ନର୍ଲାରେ ଆନନ୍ଦ ଉତ୍ସାହର ସହ ସମ୍ପନ୍ନ ହେଲା ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅଧିନସ୍ଥ ସମସ୍ତ ୧୫୬ ଗୋଟି ଅଙ୍ଗନୱାଡି କେନ୍ଦ୍ର ଗୁଡିକରେ ନର୍ଲା ସିଡ଼ିପିଓ ଅଞ୍ଜଳି ପଟ୍ଟନାୟକଙ୍କ ନେତୃତ୍ୱ ଓ ମାର୍ଗ ଦର୍ଶନ ରେ “ଆଙ୍ଗନ କା ଉତ୍ସବ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗତ ୨୭, ୨୮ ଓ ୨୯ ତିନି ଦିନ ଧରି ପର୍ଯ୍ୟାୟ କ୍ରମେ ଏହି ଉତ୍ସବ ଅନୁଷ୍ଠିତ ହୋଇଥିଲା। ‘ସେବା ସଙ୍କଳ୍ପ ଅଭିଯାନ’ ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ‘ଆଙ୍ଗନ କା ଉତ୍ସବ’ କାର୍ଯ୍ୟକ୍ରମ ନର୍ଲା ରେ ଆନନ୍ଦ ଓ ଉତ୍ସାହର ସହ ପାଳିତ ହୋଇ ଯାଇଛି। ଏହି ଅବସରରେ ଅଙ୍ଗନବାଡ଼ି କେନ୍ଦ୍ର ଗୁଡ଼ିକୁ ସୁନ୍ଦର ଭାବେ ସଜାଯାଇ ଶିଶୁ, ଗର୍ଭବତା ମହିଳା, ପ୍ରସୂତି ମା’ ଓ ଅନ୍ୟାନ୍ୟ ହିତାଧିକାରୀଙ୍କୁ ନେଇ ବିଭିନ୍ନ ସଚେତନତା ମୂଳକ ଓ ପୁଷ୍ଟି ସମ୍ବନ୍ଧୀୟ କାର୍ଯ୍ୟକ୍ରମ କରାଯାଇଥିଲା। ସ୍ଥାନୀୟ ଭାବେ ଉପଲବ୍ଧ ବିଭିନ୍ନ ପୁଷ୍ଟିକର ଖାଦ୍ୟ ଓ ଫଳମୂଳର ପ୍ରଦର୍ଶନୀ ସହିତ ଶିଶୁମାନଙ୍କ ପାଇଁ ଆନନ୍ଦଦାୟକ ଶିକ୍ଷଣ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା। ‘ଆଙ୍ଗନ କା ଉତ୍ସବ”ର ଏକ ଅଭିନବ ଆକର୍ଷଣ ଭାବେ ପୁଷ୍ଟିକର ରେସିପି ପ୍ରସ୍ତୁତି ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମ ଗୁଡିକରେ ସ୍ଥାନୀୟ ସରପଞ୍ଚ ଓ ନିର୍ବାଚିତ ଲୋକ ପ୍ରତିନିଧି ମାନଙ୍କୁ ଅତିଥି ଭାବରେ ନିମନ୍ତ୍ରିତ କରାଯାଇଥିଲା। ନର୍ଲା ର ବିଭିନ୍ନ କେନ୍ଦ୍ର ଗୁଡିକୁ ଜିଲ୍ଲାଧିକାରୀ ଡିଏସଡବ୍ଲୁ ମୁଜୁବୁନି ନିଶା ଓ ଜିଲ୍ଲା ର ବିଭାଗୀୟ ପଦସ୍ଥ ଅଧିକାରୀ ବୁଲି ନିରୀକ୍ଷଣ କରିଥିଲେ। ସିଡ଼ିପିଓ ଶ୍ରୀମତୀ ପଟ୍ଟନାୟକଙ୍କ ମାର୍ଗଦର୍ଶନରେ ଏବଂ ସମସ୍ତ ୭ ଗୋଟି ସେକ୍ଟରର ସୁପର ଭାଇଜର ମାନଙ୍କ ସମନ୍ବୟରେ ସମସ୍ତ ୧୫୬ ଗୋଟି କେନ୍ଦ୍ରର ପ୍ରକଳ୍ପର ଅଙ୍ଗନବାଡ଼ି କର୍ମୀ, ଅଙ୍ଗନବାଡ଼ି ସହାୟିକା ଓ ଅଙ୍ଗନବାଡ଼ି ପରିଚାଳନା କମିଟିର ସଦସ୍ୟମାନେ ଉତ୍ସବକୁ ସଫଳ କରିବାରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ। ସଫଳତାର ସହ ଉତ୍ସବ ଅନୁଷ୍ଠିତ ହୋଇଥିବାରୁ ନର୍ଲା ସିଡ଼ିପିଓ ଶ୍ରୀମତୀ ପଟ୍ଟନାୟକ ଅଞ୍ଚଳବାସୀ ଜନସାଧାରଣ, ସମସ୍ତ ଅଭିଭାବକ ଅଭିଭାବିକା, ଅଙ୍ଗନୱାଡି କର୍ମୀ ଓ ଷ୍ଟାଫ ଏବଂ ସୁପରଭାଇଜର ମାନଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.