ଫକୀରମୋହନ ବିଶ୍ୱବିଦ୍ୟାଳୟରେ ଉଦଘାଟିତ ହେଲା ତ୍ରିଦିବସୀୟ ପ୍ରାଚ୍ୟ ବିଦ୍ୟା ସମ୍ମିଳନୀ

ଓଡିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ଫକୀରମୋହନ ବିଶ୍ୱବିଦ୍ୟାଳୟରେ, ପୂର୍ବଭାରତୀୟ ପ୍ରାଚ୍ୟ ବିଦ୍ୟା ସମ୍ମିଳନୀର ପଞ୍ଚମ ସଂସ୍କରଣ ଉଦଘାଟିତ ହୋଇଯାଇଛି। ବିଶ୍ୱବିଦ୍ୟାଳୟର ସଂସ୍କୃତ ବିଭାଗ, କେନ୍ଦ୍ରୀୟ ସଂସ୍କୃତ ବିଭାଗ- ନୂଆଦିଲ୍ଲୀ ଓ ପୂର୍ବଭାରତୀୟ ପ୍ରାଚ୍ୟ ବିଦ୍ୟା ସମ୍ମିଳନୀର ମିଳିତ ସହଯୋଗରେ ଏହି ତିନିଦିନିଆ ସମ୍ମିଳନୀ ଆୟୋଜିତ ହୋଇଛି।

ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏହି ତ୍ରିଦିବସୀୟ ସମ୍ମିଳନୀର ଆନୁଷ୍ଠାନିକ ଉଦଘାଟନୀ ବୈଠକ ୨୬ ତାରିଖରେ ଆୟୋଜିତ ହୋଇଯାଇଛି। ପ୍ରାଚ୍ୟ ବିଦ୍ୟା ସମ୍ମିଳନୀର ସଭାପତି ପ୍ରଫେସର ପ୍ରଫୁଲ୍ଲ କୁମାର ମିଶ୍ର ଯୋଗଦେଇ ପ୍ରତ୍ୟେକ ଶିକ୍ଷାନୁଷ୍ଠାନରେ ସଂସ୍କୃତ ବିଷୟକୁ ପ୍ରାଧାନ୍ୟ ଦିଆଯିବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ। ଏଥିସହ ମୁଖ୍ଯବକ୍ତା ପ୍ରଫେସର ହରେକୃଷ୍ଣ ଶତପଥୀ ଉତ୍କଳୀୟ ପରମ୍ପରାର ବିଶ୍ବ-ଦର୍ଶନ ସଂପର୍କରେ ଆଲୋଚନା କରିବା ସହ ଅନେକ ମହାମନିଷୀଙ୍କ ଜନ୍ମଭୂମି ଏହି ଭୂଖଣ୍ଡର ସ୍ବାତନ୍ତ୍ର୍ଯ ପ୍ରତିପାଦନ କରିଥିଲେ।

ଏହି ଅବସରରେ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ସଂସ୍କୃତର ସୂଦୂର ପ୍ରସାରୀ ଲକ୍ଷ୍ଯ ନେଇ ଆଶାବ୍ୟକ୍ତ କରିବା ସହ ଏ ଦିଗରେ ଫକୀରମୋହନ ବିଶ୍ୱବିଦ୍ୟାଳୟର ଆଭିମୁଖ୍ଯ ସଂପର୍କରେ ମତାମତ ପ୍ରଦାନ କରିଥିଲେ। ଏହି ବୈଠକରେ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ଭାସ୍କର ବେହେରା ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ ଓ ପ୍ରଫେସର ଅରୁଣ ରଞ୍ଜନ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ। ସଂସ୍କୃତ ବିଭାଗର ସଂଯୋଜକ ପ୍ରଫେସର ଦେବାଶିଷ ପାତ୍ର କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ଓ ସମ୍ମିଳନୀର ସଂପାଦକ ପ୍ରଫେସର ହରେକୃଷ୍ଣ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ଏହାସହିତ ସମ୍ମିଳନୀର ବୈଷୟିକ ଅଧିବେଶନରେ ଅତିଥି ଭାବେ ଯୋଗଦେଇ ପ୍ରଫେସର ବ୍ରଜକିଶୋର ସ୍ବାଇଁ, ପ୍ରଫେସର ପ୍ରଫୁଲ୍ଲ କୁମାର ମିଶ୍ର, ପ୍ରଫେସର ହରେକୃଷ୍ଣ ଶତପଥୀ, ପ୍ରଫେସର ଅରୁଣ ରଞ୍ଜନ ମିଶ୍ର, ପ୍ରଫେସର କ୍ଷିତିଶ୍ବର ଦାଶ, ପ୍ରଫେସର କରୁଣାକର ଦାସ, ଡ଼କ୍ଟର କୁମାରଚନ୍ଦ୍ର ମିଶ୍ର ପ୍ରମୁଖ ଶ୍ରୀଧରସ୍ଵାମୀ, ବଳଦେବ ବିଦ୍ୟାଭୂଷଣଙ୍କ ସାହିତ୍ୟକୃତି ସଂପର୍କରେ ଚର୍ଚ୍ଚା କରିଥିଲେ। ଆସନ୍ନ ଅଧିବେଶନ ଗୁଡ଼ିକରେ ଅଥର୍ବ ବେଦର ପୈପ୍ପଳାଦ ସଂହିତା, ବ୍ୟାସକବି ଫକୀରମୋହନ ସେନାପତି ଓ ଭାରତୀୟ ଜ୍ଞାନ ପରମ୍ପରା ବିଷୟରେ ଚର୍ଚ୍ଚା କରାଯିବାର କାର୍ଯ୍ୟକ୍ରମ ରହିଛି।

ଏହି ସମ୍ମିଳନୀରେ ୪୦ ରୁ ଉର୍ଦ୍ଧ ଗବେଷକ ନିବନ୍ଧ ଉପସ୍ଥାପନା କରିବା ସହିତ ଦେଶର ବିଭିନ୍ନ ପ୍ରାନ୍ତରରୁ ସାହିତ୍ଯ ବିଶେଷଜ୍ଞ ଓ ବିଦ୍ବାନଗଣ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ବିଭାଗର ଅଧ୍ୟାପକ ଡ଼କ୍ଟର ଦେବାଶିଷ ମିଶ୍ର ଓ ଅଧ୍ୟାପକ ପ୍ରୀତିରଞ୍ଜନ ମାଝୀ, ଅଧିବେଶନ ଗୁଡିକର ପରିଚାଳନା କରିବା ସହିତ ଶତାଧିକ ଗବେଷଣାରତ ଛାତ୍ରଛାତ୍ରୀ ଏ ସମ୍ମିଳନୀରେ ଅଂଶଗ୍ରହଣ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.