ବିଶ୍ବନାଥପୁରରେ ଅନୁଷ୍ଠିତ ହେଲା ବେତାଳ ଭୈରବଙ୍କ ପ୍ରସିଦ୍ଧ ଝାମୁଯାତ୍ରା, ହଜାର ହଜାର ଭକ୍ତଙ୍କ ସମାଗମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ପ୍ରାଚୀନ ଧର୍ମଧାରା ଓ ଲୋକ ଚେତନାର ଅନନ୍ୟ ପ୍ରତୀକ ବେତାଳ ଭୈରବଙ୍କ ପାରମ୍ପାରିକ ଝାମୁଯାତ୍ରା ପାରମ୍ପାରିକ ରୀତିନୀତି ଅନୁସାରେ ଅନୁଷ୍ଠିତ ହୋଇଯାଇଛି। କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବିଶ୍ବନାଥପୁର ସ୍ଥିତ ବେତାଳ ଭୈରବଙ୍କ ପୀଠରେ ଏନେଇ ଉତ୍ସବମୁଖର ପରିବେଶ ଦେଖିବାକୁ ମିଳିଥିଲା। ରାଜା ରାଜୁଡ଼ା ଅମଳରୁ ଏହି ଯାତ୍ରା ପାଳିତ ହୋଇଆସୁଛି। ସାତ ଦିନ ପୁର୍ବରୁ ପ୍ରଥମେ ଭୈରବ ମନ୍ଦିରରୁ ବାହାରି ନିକଟସ୍ଥ ନଦୀରୁ ବାଲି କଢାଯାଇଥିଲା। ପରେ ୭ଟି ନୂଆ ଚାଙ୍ଗୁଡିରେ ନଦୀରୁ ବାଲି ଆଣି ସେଥିରେ ଗାଁରୁ ସଂଗୃହୀତ ବିଭିନ୍ନ ପ୍ରକାର ଶସ୍ୟ ଯେପରି ଧାନ, ମକା, ବିରି, କୋଳଥ ଇତ୍ୟାଦି ବିହନ ଗଜା ହେବା ପାଇଁ ପକାଯାଇଥିଲା। ଗଜା ହୋଇଥିବା ବିହନ ସପ୍ତମ ଦିନ ପର୍ଯ୍ୟନ୍ତ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇଥିଲା ଓ ଦେବତା କଞ୍ଚା ମାଟିରେ ବସି ଭକ୍ତଙ୍କୁ ଦର୍ଶନ ଦେଇଥିଲେ।

ସପ୍ତମ ଦିନରେ ପୂଜକମାନେ ନିକଟସ୍ଥ ଖଏସଗୁଡ଼ା ଜଙ୍ଗଲକୁ ଯାଇ ଝାମେରା କଣ୍ଟା ଆଣି ଦୋଳି ପ୍ରସ୍ତୁତ କରିଥିଲେ। ପାଟଖଣ୍ଡା ଓ ବେତାଳ ଭୈରବ ନିଆଁରେ ତିଆରି ଖଣ୍ଡା (ଝାମି)କୁ ତିନିଥର ପ୍ରଦକ୍ଷିଣ କରିବା ପରେ ଝାମେରା କଣ୍ଟାରେ ତିଆରି ଦୋଳିରେ ବସି ଭକ୍ତଙ୍କୁ ଦର୍ଶନ ଦେଇଥିଲେ। କାଳୀସି ନିଆଁ ଉପରେ ଚାଲି ଭକ୍ତଙ୍କୁ ତାଙ୍କର ପରିଚୟ ଦେଇଥିଲେ।

