦିବ୍ୟାଙ୍କ ୨୦୦ ମିଟର ବ୍ରେଷ୍ଟଷ୍ଟ୍ରୋକରେ ୨:୪୪.୨୦ ସେକେଣ୍ଡ ସମୟ ନେଇ ୫ମ ସ୍ଥାନରେ ରହି ଫାଇନାଲରେ ପ୍ରବେଶ କରିଛନ୍ତି ।ସମସ୍ତ ୪ ପ୍ରତିଯୋଗୀ କଳିଙ୍ଗ ଷ୍ଟାଡିୟମର ଓଡିଶା-ଜେଏସଡବ୍ଲ୍ୟୁ ସନ୍ତରଣ ହାଇପର୍ଫମାନ୍ସ ସେଂଟରରେ ପ୍ରଶିକ୍ଷଣ ନେଉଛନ୍ତି । ଓଡିଶା ସନ୍ତରଣ ଆସୋସିଏଶନର ସଭାପତି ପ୍ରଦୀପ କୁମାର ପାଢ଼ୀ ମହିଳା ସନ୍ତରଣକାରୀଙ୍କ ପ୍ରଦର୍ଶନ ଏବଂ ସଫଳତାକୁ ଭୂୟସୀ ପ୍ରଶଂସା କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.