ସମୟ ବଦଳି ଚାଲିଛି। ପୁରୁଣା ବର୍ଷ ବିଦାୟ ନେଇ ଆସୁଛି ନୂତନ ବର୍ଷ। ନୂତନ ବର୍ଷ ଆସିଲେ ଲୋକଙ୍କ ପ୍ରଥମ ଆବଶ୍ୟକୀୟ ସାମଗ୍ରୀ ହେଉଛି କ୍ୟାଲେଣ୍ଡର। ପ୍ରାୟ ପ୍ରତ୍ୟେକ ଓଡ଼ିଆ ଘର କାନ୍ଥରେ ଏହା ଶୋଭା ପାଇଥାଏ। ଶୁଭକାଳ, ଶୁଭଲଗ୍ନ, ଗ୍ରହ ନକ୍ଷତ୍ର, ପୂଜା ପଦ୍ଧତି, ପାଣିପାଗ, ରାଶିଫଳ ଆଦି ଜାଣିବା ପାଇଁ ଲୋକେ କ୍ୟାଲେଣ୍ଡର କିଣିଥାନ୍ତି। ସାଧାରଣତଃ ଡିସେମ୍ବରରୁ ଜାନୁଆରି ମାସ ଭିତରେ କ୍ୟାଲେଣ୍ଡର ବିକ୍ରୀ ହୋଇଥାଏ। କ୍ୟାଲେଣ୍ଡରର ଦାମ୍ ୨୦/୩୦ ଟଙ୍କାରୁ ଆରମ୍ଭ ହୋଇ ୧୦୦ ଟଙ୍କା ମଧ୍ୟରେ ରହୁଛି। ହାଟ ବଜାର, ପଥପାର୍ଶ୍ବ ଓ ବହି ଦୋକାନ ମାନଙ୍କରେ ଏହା ବିକ୍ରୀ ହେଉଛି। ବିଭିନ୍ନ ବ୍ୟବସାୟିକ ଅନୁଷ୍ଠାନ, ନିର୍ବାଚିତ ଜନପ୍ରତିନିଧି, ବ୍ୟକ୍ତି ବିଶେଷ ଆଦି ବିଭିନ୍ନ ପ୍ରେସ୍ରେ କ୍ୟାଲେଣ୍ଡର ମୁଦ୍ରିତ କରି ମାଗଣାରେ ଲୋକଙ୍କୁ ବିତରଣ କରୁଥିବା ଦେଖାଯାଉଛି। ସମୟ ଯେତେ ବଦଳିଲେ ମଧ୍ୟ ଓଡ଼ିଆ କ୍ୟାଲେଣ୍ଡର ଚାହିଦା ଅତୁଟ ରହିଛି।






