ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଆସନ୍ତା ରବି ଚାଷ ପାଇଁ ଇନ୍ଦ୍ରାବତୀ ମେଗା ଲିଫ୍ଟ କେନାଲରୁ ଜଳ ସେଚନ ବନ୍ଦ ହେବା ନେଇ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହାପରେ କୋକସରା ଅଞ୍ଚଳର ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଏ ନେଇ ସୋମବାର ଜଳ ସେଚନ ବ୍ୟବସ୍ଥା କରିବା ଦାବିରେ କୋକସରା କୃଷକ ସଚେତନ ମଞ୍ଚର ସଭାପତି ଶିବ ପ୍ରସାଦ ପ୍ରଧାନୀ ଓ ବ୍ଳକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲଙ୍କ ନେତୃତ୍ବରେ ବ୍ଳକର ବିଭିନ୍ନ ଅଞ୍ଚଳରୁ ଶହ ଶହ ଚାଷୀ ଏକତ୍ରିତ ହୋଇ ଧର୍ମଗଡ଼ ବିଧାୟକ ଓ ଉପଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।
ସୂଚନା ଯେ’ ଚଳିତ ବର୍ଷ ଖରୀଫ ସମୟରେ କୋକସରା ବ୍ଳକର ଜଳସେଚିତ ଅଞ୍ଚଳରେ ଚାଷୀ ରୋଗପୋକ ଓ ଅଣ ଜଳସେଚିତ ଅଞ୍ଚଳରେ ଚାଷୀ ମରୁଡ଼ି ସମ୍ମୁଖୀନ ହେଉଛନ୍ତି। ରବି ଋତୁରେ ଏହାକୁ ଭରଣ କରିବା ପାଇଁ ଚାଷୀ ଆଶା ବାନ୍ଧିଥିବାବେଳେ ଇନ୍ଦ୍ରାବତୀ ମେଗା ଲିଫ୍ଟ କେନାଲରୁ ଜଳ ସେଚନ ବନ୍ଦ ହେବା ଜାଣିବା ପରେ ଚାଷୀକୂଳ ଚିନ୍ତାରେ ପଡ଼ିଯାଇଛି। ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଇନ୍ଦ୍ରାବତୀ ଡ୍ୟାମରେ ଅଧିକ ଜଳସ୍ତର ଥିବା ଚାଷୀ ଅଭିଯୋଗ କରିବା ସହ ଚାଷୀଙ୍କ ପ୍ରତି ବିଭାଗୀୟ ଅଧିକାରୀ ମାନଙ୍କ ଟାଲଟୁଲ ନିତିକୁ ବିରୋଧୀ କରାଯାଇଛି। ଏନେଇ ଆଜି କୋକସରା କୃଷକ ସଚେତନ ମଞ୍ଚର ସଭାପତି ଓ ବ୍ଳକ ଉପାଧ୍ୟକ୍ଷଙ୍କ ନେତୃତ୍ବରେ ବ୍ଳକର ବିଭିନ୍ନ ଅଞ୍ଚଳରୁ ଶହ ଶହ ଚାଷୀ ଏକତ୍ରିତ ହୋଇ ଧର୍ମଗଡ଼ ବିଧାୟକ ସୁଧୀର ପାଟ୍ଟଯୋଷୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ବିଧାୟକ ଶ୍ରୀପାଟ୍ଟଯୋଷୀ ଚାଷୀ ମାନଙ୍କ ସହ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା ପରେ ଫୋନ୍ ଯୋଗେ କଳାହାଣ୍ଡି ଜିଲ୍ଲାପାଳ ସହିତ ଆଲୋଚନା କରି ଜଳ ସେଚନ ବ୍ୟବସ୍ଥା କରିବା ପାଇଁ ଦାବି କରିଥିଲେ। ଏହାପରେ ଚାଷୀମାନେ ଧର୍ମଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଉପଜିଲ୍ଲାପାଳ ଜନ ଶୁଣାଣି ଶିବିରରେ ଯାଇଥିବାରୁ ତାଙ୍କ ଉପସ୍ଥିତରେ ଡେପୁଟି କଲେକ୍ଟର ଚିତ୍ତରଞ୍ଜନ ତ୍ରିପାଠୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଏବଂ ରବି ଋତୁରେ ଜଳ ସେଚନ ବ୍ୟବସ୍ଥା କରିବା ପାଇଁ ଦାବି କରିବା ସହ ଦାବି ପୂରଣ ନକଲେ ଆନ୍ଦୋଳନ କରିବା ପାଇଁ ଚେତାବନୀ ଦେଇଛନ୍ତି। ଅନ୍ୟପଟେ ଡେପୁଟି କଲେକ୍ଟର ଶ୍ରୀତ୍ରିପାଠୀ ଉପ ଜିଲ୍ଲାପାଳଙ୍କୁ ଏ ବିଷୟରେ ଅବଗତ କରିବା ସହ ଚାଷୀ ଯେମିତି ଜଳ ସେଚନ ନେଇ କୈାଣସି ହଇରାଣ ନହେବେ ସେ ନେଇ ଧ୍ୟାନ ଦିଆଯାବ ବୋଲି କହିଛନ୍ତି। ଆଜି ଏହି ଦାବିପତ୍ର ପ୍ରଦାନ ସମୟରେ କୃଷକ ସଚେତନ ମଞ୍ଚର ସଭାପତି, ବ୍ଳକ ଉପାଧ୍ୟକ୍ଷ ଶ୍ରୀଅଗ୍ରୱାଲ ସମେତ ଚିନ୍ତାମଣି ପଟେଲ, ପଞ୍ଚକ ପୋଡ଼, ପଙ୍କଜମୁଖ ଚୈଧୁରୀ, ଜୟଲାଲ ନାଏକ, ଧବଳେଶ୍ଵର ଶବର, ମଲୟ ଛତ୍ରିଆ, କେଶବ ନାଏକ, ସତ୍ୟବାନ ପାଣିଗ୍ରାହୀ ସମେତ ଅଞ୍ଚଳର ଶହ ଶହ ଚାଷୀ ଉପସ୍ଥିତ ରହିଥିଲେ।