ବଘିଆ ଗାଁରେ ପହଞ୍ଚିଲା ମା ସୁରେଶ୍ଵରୀଙ୍କ ଆଜ୍ଞାମାଳ
ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପଏଁରୀର ୨୦୨୫ର ରୌପ୍ୟ ଜୟନ୍ତୀ ସମାରୋହ ଆସନ୍ତା ଜାନୁୟାରୀ ମାସ ୧ରୁ ୩ ପର୍ଯ୍ୟନ୍ତ ହେବ। ଏହି ଅବସରରେ ଗାଁ ଗାଁ ରେ ଲୁଚି ଯାଉଥିବା ଲୋକକଳା ଓ କଳାକାର ମାନଙ୍କୁ ଲୋକଲୋଚନକୁ ଆଣିବା ପାଇଁ ପଏଁରୀ ଅନୁଷ୍ଠାନ ଏକ ନିଆରା ପଦକ୍ଷେପ ନେଇ ଏହି ବର୍ଷ ପ୍ରଥମ କରି ତରଭା ବ୍ଲକରେ ଶୁଭ ଉଦ୍ଘାଟନ ହେଇଥିଲା ପଏଁରୀ ତିହାର (ପାରମ୍ପରିକ ଲୋକନୃତ୍ୟ ଓ ସଂଗୀତ ଉତ୍ସବ) ରୌପ୍ୟ ଜୟନ୍ତୀ ସମାରୋହ। ଅନୁଷ୍ଠାନର ସଂପାଦକ ତଥା ଲୋକକଳା ଗବେଷକ, ନୃତ୍ୟ ନିର୍ଦ୍ଦେଶକ ଶ୍ରୀ ଚୌଧୁରୀ ବିଭାରଙ୍କ ତତ୍ୱାବଧାନରେ ପ୍ରଥମେ ଅନୁଷ୍ଠାନର କର୍ମକର୍ତା ମାନେ ମା ସୁରେଶ୍ୱରୀଙ୍କ ଆଜ୍ଞାମାଳ ନେଇ ତରଭା ବ୍ଲକର ବଘିଆ ଗ୍ରାମରେ ପହଂଚି ଥିଲେ । ମା ଙ୍କ ଆଜ୍ଞାମାଳ କୁ ଗାଁ କଳାକାର ଙ୍କ ସ୍ଵାଗତ ବେଳେ ହରିବୋଲ ହୁଳହୁଳିରେ ପ୍ରକମ୍ପିତ ହୋଇ ଉଠି ଥିଲା ବଘିଆ ଗ୍ରାମ l ତରଭା ବ୍ଲକର ବ୍ଲକ ଉପ-ସଭାପତି ମାନଭଂଜନ ମିଶ୍ରଙ୍କ ସହଯୋଗ ଓ ସଂଯୋଜନା ଏକ ସଭା ର ଭବ୍ୟ ଆୟୋଜନ କରା ଯାଇଥିଲା। ଏହି ସଭାରେ ମୁଖ୍ୟ ଅତିଥି ବଘିଆ ଗ୍ରାମ ପଂଚାୟତ ସରପଂଚ ଶ୍ରୀ ଅଶ୍ୱନି ବିଶି, ସମ୍ମାନିତ ଅତିଥି ଜୟପ୍ରକାଶ ନାରାୟଣ ସାହୁ, ଅବସରପ୍ରାପ୍ତ ଶିକ୍ଷକ, ସମିତି ସଭ୍ୟ, ଗଣେଶ୍ୱର ନାଏକ , ସମାଜ ର ବରିଷ୍ଠ ସାମ୍ବାଦିକ ଅନ୍ତର୍ଯ୍ୟାମୀ ସାହୁ, ମହକ ଓ ସମୟର ସାମ୍ବାଦିକ ଶ୍ରୀ କଲ୍ୟାଣ ନାଏକ, ପଏଁରୀର ସଭାପତି ଶ୍ରୀ ଲଡୁକିଶୋର ମଲ୍ଲିକ, ଉପ ସଭାପତି ଶ୍ରୀ ପ୍ରଫୁଲ୍ଲ ନାଏକ, ସହ-ସଂପାଦକ ପୃଥିରାଜ ବାଗ, ବରିଷ୍ଟ ସଦସ୍ୟ ଗୋପାଳ ମେହେର ଉପସ୍ଥିତ ଥିଲେ। ଅନୁଷ୍ଠାନର ତରଫରୁ ଶ୍ରୀ ମନଭଂଜନ ମିଶ୍ରଙ୍କୁ “ପଏଁରି କଳା ସମ୍ମାନ”ରେ ସମ୍ମାନିତ କରାଯାଇଥିଲା। ଏହି ତିହାରରେ ବ୍ଲକର ଶତାଧିକ କଳାକାର ସାମିଲ ହୋଇ ଲୁଚି ଯାଇଥିବା କଳାକୁ ପରିବେଷଣ କରିଥିଲେ। କଳାକାର ମାନେ ଦଣ୍ଡ, ସଂଚାର, କରମସାନି, ହଲିଆ ଗୀତ, ନଚନିଆଁ ଆଦି ସୁନ୍ଦର ଭାବରେ ପରିବେଷଣ କରିଥିଲେ । ପ୍ରଥମେ ସଂପାଦକ ଶ୍ରୀ ଚୌଧୁରୀ ବିଭାର ପଏଁରି ତିହାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ସୂଚନା ପ୍ରଦାନ କରିଥିବା ବେଳେ ପରେ ଉପ-ସଭାପତି ଶ୍ରୀ ପ୍ରଫୁଲ୍ଲ କୁମାର ନାଏକ ସ୍ୱାଗତ ଭାଷଣ ଦେଇଥିବା ବେଳେ ସହ ସଂପାଦକ ପୃଥିରାଜ ବାଗ ଧନ୍ୟବାଦ୍ୟ ଅର୍ପଣ କରିଥିଲେ।