ଜଣଙ୍କୁ ଛାଡ଼ି ସମସ୍ତ ମହିଳା କାଉନସିଲର ବିଜେଡିରୁ ନିର୍ବାଚିତ; ଦଳବଦଳ ଚର୍ଚ୍ଚାକୁ ନେଇ ସ୍ପଷ୍ଟତା ନାହିଁ
ଓଡ଼ିଆ ବାର୍ତ୍ତା/ କୋରାପୁଟ (ସୁନ୍ଦର କୁମାର ପାଣି): କୋରାପୁଟ ମୁନିସିପାଲିଟିରେ ଏବେ ରାଜନୈତିକ ଚର୍ଚ୍ଚା ତୀବ୍ର ହେବାରେ ଲାଗିଛି। ଜଣଙ୍କୁ ଛାଡ଼ି ମୁନିସିପାଲିଟିର ସମସ୍ତ ମହିଳା କାଉନସିଲର ବିଜୁ ଜନତା ଦଳ (ବିଜେଡି)ରୁ ନିର୍ବାଚିତ ହୋଇଥିବା ବେଳେ, କିଛି ମହିଳା କାଉନସିଲର ବିଜେପିରେ ଯୋଗଦେଇପାରନ୍ତି ବୋଲି ସହରର ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ଏହି ବିଷୟକୁ ନେଇ ବିଜେଡି ଜିଲ୍ଲା ମହିଳା ସଭାନେତ୍ରୀ ପାର୍ବତୀ ମସ୍ତିଙ୍କ ସହ ଯୋଗାଯୋଗ କରାଯାଇଥିଲା। ତେବେ ଏନେଇ ତାଙ୍କ ପାଖରେ କିମ୍ବା ଦଳ ପାଖରେ କୌଣସି ସୂଚନା ନଥିବା ସେ କହିଛନ୍ତି। ଏହା ସତ୍ତ୍ୱେ ମହିଳା କାଉନସିଲରମାନଙ୍କ ସମ୍ଭାବ୍ୟ ଦଳବଦଳକୁ ନେଇ ଚର୍ଚ୍ଚା ଜାରି ରହିଛି। ସ୍ଥାନୀୟ ରାଜନୀତିରେ ମୁନିସିପାଲିଟିର କାଉନସିଲରମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏଭଳି ସ୍ଥିତିରେ କିଛି ମହିଳା କାଉନସିଲର ଯଦି ବିଜେପିରେ ଯୋଗଦିଅନ୍ତି, ତେବେ ଏହା କୋରାପୁଟ ସହରର ରାଜନୈତିକ ସମୀକରଣ ନେଇ ନୂଆ ଚର୍ଚ୍ଚାକୁ ଜନ୍ମ ଦେଇପାରେ। ତେବେ ବର୍ତ୍ତମାନ ସୁଦ୍ଧା କୌଣସି କାଉନସିଲରଙ୍କ ନାମ କିମ୍ବା ଆନୁଷ୍ଠାନିକ ଯୋଗଦାନ ସମ୍ପର୍କରେ ସ୍ପଷ୍ଟ ସୂଚନା ସାମ୍ନାକୁ ଆସିନାହିଁ।ଫଳରେ ଏହି ସମ୍ଭାବ୍ୟ ଦଳବଦଳକୁ ନେଇ ଚର୍ଚ୍ଚା ଓ କଳ୍ପନାଜଳ୍ପନା ଜାରି ରହିଛି। ଆନୁଷ୍ଠାନିକ ଭାବେ ଯୋଗଦାନ କାର୍ଯ୍ୟକ୍ରମ ହେଲେ ହିଁ କେଉଁ କାଉନସିଲର ବିଜେପିରେ ସାମିଲ ହେଉଛନ୍ତି, ତାହା ସ୍ପଷ୍ଟ ହେବ।





