ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ଫକୀର ମୋହନ ସ୍ଵୟଂଶାସିତ ମହାବିଦ୍ୟାଳୟର ମୁଖ୍ୟ ପରିସରସ୍ଥ ବିଜ୍ଞାନ ଭବନ ସମ୍ମିଳନୀ କକ୍ଷରେ ଅପ୍ରେଲ ପହିଲା ଦିନ ପୂର୍ବାହ୍ଣ ଆଠ ଘଟିକାରେ ଅଧ୍ୟକ୍ଷ ପ୍ରଫେସର ଦିଲ୍ଲୀପ କୁମାର ଘୋଷଙ୍କ ସଭାପତିତ୍ବରେ ନବେ ତମ ଓଡ଼ିଶା ଦିବସ ତଥା ଓଡ଼ିଆ ପକ୍ଷର ପ୍ରଥମ ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି। ଏହି ସଭାରେ ନିମନ୍ତ୍ରିତ ଅତିଥି ଭାବରେ ଫକୀର ମୋହନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ପ୍ର. ପ୍ରଦୀପ କୁମାର ରଣା ଯୋଗ ଦେଇଥିଲା ବେଳେ ବିଷୟ ବିଶେଷଜ୍ଞ ତଥା ସମ୍ମାନିତ ଅତିଥି ଭାବରେ ମହାବିଦ୍ୟାଳୟର ଅଧିସ୍ନାତକ ଓଡ଼ିଆ ବିଭାଗ ମୁଖ୍ୟ ଡକ୍ଟର ସନ୍ତୋଷ କୁମାର ନାୟକ, ଅଧିସ୍ନାତକ ଇଂରାଜୀ ବିଭାଗ ମୁଖ୍ୟ ପ୍ର. ରଞ୍ଜନ କୁମାର ସାହୁ, ଅଧିସ୍ନାତକ ଅର୍ଥନୀତି ବିଭାଗ ମୁଖ୍ୟ ପ୍ର. ଅନିରୁଦ୍ଧ ବେହେରା, ଅଧିସ୍ନାତକ ପଦାର୍ଥ ବିଜ୍ଞାନ ବିଭାଗ ମୁଖ୍ୟ ଡ. ମୌସୁମୀ ଦାସ ପଟ୍ଟନାୟକ ଓ ଅନୁଭାଗ ଅଧିକାରୀ ଶ୍ରୀ ପ୍ରଦୀପ କୁମାର ଶତପଥୀ ପ୍ରମୁଖ ଯୋଗ ଦେଇଥିଲେ। ମହାବିଦ୍ୟାଳୟ ପରିସରସ୍ଥ ସମସ୍ତ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ ପରେ ସଭାକକ୍ଷରେ ବେଦମନ୍ତ୍ର ପାଠ କ୍ରମେ ଭାଷାବନ୍ଦନା ଗାନ କରା ଯାଇଥିଲା।
ଅଧ୍ୟକ୍ଷ ପ୍ରଫେସର ଘୋଷ ତାଙ୍କ ଅଭିଭାଷଣରେ ସମୃଦ୍ଧ ଓ ଦକ୍ଷ ଓଡ଼ିଶାର ନିର୍ମାଣ ପାଇଁ ଆହ୍ଵାନ ଦେବା ସହ ସମସ୍ତଙ୍କୁ ସଂକଳ୍ପବଦ୍ଧ କରାଇଥିଲେ । ଓଡ଼ିଶାର ସମୃଦ୍ଧ ଐତିହ୍ୟ ଓ ପରମ୍ପରା କଥା କହିବା ସହ ଓଡ଼ିଆ ଭାଷା ଉପରେ ଗୁରୁତ୍ବ ଦେଇଥିଲେ। ସେହିପରି ପ୍ରଫେସର ରଣା ଓଡ଼ିଆ ଅସ୍ମିତା ଓ ମହାପୁରୁଷମାନଙ୍କ ପଦାଙ୍କ ଅନୁସରଣ କରିବା କଥା କହିଥିଲା ବେଳେ ପ୍ରଫେସର ବେହେରା ମହତ୍ ଚେଷ୍ଟା, ଅତୀତ, ଐତିହ୍ୟ ଓ ସଂସ୍କୃତି ସହ ମହତ୍ ଉଦ୍ଦେଶ୍ୟ ଓ ମହତ୍ ଆକାଂକ୍ଷା ସହ ଆମେ ମହତ୍ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା କଥା କହିଥିଲେ । ସେହିପରି ପ୍ରଫେସର ସାହୁ ମଧୁବାବୁଙ୍କ ‘ଉତ୍କଳ ସନ୍ତାନ’ ଆବୃତ୍ତି ସହ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶର ନିର୍ମାଣ ପଛର ଐତିହାସିକ ଓ ରାଜନୀତିକ ସଂଘାତ ସଂଘର୍ଷ ଉପରେ ଆଲୋକପାତ କରିଥିଲା ବେଳେ ଡକ୍ଟର ଦାସପଟ୍ଟନାୟକ ଓଡ଼ିଶାର ପ୍ରାଚୀନ ସୀମା ଓ ସାମର୍ଥ୍ୟ ଉପରେ ଆଲୋଚନା କରି ଗୋଦାବରୀଶଙ୍କ ‘ଉଠକଙ୍କାଳ’ ଆବୃତ୍ତି କରିଥିଲେ । ସେହିପରି ଶ୍ରୀ ଶତପଥୀ ଓଡ଼ିଶାର ନୌବାଣିଜ୍ୟ, ଓଡ଼ିଶାର କଳା, ସାହିତ୍ୟ, ଭାଷା ଓ ସଂସ୍କୃତି ସମ୍ପର୍କରେ ଏକ ବିଦ୍ୟୁତ୍ ସଂଚାରୀ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହାପରେ ସ୍ଵତନ୍ତ୍ର ଭାବରେ ‘ମୋ ଓଡ଼ିଆ ଭାଷା’ ଗୀତ ପରିବେଷଣ ଉତ୍ତାରେ ଓଡ଼ିଆ ବିଭାଗ ମୁଖ୍ୟ ଡକ୍ଟର ନାୟକ ଓଡ଼ିଶା ଦିବସ ପାଳନ ପୃଷ୍ଠଭୂମିରେ ଥିବା ଭାବନା, ସ୍ଵଭାବନା ଓ ସମ୍ଭାବନା ତଥା ଓଡ଼ିଆ ଅସ୍ମିତାଧାରିତ ସାମୂହିକ ଅଭିପ୍ରାୟ, ଓଡ଼ିଶା ଦିବସର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ସମ୍ପର୍କରେ ଏକ ଦୀର୍ଘ ଅଭିଭାଷଣ ପ୍ରଦାନ କରି ଆଇନ୍ ଇ ଆକବରୀ ତଥା ଜେନେରାଲ ମାନସିଂହଙ୍କ ରେକର୍ଡ ଠାରୁ ଆରମ୍ଭ କରି କପିଳ ସଂହିତା, ବିଷନ ସ୍ୱରୂପଙ୍କ କୋଣାର୍କ ପ୍ରମୁଖ ପର୍ଯ୍ୟନ୍ତ ଅନେକ ଐତିହାସିକ ଦସ୍ତାବିଜ୍ ଆଧାରରେ ବାଲେଶ୍ବର, ଓଡ଼୍ରଦେଶ ଓ ଓଡ଼ିଶାର ସୀମା ଓ ସରହଦ ସମ୍ପର୍କରେ ଅବଗତ କରାଇଥିଲେ। ସେ ବିଚ୍ଛିନ୍ନାଞ୍ଚଳର କଥା କହିବା ସହ ଆନ୍ଧ୍ରପ୍ରଦେଶର ଉରଜାମ୍ ଶିଳାଲେଖ ଓ ଅନ୍ୟାନ୍ୟ ଶିଳାଲେଖ ତଥା ଉଠକଙ୍କାଳର ପଦମାନଙ୍କରୁ ଓଡ଼ିଶାର ଇତିହାସରେ, ଖାରବେଳ, କପିଳେନ୍ଦ୍ରଦେବ ଓ ଗଜପତିମାନଙ୍କ ବୀରତ୍ଵ ପୂର୍ଣ୍ଣ କାହାଣୀର ପ୍ରତିପାଦନ କରିଥିଲେ ।
