ରାତିରେ ଚାଲିଛି ଆରଡ଼ି ରାସ୍ତା କାମ; ସ୍ଥାୟୀତ୍ୱ ଉପରେ ପ୍ରଶ୍ନବାଚୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ବିଜୁ ଏକ୍ସପ୍ରେସ ରାସ୍ତା ଯାଦବ ଢାବା ଠାରୁ ବାବେଗୁଡା ରାସ୍ତା କାମ ରାତିରେ ହେଉଥିବା ଦେଖିବାକୁ ମିଳୁଛି। ଏହି ରାସ୍ତା କାମଟି ଧର୍ମଗଡ଼ ଗ୍ରାମ୍ୟ ନିର୍ମାଣ ବିଭାଗ ଦ୍ୱାରା ହେଉଥିବା ବେଳେ ଏହାର ଅଟକଳ ପରିମାଣ ୩କୋଟି ୫୮ ଲକ୍ଷ୍ୟ ୯୩ ହଜାର ଟଙ୍କା ଯାହା ସୂଚନା ଫଳକରେ ଉଲ୍ଲେଖ ଅଛି। ନୂଆପଡା ଜିଲ୍ଲାର ଖରିଆର ଗ୍ରାମର ରଘୁନନ୍ଦନ ଅଗ୍ରୱାଲ ଏହି ରାସ୍ତା ନିର୍ମାଣର ଦାୟିତ୍ୱ ନେଇଛନ୍ତି। ଗତ ଗ୍ରୀଷ୍ମ ଋତୁରେ ଏହି କାମଟି ଆରମ୍ଭ ହୋଇଥିଲା। ନିମ୍ନମାନର ପିଚୁକାମ ଯୋଗୁଁ ସ୍ତରସ୍ତର ହୋଇ ପିଚୁଉଠୁ ଥିବାନେଇ ସ୍ଥାନୀୟ ଲୋକେ ବିରୋଧ କରି ବିଭାଗୀୟ ଅଧିକାରୀଙ୍କୁ ମଧ୍ୟ ଲିଖିତ ଅଭିଯୋଗ କରିଥିଲେ। ଯାହାରି ଫଳରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଥିଲା। ଏନେଇ ବିଭିନ୍ନ ଅଭିଯୋଗ ସତ୍ୱେ ତିନିରୁ ଚାରି ମାସ ହେବ କାମ ବନ୍ଦ ଥିଲା। ବର୍ତ୍ତମାନ ପୁଣି କାମ ଆରମ୍ଭ ହୋଇଥିବା ବେଳେ ରାତିରେ ଦ୍ରୁତ ଗତିରେ କାମ କରୁଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଉଦବେଗ ପ୍ରକାଶ ପାଇଛି। ରାସ୍ତାଟି ଗ୍ରାମାଞ୍ଚଳ ଭିତରେ ଥିବାରୁ ପ୍ରଶାସନର ନଜର ନାହିଁ କି ବିଭାଗୀୟ ଅଧିକାରୀମାନେ ମଧ୍ଯ ଆସୁ ନାହାନ୍ତି। ଫଳରେ ଠିକାଦାରଙ୍କ ଦ୍ଵାରା ନିଯୁକ୍ତ ହୋଇଥିବା ମୁନସି ସ୍ଥାନୀୟ ଲୋକଙ୍କୁ ଭୟ ଦେଖାଇ ନିମ୍ନମାନର କାମ କରୁଥିବା ଅଭିଯୋଗ ହୋଇଛି। ବିଭାଗୀୟ ଅଧିକାରୀ ଓ ଠିକା ସଂସ୍ଥାର ସଲା ସୁତରାରେ ହେଉଥିବା ଯୋଗୁଁ ଯେତେ ଅଭିଯୋଗ କଲେ ମଧ୍ୟ ଅଭିଯୋଗର କିଛି ମୁଲ୍ୟ ରହୁନାହିଁ। ଏପଟେ ରାତିରେ କାମ କରିବା ରାସ୍ତା କାମର ସ୍ଥାୟୀତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ରାତିରେ କରାଯାଉଥିବା ନେଇ ବିଭାଗୀୟ ଗ୍ରାମ୍ୟ ଉନ୍ନୟନ ବିଭାଗ ଧର୍ମଗଡ଼ ର ଏସଡ଼ିଓ ରାଜେନ୍ଦ୍ର ମାଝୀଙ୍କୁ ଫୋନ ଯୋଗେ ପଚାରିଲେ ଠିକ୍ କାମ ଚାଲୁଛି ବୋଲି ଖାମଖିଆଲି ଭାବେ ଉତ୍ତର ଦେଇଥିଲେ। ଏଣୁ ତୁରନ୍ତ ଜିଲ୍ଲା ପ୍ରଶାସନ ଏହାର ଏକ ଭିଜିଲାନ୍ସ ସ୍ତରୀୟ ତଦନ୍ତ କରିବାକୁ ଗ୍ରାମବାସୀ ଦାବୀ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.