ଏହି ଅବସରରେ ଗାଁ ଗୌନ୍ତିଆ ପ୍ରଦୀପ ଘଡେଇ ସମସ୍ତ ଦେବନୀତି ସମୟରେ ଉପସ୍ଥିତ ରହିଥିଲେ। ଯାତ୍ରା ସରିବା ପରେ ମାନସିକ କରିଥିବା ଭକ୍ତମାନେ ପାରା, କୁକୁଡା ଓ ଛେଳି ଆଦି ବଳି ଦେଇଥିଲେ।ବେତାଳ ଭୈରବଙ୍କ ମୁଖ୍ୟପୂଜକ ନଳିନୀ ପ୍ରଧାନୀ, ପାଟଖଣ୍ଡା ପୂଜକ ଯାଦବ ପ୍ରଧାନୀ, ବାହୁକ ଫାଲଗୁନୀ ପ୍ରଧାନୀଙ୍କ ଦ୍ବାରା ପୂଜା ସମ୍ପନ୍ନ ହୋଇଥିଲା। ଏହି ଯାତ୍ରାରେ ଅତିଥି ଭାବେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ, ପୂର୍ବତନ ମନ୍ତ୍ରୀ ଡ଼ ବଳଭଦ୍ର ମାଝୀ, ବିଜେପି ରାଜ୍ୟ ଅନୁସୂଚିତ ଜନଜାତି ମୁର୍ଚ୍ଛା ଉପସଭାପତି ରମେଶ ମାଝୀ, ବ୍ଲକ ଉପାଧ୍ୟକ୍ଷ ସଞ୍ଜିବ କୁମାର ନାୟକ, ଏସିଏଫ୍ ତଥା ବିଶ୍ଵନାଥପୁର ଭାରପ୍ରାତ ରେଞ୍ଜର ନରୋତ୍ତମ ମାଝୀ, ବିଶ୍ଵନାଥପୁର ଜଗନ୍ନାଥ ମନ୍ଦିର ମୁଖ୍ୟ ପୂଜକ ଶ୍ରୀଧର ନନ୍ଦ, ବରିଷ୍ଠ ନାଗରିକ ରଘୁବିର ନାଗ, ବିଶ୍ଵନାଥପୁର ଫରେଷ୍ଟର ଚିନ୍ତାମଣି ମାଝୀ, ମୂଷାନାଳ ଫରେଷ୍ଟର ସୁରେଶ ଚନ୍ଦ୍ର ରାଉତ, କଂଗ୍ରେସ କମିଟି ସଭାପତି ଗୋବିନ୍ଦ ପ୍ରଧାନୀ, ବିଶ୍ଵନାଥପୁର ମଣ୍ଡଳ ସଭାପତି ତୁଳସୀ ମାଝୀ, ଲାଞ୍ଜିଗଡ଼ ମଣ୍ଡଳ ସଭାପତି ନରେନ୍ଦ୍ର ବେହେରା, ଶିଶ୍ଵନାଥପୁର ସମିତି ସଭ୍ୟ ଅଜିତ ପ୍ରଧାନୀ, ପୂର୍ବତନ ସରପଞ୍ଚ ଅନନ୍ତ ପ୍ରଧାନୀ, ପୁର୍ବତନ ବ୍ଲକ ଅଧ୍ୟକ୍ଷ ମନୋହର ହରପାଳ ପ୍ରମୁଖ ଯୋଗଦେଇ ଦେବତାଙ୍କୁ ଦର୍ଶନ କରିଥିଲେ।

ଝାମୁଯାତ୍ରା କମିଟି ସଭାପତି ମିନକେତନ ଦଳେଇଙ୍କ ନେତୃତ୍ବରେ ମାଁ ଭୈରବୀ ଯୁବ କେନ୍ଦ୍ର ସଂଘ, ଜୟ ଜଗନ୍ନାଥ ଯୁବକ ସଂଘ, ବଣିକ ସଂଘ ତଥା ବିଶ୍ବନାଥପୁର ପୋଲିସ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା କରାଯାଇଥିଲା। ଏହି ଯାତ୍ରାରେ କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିଲା। ସେହିପରି ଲାଞ୍ଜିଗଡ଼, ବଳଭଦ୍ରପୁର ଓ ବନ୍ଦପାରୀରେ ମଧ୍ୟ ଝାମୁଯାତ୍ରା ଅନୁଷ୍ଠିତ ହୋଇଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.