ସେ ଆହୁରି ଏହାକୁ ଅତ୍ୟନ୍ତ ଗର୍ବ, ଗୌରବ ଓ ଗରିମାର ବିଷୟ ବୋଲି କହିବା ସଙ୍ଗେ ସଙ୍ଗେ, କୃଷି ସଭ୍ୟତାର ଅୟମାରମ୍ଭରୁ ଉତ୍କୃଷ୍ଟ କଳା, ସାହିତ୍ୟ, ସଂସ୍କୃତି, ସ୍ଥାପତ୍ୟ, ଭାସ୍କର୍ଯ୍ୟ, ଉନ୍ନତ ଜ୍ଞାନ-ବିଜ୍ଞାନ ଓ ବାଣିଜ୍ୟର ଏକ କ୍ରମୋତ୍ଥିତ ବର୍ଣ୍ଣାଢ଼୍ୟ ବିଚିତ୍ରା ମଧ୍ୟରେ ଅଭ୍ୟୁତ୍ଥାନ ଓ ଅଭ୍ୟୁତ୍କର୍ଷର ଏହି ଅଭିନବ ଅଭ୍ୟୁଦୟ କାଳରେ ଭାଷା, ସାହିତ୍ୟ, ସଂସ୍କୃତି, ଓଡ଼ିଆ ମାଟି ଓ ଜାତିର ସ୍ବାଭିମାନ ତଥା ଓଡ଼ିଆ ଅସ୍ମିତାଭିତ୍ତିକ ସ୍ୱତନ୍ତ୍ରତାର ଅନୁପମ ସ୍ମାରକୀ ଭାବରେ ବିଗୁଲ୍ ବଜାଇ ଆଜି ଆମେ ୯୦ତମ ଓଡ଼ିଶା ଦିବସ ପାଳନ କରୁଛୁ ବୋଲି ମତବ୍ୟକ୍ତ କରିଥିଲେ। ଭାଷା ଆଧାରରେ ଦିନେ ଏଇ ପ୍ରଦେଶ ସ୍ୱତନ୍ତ୍ରତା ଲାଭ କରି ସର୍ବଭାରତୀୟ ସ୍ତରରେ ନିଜର ଏକ ଅନନ୍ୟ ପରିଚୟ ସୃଷ୍ଟି କରିଥିଲେ ହେଁ ସମୟକ୍ରମେ ଓଡ଼ିଶା ପ୍ରଦେଶ ତା’ର ସାମାଜିକ, ରାଜନୀତିକ, ଆର୍ଥନୀତିକ, ସାସ୍କୃତିକ, ଧାର୍ମିକ, ଆଧ୍ୟାତ୍ମିକ ଓ ବିଶେଷ କରି ନୃତାତ୍ତ୍ୱିକ ଗୁରୁତ୍ଵ ଲାଭ କରିବା ସଙ୍ଗେସଙ୍ଗେ ବିବର୍ତ୍ତନସ୍ରୋତରେ ବିଶ୍ଵ ଦରବାରରେ ନିଜର ଅନନ୍ୟ ପରିଚୟ ଜାହିର କରିପାରିଛି ଏବଂ ଭାରତବର୍ଷ ବିଶ୍ୱଗୁରୁ ହେବାରେ ଓଡ଼ିଆ ଆଜି ତାର ବଳିଷ୍ଠ, ନଭଶ୍ଚୁମ୍ବୀ ତଥା ଦୃଷ୍ଟାନ୍ତମୂଳକ ନେତୃତ୍ୱ ନେଉଛି ବୋଲି ଦୃଢ଼ କଣ୍ଠରେ ଘୋଷଣା କରି ପଲ୍ଲୀରୁ ଦିଲ୍ଲୀ ଯାଏଁ ସୃଷ୍ଟ ପ୍ରତିଟି ଓଡ଼ିଆ ପ୍ରାଣ ଓ ପ୍ରଣର ପ୍ରତିଧ୍ଵନି ତାଙ୍କ ଦୃଷ୍ଟିରେ ଓଡ଼ିଶା ଦିବସର ଗାମ୍ଭୀର୍ଯ୍ୟ ଓ ମର୍ଯ୍ୟାଦାକୁ ଏକ ଅଦ୍ୱିତୀୟ ଉପଲବ୍ଧି