ସାହିତ୍ୟ ଏକାଡେମୀ ଆୟୋଜିତ ସାହିତ୍ୟୋତ୍ସବ ଉଦଯାପିତ

ଶେଷ ଦିନରେ ଅଂଶଗ୍ରହଣ କଲେ ଦିବ୍ୟାଙ୍ଗ ଲେଖକ ଏବଂ ଛାତ୍ରଛାତ୍ରୀ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ (ରଜତ ବଂଶଳ): ନୂଆଦିଲ୍ଲୀର ରବୀନ୍ଦ୍ର ଭବନ ପରିସରରେ କେନ୍ଦ୍ର ସାହିତ୍ୟ ଏକାଡେମୀ ଦ୍ୱାରା ଆୟୋଜିତ ଏସିଆର ସର୍ବବୃହତ ସାହିତ୍ୟୋତ୍ସବ ଉଦଯାପିତ ହୋଇଯାଇଛି। ଉତ୍ସବର ଅନ୍ତିମ ଦିନରେ ଯୋଗ ଦେଇଥିଲେ ଦିବ୍ୟାଙ୍ଗ ଲେଖକ ଏବଂ ଶିଶୁ ପ୍ରତିଭା।

ଆଜି ପନ୍ଦରଟି ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଆଜିର ମୁଖ୍ୟ ଆକର୍ଷଣ ଥିଲା ଦିବ୍ୟାଙ୍ଗ ଲେଖକ ସମ୍ମିଳନୀ। ଏଥିରେ ବିନୋଦ ଆସୁଦାନୀ ଏବଂ ଅରବିନ୍ଦ ପି. ଭାଟିକରଙ୍କ ଅଧ୍ୟକ୍ଷତାରେ ୧୦ଟି ଭାଷାର ଦିବ୍ୟାଙ୍ଗ ଲେଖକ କବିତା ଏବଂ ଗଳ୍ପ ପାଠ କରିଥିଲେ।

ଆଠଟି ଅଧିବେଶନରେ ଉପନ୍ୟାସର ଭବିଷ୍ୟତ, ଭାରତର ସାଂସ୍କୃତିକ ପରମ୍ପରା ଉପରେ ବିଶ୍ୱୀକରଣର ପ୍ରଭାବ, ଅନୂଦିତ କୃତି ପଠନର ଗୁରୁତ୍ୱ, ଏକତା ଏବଂ ସାମାଜିକ ସଂହତି, କୃତ୍ରିମ ବୁଦ୍ଧିମତ୍ତା ଏବଂ ସାହିତ୍ୟ ସୃଷ୍ଟି ଇତ୍ୟାଦି ବିଷୟରେ ଲେଖକ ଓ ବିଶେଷଜ୍ଞମାନେ ଆଲୋଚନା କରିଥିଲେ।

ଭାରତୀୟ ସାହିତ୍ୟ ପରମ୍ପରା: ଐତିହ୍ୟ ଏବଂ ବିକାଶ ଶୀର୍ଷକ ଜାତୀୟ ଆଲୋଚନାଚକ୍ରର ଶେଷ ଦିନରେ ଭାରତୀୟ କବିତା, ଦଳିତ ସାହିତ୍ୟ ଏବଂ ଆଧ୍ୟାତ୍ମିକ ସାହିତ୍ୟ ଉପରେଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇଥିଲା। ଏହି ଅଧିବେଶନଗୁଡ଼ିକର ଅଧ୍ୟକ୍ଷତା କରିଥିଲେ ବିଶ୍ୱନାଥ ପ୍ରସାଦ ତିୱାରୀ, ଶ୍ୟୋରାଜ ସିଂହ ବେଚୈନ ଏବଂ ବିଷ୍ଣୁ ଦତ୍ତ ରାକେଶ । ଏଥିସହିତ ବହୁଭାଷୀ କବି ସମ୍ମିଳନୀ ଏବଂ ଗଳ୍ପ ପାଠର ତିନୋଟି ଅଧିବେଶନ ମଧ୍ୟ ଅନୁଷ୍ଠିତ ହୋଇଥିଲା।

ପିଲାମାନଙ୍କ ପାଇଁ ଚିତ୍ରାଙ୍କନ ଓ ରେଖାଚିତ୍ର ଏବଂ ବକ୍ତୃତା ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଏଥିରେ ୧୫ଟି ସ୍କୁଲର ୩୦୦ରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ପ୍ରତିଯୋଗିତାରେ ୧୨ ଜଣ କୃତି ଛାତ୍ରଛାତ୍ରୀ ପୁରସ୍କୃତ କରାଯାଇଥିଲା। ପ୍ରସିଦ୍ଧ ବଙ୍ଗଳା ଲେଖକ ସୁବୋଧ ସରକାରଙ୍କ ସହିତ ଆଉ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ‘ଲେଖକଙ୍କ ସହ ସାକ୍ଷାତ’ ଅନୁଷ୍ଠିତ ହୋଇଥିଲା।

ଏହି ଅବସରରେ, ତାଙ୍କର ପୁରସ୍କାରପ୍ରାପ୍ତ ବଙ୍ଗଳା କବିତା ସଂଗ୍ରହ ‘ଦ୍ୱୈପାୟନ ସରୋବର କେ କିନାରେ’ର ହିନ୍ଦୀ ଅନୁବାଦ ସାହିତ୍ୟ ଏକାଡେମୀର ବିଶିଷ୍ଟ ସଦସ୍ୟ ଏବଂ ପୂର୍ବତନ ସଭାପତି ବିଶ୍ୱନାଥ ପ୍ରସାଦ ତିୱାରୀଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା। ଏହି ଅବସରରେ ପୁସ୍ତକର ଅନୁବାଦକ ଅମ୍ରିତା ବେରା ଏବଂ ସାହିତ୍ୟ ଏକାଡେମୀର ସଚିବ ଡକ୍ଟର କେ. ଶ୍ରୀନିବାସରାଓ ଉପସ୍ଥିତ ଥିଲେ।


ସୂଚନାଯୋଗ୍ୟ ଯେ ଏସିଆର ଏହି ସର୍ବବୃହତ ସାହିତ୍ୟ ମହୋତ୍ସବରେ ଛଅ ଦିନରେ ୭୦୦ ରୁ ଅଧିକ ଲେଖକ ଏବଂ ବିଦ୍ୱାନ ଯୋଗ ଦେଇ ଉତ୍ସବକୁ ସଫଳ କରିଥିଲେ। ୧୦୦ରୁ ଅଧିକ ଅଧିବେଶନରେ ଅଂଶଗ୍ରହଣ ଦେଶର ୫୦ ରୁ ଅଧିକ ଭାଷାର ପ୍ରତିନିଧିତ୍ୱ ହୋଇଥିଲା। ଏହି ଉତ୍ସବର ବିଭିନ୍ନ ଅଧିବେଶନରେ ଓଡିଶାର ଅନେକ ପ୍ରତିଷ୍ଠିତ ଏବଂ ଯୁବ ଲେଖକ ଲେଖିକା ଯୋଗ ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.