ଜବତ ନିଶାଦ୍ରବ୍ୟର ଆନୁମାନିକ ମୂଲ୍ୟ ୫୦ ଲକ୍ଷ ଟଙ୍କା
ଓଡ଼ିଆ ବାର୍ତ୍ତା/ କୋରାପୁଟ (ସୁନ୍ଦର କୁମାର ପାଣି): ପାର୍ବଣ ଋତୁ ପୂର୍ବରୁ ନିଶା କାରବାରୀଙ୍କ ବିରୋଧରେ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ କରିଛି ଜୟପୁର ପୋଲିସ। ଚଢ଼ାଉ କରି ୪୦୩ ଗ୍ରାମ ବ୍ରାଉନ୍ ସୁଗର ଜବତ କରିବା ସହ ଏହି କାରବାରରେ ସମ୍ପୃକ୍ତ ୬ ଜଣଙ୍କୁ ଗିରଫ କରିଛି ପୋଲିସ। ଜବତ ବ୍ରାଉନ୍ ସୁଗରର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୫୦ ଲକ୍ଷ ଟଙ୍କା ବୋଲି ଜଣାପଡ଼ିଛି। ପୋଲିସ ସୂଚନା ଅନୁଯାୟୀ, ନିଶା କାରବାର ସମ୍ପର୍କରେ ବିଶେଷ ସୂତ୍ରରୁ ଖବର ପାଇବା ପରେ ଜୟପୁର ପୋଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା। ଯୋଜନାବଦ୍ଧ ଭାବେ ଚଢ଼ାଉ କରି ପୋଲିସ ଏହି ବଡ଼ ପରିମାଣର ବ୍ରାଉନ୍ ସୁଗର ଜବତ କରିବା ସହ ୬ ଜଣ ଅଭିଯୁକ୍ତଙ୍କୁ କାବୁ କରିଥିଲା। ଗିରଫ ଅଭିଯୁକ୍ତମାନେ କୋରାପୁଟ, ନୟାଗଡ଼ ଓ ଖୋର୍ଦ୍ଧା ଜିଲ୍ଲାର ବୋଲି ପ୍ରାଥମିକ ଭାବେ ଜଣାପଡ଼ିଛି। ସେମାନଙ୍କ ମଧ୍ୟରେ ଆନ୍ତଃଜିଲ୍ଲା ନିଶା କାରବାର ସହ ସମ୍ପର୍କ ଥିବା ନେଇ ପୋଲିସ ତଦନ୍ତ କରୁଛି। ଜବତ ବ୍ରାଉନ୍ ସୁଗର ବାହାର ରାଜ୍ୟରୁ ଆଣି ଜୟପୁର ଅଞ୍ଚଳରେ ବିକ୍ରି କରିବାକୁ ଯୋଜନା ହୋଇଥିବା ତଦନ୍ତରୁ ପ୍ରାଥମିକ ଭାବେ ଜଣାପଡ଼ିଥିବା ପୋଲିସ କହିଛି। ଏହି ଘଟଣାରେ ଅଭିଯୁକ୍ତମାନଙ୍କ ବିରୋଧରେ ଏନ୍ଡିପିଏସ୍ ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ନିଶା କାରବାରର ମୁଖ୍ୟ ଉତ୍ସ, ଏହା ପଛରେ ଥିବା ନେଟୱାର୍କ ଏବଂ ଅନ୍ୟ କେଉଁମାନେ ସମ୍ପୃକ୍ତ ଅଛନ୍ତି, ସେନେଇ ପୋଲିସର ତଦନ୍ତ ଜାରି ରହିଛି। ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଜିଲ୍ଲାରେ ନିଶା କାରବାର ରୋକିବା ପାଇଁ ଚଢ଼ାଉ ଓ ଯାଞ୍ଚ ପ୍ରକ୍ରିୟାକୁ ଆହୁରି ଜୋରଦାର କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।






