ଫକୀରମୋହନ ବିଶ୍ୱବିଦ୍ୟାଳୟ ଦ୍ବାରା ସୁସଜ୍ଜିତ ପୁସ୍ତକାଗାର ଗଠନ ପ୍ରସଙ୍ଗରେ ଅନୁଷ୍ଠିତ ହେଲା ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ଗ୍ରନ୍ଥାଗାର ଓ ସୂଚନା ବିଜ୍ଞାନ ବିଭାଗର ସାମାଜିକ ପ୍ରସାରଣ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ଫକୀରମୋହନ ବିଶ୍ୱବିଦ୍ୟାଳୟର ଗ୍ରନ୍ଥାଗାର ଓ ସୂଚନା ବିଜ୍ଞାନ ବିଭାଗ ଦ୍ବାରା ସାମାଜିକ ପ୍ରସାରଣ କାର୍ଯ୍ୟକ୍ରମ ଅନ୍ତର୍ଗତ ‘ଲାଇବ୍ରେରୀ ଅର୍ଗାନାଇଜିଙ୍ଗ୍ ଓ ୟୁଜ୍’ ବା ‘ଗ୍ରନ୍ଥାଗାରକୁ ସୁସଜ୍ଜିତ କରିବାର ପ୍ରଶିକ୍ଷଣ ଓ ଏହାର ବ୍ୟବହାର’ ପ୍ରସଙ୍ଗକୁ ନେଇ ସ୍ଥାନୀୟ ମିତ୍ରପୁର ସ୍ଥିତ ଚାଚାଜୀ ଉଚ୍ଚ ବିଦ୍ୟାଳୟରେ ଏକ ଅନ୍ତର୍ନିହିତ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ସାମାଜିକ ଉନ୍ନତିକରଣର ଆଭିମୁଖ୍ଯ ଓ ମାର୍ଗଦର୍ଶନରେ ଏହି ଦୁଇଦିନିଆ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।

ବିଶ୍ବବିଦ୍ୟାଳୟର ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ଭାସ୍କର ବେହେରା ମୁଖ୍ଯ ଅତିଥି ଭାବେ ଉପସ୍ଥିତ ରହି ଏହି ସାମାଜିକ ସଂପ୍ରସାରଣ ଉଦ୍ୟମ କାର୍ଯ୍ୟକ୍ରମର ଉପଯୋଗିତା ଓ ଏଥିସହ ବିଶ୍ବବିଦ୍ୟାଳୟର ସଂଯୋଜିତ ଆଭିମୁଖ୍ଯକୁ ବର୍ଣ୍ଣନା କରିଥିଲେ। ବିଭାଗର ସଂଯୋଜକ ଡକ୍ଟର ଜଗନ୍ନାଥ ବେହେରା ସ୍ଵାଗତ ଅଭିଭାଷଣ ଓ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ।ବିଭାଗର ସହକାରୀ ପ୍ରଫେସର ତଥା ଏହି ସଚେତନତାର କାର୍ଯ୍ୟକ୍ରମର ସଂଯୋଜକ ଡ଼କ୍ଟର ମନୋଜ କୁମାର ଆଚାର୍ଯ୍ଯ ସଂଚାଳନ ଭାବେ ଦାୟିତ୍ବ ନିର୍ବାହ କରି ଏହି ଦୁଇଦିନିଆ କାର୍ଯ୍ୟକ୍ରମଟିକୁ ସଫଳତାର ସହ ସଂପାଦନ କରାଯିବା ନେଇ ଉପସ୍ଥିତ ସମ୍ମାନିତ ଅତିଥି ତଥା ସ୍କୁଲର ପ୍ରଧାନ ଶିକ୍ଷକ ରାଧାକୃଷ୍ଣ ମହାନ୍ତିଙ୍କ ସହଯୋଗ ପାଇବା ନେଇ ଆଶାବ୍ୟକ୍ତ କରିଥିଲେ। ଏହି ଦୁଇଦିନିଆ କାର୍ଯ୍ୟକ୍ରମରେ ବିଭାଗର ସମସ୍ତ ଛାତ୍ରଛାତ୍ରୀ ଓ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ ମାନଙ୍କ ସହାୟତାରେ ବିଦ୍ୟାଳୟରେ ଗ୍ରନ୍ଥାଗାରରେ ଉପଲବ୍ଧ ସମସ୍ତ ପୁସ୍ତକ ପୁସ୍ତିକା ଗୁଡିକୁ ସଜାଡିବାର ପ୍ରଣାଳୀ ସହ ସେମାନଙ୍କ ପାଠ୍ୟକ୍ରମର ବ୍ୟବହାରିକ ଉପଯୋଗ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ମୁଖ୍ଯତଃ ପୁସ୍ତକ ପଠନ ଓ ଜ୍ଞାନ ଆହରଣ କରିବାର ଉପାୟଗୁଡିକ ସଂପର୍କରେ ସଚେତନ କରାଯିବ ବୋଲି ଅଧ୍ୟାପକ ଡ଼କ୍ଟର ମନୋଜ କୁମାର ଆଚାର୍ଯ୍ଯ ସୂଚୀତ କରିଥିଲେ। ଚାଚାଜୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଫକୀରମୋହନ ବିଶ୍ବବିଦ୍ୟାଳୟର ଗ୍ରନ୍ଥାଗାର ଓ ସୂଚନା ବିଭାଗର ଏହି ଅଭିନବ ପ୍ରୟାସକୁ ପ୍ରଶଂସା କରିଥିଲେ ଓ ଛାତ୍ରଛାତ୍ରୀମାନେ ଏହି କାର୍ଯ୍ୟକ୍ରମରୁ ଅନେକ ମୂଲ୍ୟବାନ ତଥ୍ଯ ଶିକ୍ଷାଲାଭ କରିବେ ବୋଲି ଆଶାବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ବିଭାଗର ସହକାରୀ ପ୍ରଫେସର ଚିନ୍ମୟ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.