‘ମୁଠାଏ ସ୍ବପ୍ନ’ ଓ ‘ସାଗରିକା’ର ବିଷୁବ ସଂଖ୍ୟା ଉନ୍ମୋଚିତ

• ମଣିଷ ଦେଖୁଥିବା ସ୍ଵପ୍ନର ପରିଭାଷାକୁ ଲେଖକ ନିଜ ଲେଖାରେ ରୂପାୟିତ କରେ, କହିଲେ ଅତିଥି

ଓଡିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ‘ଧ୍ବନି ପ୍ରତିଧ୍ୱନି’ ଖବର କାଗଜର ମୁଖ୍ୟ ସମ୍ପାଦକ ତଥା ଔପନ୍ୟାସିକ ସୃଷ୍ଟିଧର ପରିଡ଼ାଙ୍କ ଗଳ୍ପ ସଙ୍କଳନ ‘ମୁଠାଏ ସ୍ବପ୍ନ’ ଓ ସାହିତ୍ୟର ଭିନ୍ନ ସ୍ଵର ‘ସାଗରିକା’ର ବିଷୁବ ସଂଖ୍ୟା ସଂପ୍ରତି ଉନ୍ମୋଚିତ ହୋଇଯାଇଛି। ସ୍ଥାନୀୟ ଷ୍ଟେସନ କ୍ଲବରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ବରିଷ୍ଠ କବି ରତ୍ନାକର ରାଉତ। ମଣିଷ ଦେଖୁଥିବା ସ୍ଵପ୍ନର ପରିଭାଷାକୁ ରୂପ ଦେଉଥିବା କବି ଓ ସାହିତ୍ୟିକଙ୍କ ଲେଖା ସୁନ୍ଦର ସମାଜ ନିର୍ମାଣରେ ସହାୟକ ହୋଇଥାଏ ବୋଲି ସେ ତାଙ୍କ ଅଭିଭାଷଣରେ କହିଥିଲେ। ସେ ଆହୁରି କହିଥିଲେ ଯେ, ହାତମୁଠାର ସ୍ବପ୍ନ ସବୁବେଳେ ମଣିଷକୁ ବାଟ ଦେଖାଇଥାଏ। ମୁଠାଏ ବର ଫଳ ଭଳି ମୁଠାଏ ସ୍ବପ୍ନ ହିଁ ଅଗଣିତ ବରଗଛ ସୃଷ୍ଟି କରିପାରେ ବୋଲି ସେ ମତ ଦେଇଥିଲେ।

ଏଥିରେ ମୁଖ୍ୟ ଅତିଥି ଭାବେ ବାଲେଶ୍ଵର ସଦର ବିଧାୟକ ମାନସ କୁମାର ଦତ୍ତ ଯୋଗ ଦେଇ ସାହିତ୍ୟ ଓ ପୁସ୍ତକ ଉଭୟ ସମାଜ ଗଠନ ପାଇଁ ପାଇଁ ନିତାନ୍ତ ଆବଶ୍ୟକ ବୋଲି ମତ ପ୍ରକାଶ କରିବା ସହ ଔପନ୍ୟାସିକ ସୃଷ୍ଟିଧର ପରିଡ଼ାଙ୍କ ‘ମୁଠାଏ ସ୍ଵପ୍ନ’ ସମସ୍ତଙ୍କୁ ପ୍ରେରଣା ଯୋଗାଇବା ସଙ୍ଗେ ସଙ୍ଗେ ପାଠକୀୟ ଆଦୃତି ଲାଭ କରିବ ବୋଲି ସେ ଆଶା ପ୍ରକାଶ କରିଥିଲେ।

ଆଲୋଚକ ହିସାବରେ ଡକ୍ଟର ଭାଗବତ ବେହେରା ପୁସ୍ତକର ବିଭିନ୍ନ ଦିଗ ଉପରେ ଆଲୋକପାତ କରିବା ସହ ବିପର୍ଯ୍ୟସ୍ତ ସମାଜକୁ ସଂସ୍କାରିତ କରିବାରେ ଏହି ପୁସ୍ତକରେ
ବହୁ ଗୁରୁତ୍ବପୂର୍ଣ ବାର୍ତ୍ତା ରହିଛି ବୋଲି କହିଥିଲେ। ସୁବର୍ଣ୍ଣଶ୍ରୀ ପ୍ରକାଶିନୀର ମୁଖ୍ୟ ଡକ୍ଟର କାଳୀପଦ ପଣ୍ଡା ତାଙ୍କ ପ୍ରକାଶକୀୟ ବକ୍ତବ୍ୟ ରଖିଥ‌ିବା ବେଳେ ଆଇନଜୀବୀ ତଥା ସମାଜସେବୀ ବେଣୁଧର ରାଉଳ, ଯୋଗଗୁରୁ ସୁଜିତ କୁମାର ଜେନା ଲେଖକଙ୍କ ‘ମୁଠାଏ ସ୍ବପ୍ନ’ର ଶିକ୍ଷଣୀୟ ବିଷୟବସ୍ତୁ ଓ ବୋଧଗମ୍ୟ ଶବ୍ଦ ସଂଯୋଜନା ପାଠକଙ୍କ ମନକୁ ଛୁଇଁବ ବୋଲି ଆଶା ପ୍ରକାଶ କରିଥିଲେ।

‘ଧ୍ବନି ପ୍ରତିଧ୍ବନି’ ଓ ‘ସାଗରିକା’ର ସମ୍ପାଦିକା କବି ସୈରିନ୍ଧ୍ରୀ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ଲେଖକ ସୃଷ୍ଟିଧର ପରିଡ଼ା ଅତିଥିଙ୍କୁ ମଞ୍ଚ ଆମନ୍ତ୍ରଣ କରିବା ସହ ନିଜର ଲେଖକୀୟ ଅନୁଭୂତି ସମ୍ପର୍କରେ ବକ୍ତବ୍ୟ ରଖିଥିଲେ।

ପ୍ରାରମ୍ଭରେ କଣ୍ଠଶିଳ୍ପୀ ଶ୍ୱେତାଲିସା ଶୁଭଦର୍ଶିନୀ ଓ ବରିଷ୍ଠ ଆଇନଜୀବୀ ବିଜୟ ପାଣିଗ୍ରାହୀ ସଙ୍ଗୀତ ଗାନ କରିଥିବା ବେଳେ କବି ପ୍ରିୟଙ୍କା ପ୍ରିୟଦର୍ଶନୀ ଦାସ, ‘ରଙ୍ଗରାଗ’ର ସମ୍ପାଦକ ପ୍ରଦୀପ୍ତ କୁମାର ମହାନ୍ତି ଓ ଆଇନଜୀବୀ ଯଶୋଦାନନ୍ଦନ ଆଶ୍ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ସହରର ବହୁ ସାହିତ୍ୟ ପ୍ରେମୀ, ବୁଦ୍ଧିଜୀବୀ, ସାମ୍ବାଦିକ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.