ପ୍ରଦାନ କରିଛି ବୋଲି ଶ୍ରୀ ନାୟକ କହିଥିଲେ । ଓଡ଼ିଆ ଭାଷାକୁ ଓଡ଼ିଆ ଅସ୍ମିତାର ସ୍ପନ୍ଦନ ବୋଲି କହିବା ସହ ସେ ଦୃଢ଼ ପ୍ରତ୍ୟୟ ପ୍ରତ୍ୟୟ ବ୍ୟକ୍ତ କରିଥିଲେ ଯେ, ଓଡ଼ିଆ ଭାଷା ନିଜର ଔଦାର୍ଯ୍ୟ ଓ ଗାମ୍ଭୀର୍ଯ୍ୟ ରକ୍ଷାକରି ନିଜର ଅଖଣ୍ଡ-ଆମାପ ବ୍ୟାଧିରୋଧୀ ଶକ୍ତି ସହ ଆଗାମୀ ଦିନରେ ଭାଷା-ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ମୌଳିକ ଗବେଷଣା ମାଧ୍ୟମରେ ନିଜର ଧୃବତ୍ଵ ଓ ଗୁରୁତ୍ଵ ଜାହିର କରିବା ସହ ଅସଂଖ୍ୟ ଇପ୍ସିତ ଇନ୍ଦ୍ରଧନୁ ଆଙ୍କି ସମଗ୍ର ବିଶ୍ୱକୁ ଆଶ୍ଚର୍ଯ୍ୟ ଚକିତ କରି ଅବଶ୍ୟ ଦିଗ୍-ଦର୍ଶନ ଦେବାରେ ସମର୍ଥ ହେବ ଏବଂ ଏଥିରେ ହିଁ ଓଡ଼ିଆ ଅସ୍ମିତା ଏକ ଅପୂର୍ବ ବିସ୍ମୟ ସୃଷ୍ଟି କରିବ।
ଉତ୍କଳ ଦିବସକୁ ଓଡ଼ିଶା ଦିବସ ନାମକରଣ କରିବା ଦ୍ୱାରା ଓଡ଼ିଶାର ସୁସମୃଦ୍ଧ ଐତିହ୍ୟ, ବଳିଷ୍ଠ ପରମ୍ପରା ଓ ଏହାର ଔତ୍ପତ୍ତିକ ବୈଶିଷ୍ଟ୍ୟ ଏଥି ସହ ପ୍ରତିପାଦିତ ହେବା ସଙ୍ଗେ ସଙ୍ଗେ ଓଡ଼ିଶାର ଅଦ୍ୱିତୀୟ ଅଖଣ୍ଡତା ବଜାୟ ରହିବା ସଙ୍ଗେସଙ୍ଗେ ଓଡ଼ିଶାର ଇତିହାସ ସହ ଜଡ଼ିତ ଉତ୍କଳ, କଳିଙ୍ଗ, ଉତ୍କଳିଙ୍ଗ, ଓଡ୍ର ଐତିହ୍ୟ ମଧ୍ୟ ଉଜାଗର ହେବ ବୋଲି ସେ କହିଥିଲେ । ଏହା ନିଶ୍ଚିତ ଯେ, ଆଧୁନିକ ଓଡ଼ିଶାର ନିର୍ମିତି ଓ ନିର୍ମାଣ ସହ ଅବିଚ୍ଛେଦ୍ୟ ଏହାର ଭୌଗୋଳିକ ପରିସର ଓ ପରିସୀମାକୁ ମଧ୍ୟ ଆମକୁ ଆଖି ଆଗରେ ରଖିବାକୁ ହେବ କାରଣ ସେହି ଅଂଚଳର ଭାବାବେଗ ଓ ସ୍ଥାନୀୟ ଲୋକଙ୍କ ଭାବାବେଶ ସହ ମଧ୍ୟ ଏକଥା ଏକାନ୍ତ ଅବିଛିନ୍ନ। ଏଣୁ ଆଜିର ଏଇ ଓଡ଼ିଶାକୁ ଆବେଗଗତ ସୂତ୍ରରେ ଯୋଡ଼ିରଖି ସମୃଦ୍ଧ ଓ ସୁନ୍ଦର ଓଡ଼ିଶାରେ ପରିଣତ କରିବା ପାଇଁ ଏହି ନାମାନ୍ତରଣ ଅବଶ୍ୟ ସମୟୋପଯୋଗୀ ପ୍ରମାଣିତ ହେବା ସଙ୍ଗେସଙ୍ଗେ ଅନେକ ଦିଗରେ ସହାୟକ ହେବାର ପ୍ରତ୍ୟୟ ରଖି ଅତୀତରେ କଳିଙ୍ଗ, ଉତ୍କଳ, ଉତ୍କଳିଙ୍ଗ ପ୍ରଭୃତିରୁ ଓଡ଼ିଶା ଏବଂ ଇଂରାଜୀ ଭାଷାର ପ୍ରଭାବମୁକ୍ତ ହୋଇ ୨୦୧୧ ମସିହାରେ “ଓରିଶା”ରୁ “ଓଡ଼ିଶା” ହେବା ପରି ଉତ୍କଳ ଦିବସ ଓଡ଼ିଶା ଦିବସରେ ପରିଣତ ହେବା ଏକ ସ୍ଵାଭାବିକ ପ୍ରକ୍ରିୟା ବୋଲି କହିବା ସହ ଓଡ଼ିଶାର ଇତିହାସ ଏହାପରେ ଏଦିଗରେ ସାମାନ୍ୟ ପ୍ରଲମ୍ବିତ ହେଲା ବୋଲି ସେ କହିଥିଲେ।
ଏହି ସମାରୋହରେ ବିଭିନ୍ନ ବିଭାଗରୁ ଛାତ୍ରଛାତ୍ରୀମାନେ ଓଡ଼ିଶା ଦିବସ ଆଲୋକରେ ନିଜର ଅଭିଭାଷଣ ଓ ଅଭିମତ ରଖିଥିଲାବେଳେ ଅଧିସ୍ନାତକ ପ୍ରାଣୀ ବିଜ୍ଞାନ ବିଭାଗର ମୁଖ୍ୟ ତଥା ମହାବିଦ୍ୟାଳୟର ପ୍ରାଶାସନିକ ଅଧିକାରୀ ଶ୍ରୀ ଫିରୋଜ୍ କୁମାର ପାଢ଼ୀ, ଅଧିସ୍ନାତକ ଉଦ୍ଭିଦ ବିଜ୍ଞାନ ବିଭାଗର ମୁଖ୍ୟ ତଥା ମହାବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ଶ୍ରୀ ରାଜେଶ କୁମାର ରାଉତ, ଅଧିସ୍ନାତକ ରସାୟନ ବିଜ୍ଞାନ ବିଭାଗର ପ୍ରାଧ୍ୟାପକ ଡ. ବଳଦେବ ଆଶ, ପଦାର୍ଥ ବିଜ୍ଞାନ ବିଭାଗର ପ୍ରାଧ୍ୟାପକ ଡ. ପୂର୍ଣ୍ଣଚନ୍ଦ୍ର ପାତ୍ର, ଭୂତତ୍ତ୍ଵ ବିଭାଗର ପ୍ରାଧ୍ୟାପିକା ଡ. ସୁଶ୍ରୀ ଶୋଭା ବାରିକ ତଥା ସମନ୍ୱିତ ସ୍ନାତକ ଶିକ୍ଷା ବିଭାଗର ମୁଖ୍ୟ ଡ. ସମୀର କୁମାର ସାହୁ, ଓଡ଼ିଆ ବିଭାଗର ଅଧ୍ୟାପିକା ଶୁଭଲକ୍ଷ୍ମୀ ପାତ୍ର ଓ ଅଧ୍ୟାପିକା ସୁନାଲି ଜେନା ଏବଂ ଆଇ.ଆର.ପି.ଏମ. ବିଭାଗର ଅଧ୍ୟାପକ ଶ୍ରୀ ଜୟନ୍ତ କୁମାର ପରିଡ଼ା ପ୍ରମୁଖ ଏହି ସଭାରେ ସକ୍ରିୟଭାବରେ ଯୋଗଦେଇ ଥିଲେ। ଏହି ସଭାରେ ଅଧିସ୍ନାତକ ବାଣିଜ୍ୟ ବିଭାଗ ମୁଖ୍ୟ ଡ. ଅଭିଜିତ ଦାସ ଅତିଥି ଓ ବିଶେଷଜ୍ଞମାନଙ୍କୁ ମଞ୍ଚକୁ ଆବାହନ କରିଥିଲାବେଳେ ବରିଷ୍ଠ ଅନୁଭାଗ ଅଧିକାରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ପାଢ଼ୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।