ଲାଞ୍ଜିଗଡ଼ ବ୍ଲକରେ ବିକଶିତ ଗାଁ ବିକଶିତ ଓଡ଼ିଶା ଶୁଭାରମ୍ଭ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକଠାରେ ବୁଧବାର ବିକଶିତ ଗାଁ ବିକଶିତ ଓଡ଼ିଶା କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଯାଇଛି। ଗାଁ ମାଟିରୁ ହିଁ ପ୍ରକୃତ ବିକାଶ ଆରମ୍ଭ। ଗାଁ ଉନ୍ନତି ହେଲେ ଦେଶର ବିକାଶରେ ଅଗ୍ରଗତି ହେବ ଏଭଳି ମତ ରଖିଛନ୍ତି ଉପସ୍ଥିତ ମଞ୍ଚାସୀନ ଅତିଥିବୃନ୍ଦ।

ବିଶେଷ କରି ମୌଳିକ ଭିତ୍ତିଭୂମିର ବିକାଶ, କ୍ଷୁଦ୍ର ପର୍ଯ୍ୟଟନ, କ୍ରୀଡ଼ା ଓ ଶିକ୍ଷା ଭିତ୍ତିଭୂମିର ଆଧୁନିକୀକରଣ, ଅଭିନବ ବହୁମୁଖୀ ଜନ ମଙ୍ଗଳକାରୀ ଯୋଜନାକୁ ଏଥିରେ ସାମିଲ କରାଯାଇଛି। ଏହି ରାଜ୍ୟସ୍ତରୀୟ ଉଦଘାଟନୀ କାର୍ଯ୍ୟକ୍ରମର ଆଭାସି ମାଧ୍ୟମରେ ସିଧା ପ୍ରସାରଣ କରାଯାଇଛି। ତେବେ ଏଥିରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟନ କାର୍ଯ୍ୟକ୍ରମକୁ ଭିଡିଓ କନ୍‌ଫରେନ୍ସରେ ଦେଖିବାର ବ୍ୟବସ୍ଥା କରାଯାଇଥିଲା।

ଲାଞ୍ଜିଗଡ଼ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶାଙ୍କ ପାତ୍ରଙ୍କ ତତ୍ବାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଉପାଧ୍ୟକ୍ଷ ସଂଜିବ କୁମାର ନାୟକ, ଜିଲ୍ଲା ପରିଷଦ ସଦସ୍ୟା ଅଞ୍ଜଳି ମାଝୀ, ପରିକ୍ଷିତ ନାଏକ,ଏମ୍‌ପିଙ୍କ ପ୍ରତିନିଧି ନିରଞ୍ଜନ ବିଭାର, ବିଶ୍ଵନାଥପୁର ବିଜେପି ମଣ୍ଡଳ ସଭାପତି ଶୁକ୍ରୁ ମାଝୀ, ପୂର୍ବତନ ସାଂସଦ ପ୍ରତିନିଧି ଲକ୍ଷ୍ମୀଧର ସନ୍ତୋଷ ରାୟ, ଭାଗିରଥି ଧଙ୍ଗଡାମାଝୀ, ଅନନ୍ତ ପ୍ରଧାନୀଙ୍କ ସମେତ ବିଭିନ୍ନ ପଞ୍ଚାୟତରୁ ଆସିଥିବା ସରପଞ୍ଚ, ସମିତି ସଭ୍ୟ/ସଭ୍ୟା, ଲୋକ ପ୍ରତିନିଧି, ପ୍ରଶାସନିକ ଅଧିକାରୀ ପ୍ରମୁଖ ଯୋଗଦେଇ ଏହି ଯୋଜନାର ଆଭିମୁଖ୍ୟ ଏବଂ ଏହାର କାର୍ଯ୍ୟକାରୀ ସମ୍ପର୍କରେ ଆଲୋକପାତ କରିଥିଲେ।

କାର୍ଯ୍ୟକ୍ରମରେ ବିଭିନ୍ନ ପଞ୍ଚାୟତରୁ ଆସିଥିବା ମହିଳା ଓ ଜନସାଧାରଣ ସାମିଲ ହୋଇଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ବ୍ଲକର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.