ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଥୁଆମୂଳ ରାମପୁର ବ୍ଳକ ଅନ୍ତର୍ଗତ ସିନ୍ଧିପଦର ଗ୍ରାମରେ ଶ୍ରୀ ଶ୍ରୀ ବୁଢାରଜା ଦେବଙ୍କ ଦଶରା ମହୋତ୍ସବ ଓ ଝାମୁଯାତ୍ରା ପାରମ୍ପରିକ ରିତିନିତି ଅନୁକ୍ରମେ ମହାସମାରୋହରେ ପାଳିତ ହୋଇଯାଇଛି। ପୂଜା କମିଟି ସଭାପତି ବିଜୟ କୁମାର ନିଆଲଙ୍କ ତତ୍ବାବଧାନରେ ଏନେଇ ଆୟୋଜିତ ମଞ୍ଚ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରୀ, ସମ୍ମାନିତ ଅତିଥି ଭାବେ ବିଧାୟକଙ୍କ ପ୍ରତିନିଧି ମାଣିକ୍ୟ ଚନ୍ଦ୍ର ନାଏକ, ବ୍ଳକ ବିଜେଡି ସଭାପତି ଫଟୋ ସିଂ ଭୋଇ ଯୋଗଦାନ କରିଥିବା ବେଳେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ କୃଷ୍ଣଚନ୍ଦ୍ର ନାଏକ, ଅକ୍ଷୟ ନାଏକ, ସୁରେନ୍ଦ୍ର ନାଏକ, ସନ୍ତୋଷ କୁମାର ମାଝୀ, ସୁବାଷ ଗୌଡ, ପର୍ଶୁରାମ ମାଝୀ, ଚିତ୍ରସେନ ନାଏକ ଓ ଅର୍ଜୁନ ସୁନାନୀ ପ୍ରମୁଖ ମଞ୍ଚାସୀନ ରହି ଶ୍ରୀ ଶ୍ରୀ ବୁଢାରଜାଙ୍କ ମହିମା ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ବିଧାୟକ ଶ୍ରୀ ଦିଶାରୀ ଅଞ୍ଚଳର ବିକାଶ ବିଷୟରେ କହିଥିଲେ ଯେ, ସିନ୍ଧିପଦର ଠାରୁ କାଞ୍ଜିଗୁଡା ପକ୍କା ରାସ୍ତା ଓ ସମାପଳା ଠାରୁ ଜୁନାଗଡକୁ ସଂଯୋଗ କରିବା ପାଇଁ ପକ୍କା ରାସ୍ତା ନିର୍ମାଣ କରାଯିବ। ଏହା ବ୍ୟତିରେକ ଅଞ୍ଚଳରେ ଉନ୍ନୟନ ମୁଳକ କାର୍ଯ୍ୟ, ସ୍ବାସ୍ଥ୍ୟସେବା, ପାନୀୟ ଜଳ ଯୋଗାଣ ଓ ଶିକ୍ଷାର ବିକାଶ, ମୋବାଇଲ ସଂଯୋଗ ଦିଗରେ ଅଧିକ ଗୁରୁତ୍ୱ ଦିଆଯିବ ବୋଲି କହିଥିଲେ। ଛାତ୍ରାବାସକୁ ୪୦ ରୁ ୧୦୦ ଶଯ୍ୟା ବିଶିଷ୍ଟ କରାଯିବ ବୋଲି କହିଥିଲେ। ଶ୍ରୀ ଶ୍ରୀ ବୁଢ଼ାରଜା ପ୍ରଭୁଙ୍କ ପୂଜା ସମସ୍ତ ରୀତି ନୀତି ଅନୁସାରେ ଅନୁଷ୍ଠିତ ହୋଇଥିବା ବେଳେ ପୂଜାରୀ ପରଦେଶୀ ଗୌଡ଼ଙ୍କୁ କାଳିସୀ ଲାଗିଥିଲା। କାଳିସୀ ପୂଜାରୀ କଣ୍ଟା ଦୋଳି ରେ ଝୁଲିବା, ନିଆଁ ଝୁଲାରେ ଚାଲିବା, ଭକ୍ତଙ୍କୁ ଆଶୀର୍ବାଦ କରିବା ପ୍ରମୁଖ ଶ୍ରଦ୍ଧାଳୁଙ୍କ ମନକୁ ଛୁଇଁଥିଲା।





