ନାଟ୍ୟଧାରାରେ ମଞ୍ଚସ୍ଥ ହେଲା ସ୍ମାରକୀର ନାଟକ ‘ଜୟଯାତ୍ରା’

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କ୍ଷମତାର ମାୟାରେ ଲିପ୍ତ ଶାସକ ସାଧାରଣ ଜନତା ଉପରେ କରିଚାଲିଛି ଜୁମଲା ଶାସନ। ସମୟକ୍ରମେ ବିଦ୍ରୋହ କରି ଶାସନ ହାତେଇଛି ଜୟଶଙ୍କର ବିଦ୍ରୋହୀ, ହଟିଛି ମହେନ୍ଦ୍ର ସରକାର। ଶାସନ ସ୍ୱଚ୍ଛତାର ନାରା ଦେଉଥିବା ଜୟଶଙ୍କର ଶାସନ ଭାର ସମ୍ଭାଳୁ ସମ୍ଭାଳୁ କ୍ଷମତାର ମାୟାରେ ଭୁଲିଯାଇଛି ବିକାଶର ପ୍ରତିଶ୍ରୁତି। ଶେଷରେ ବିକାଶ ଆଣ୍ଠେଇ ପଡ଼ିଛି ପୂର୍ବଭଳି ଅଥଚ କ୍ଷମତା ସେମିତି ଲାଖିରହିଛି ମୁକୁଟରେ। ଏଭଳି ଏକ ବାର୍ତ୍ତା ଦେଇଛି କଟକ ଅନ୍ନପୂର୍ଣ୍ଣା ଥିଏଟରରେ ମଞ୍ଚସ୍ଥ ନାଟକ ‘ଜୟଯାତ୍ରା’। ଓଡ଼ିଶା ସରକାରଙ୍କ ଭାଷା, ସାହିତ୍ୟ, ସଂସ୍କୃତି ଓ ସଙ୍ଗୀତ ନାଟକ ଏକାଡେମୀ ତଥା ଅନ୍ନପୂର୍ଣ୍ଣା ଥିଏଟରର ମିଳିତ ସହଯୋଗରେ କଟକସ୍ଥିତ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚରେ ନାଟ୍ୟସଂସ୍ଥା ‘ ସ୍ମାରକୀ ‘ ପକ୍ଷରୁ ନାଟକ ‘ ଜୟଯାତ୍ରା ‘ ମଞ୍ଚାୟନ ହୋଇଛି। ନାଟ୍ୟକାର ମନୋଜ ରଥ ଏହାକୁ ରଚନା କରିଥିବା ବେଳେ ଯୁବ ନିର୍ଦ୍ଦେଶକ ସୌରଭ ମହାପାତ୍ର ନିର୍ଦ୍ଦେଶନା ଦେଇଛନ୍ତି। ବିଭିନ୍ନ ଚରିତ୍ରରେ ଅଭିନୟ କରିଥିଲେ ବରିଷ୍ଠ କଳାକାର ଶୁଭେନ୍ଦୁ ମହାପାତ୍ର, ସୌରଭ ମହାପାତ୍ର, ମାନସ ପଣ୍ଡା, ଅନିଲ କୁମାର ବୈଠାରୁ, ଅବିନାଶ ଅଗସ୍ତି, ଅମରେନ୍ଦ୍ର ମହାନ୍ତି, ପ୍ରିୟଙ୍କା ପଟ୍ଟନାୟକ, ଆର୍ୟା ନାୟକ, ଡିଲେଶ୍ୱର ରଣା, ହେମନ୍ତ ଦଣ୍ଡସେନା, କେ. ଗୋପିଧର ନାୟର, ଶିବଶକ୍ତି ପୁରୋହିତ ଏବଂ ତ୍ରିନାଥ ଶ୍ୟାମ କୁମାର। ସୁବାଷ ପଟ୍ଟନାୟକ ସଙ୍ଗୀତ ପରିଚାଳନା କରିଥିବା ବେଳେ ତଥାଗତ ମିଶ୍ର ଆଲୋକ ସମ୍ପାଦନ ଓ ପ୍ରତାପ ପଣ୍ଡା ମଞ୍ଚସଜ୍ଜା ଦାୟିତ୍ଵରେ ରହିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜଷ୍ଟିସ ମନୋରଞ୍ଜନ ମହାନ୍ତି ଯୋଗଦେଇ କଳାକାରମାନଙ୍କୁ ଭୂୟସୀ ପ୍ରଶଂସା କରିବା ସହ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏଥିରେ କଟକ ତଥା ଆଖପାଖ ଅଞ୍ଚଳର ଅନେକ ଦର୍ଶକ ଉପସ୍ଥିତ ରହି ନାଟକକୁ ଉପଭୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.