ଓଡ଼ିଆ ବାର୍ତ୍ତା/ କଲ୍ୟାଣସିଂହପୁର (ନିଲେଶ କୁମାର ନାଗ/ ପଦ୍ମନ ଭତ୍ରା): କଲ୍ୟାଣସିଂହପୁର ବ୍ଲକର ସିଙ୍ଗାରୀ ଗାଁ ଠାରେ ମାଁ ଠାକୁରାଣୀଙ୍କ ଘଣ୍ଟଯାତ୍ରା ମହା ସମାରୋହରେ ସମ୍ପନ୍ନ ହେଇଯାଇଛିI ସିଙ୍ଗାରୀ ଇଷ୍ଟଦେବୀ ମାଁ ଠାକୁରାଣୀଙ୍କ ଘଣ୍ଟଯାତ୍ରା ୩ଦିନ ଧରି ଚାଲିଥିବା ବେଳେ ରବିବାର ପ୍ରାରମ୍ଭରେ ପଦଯାତ୍ରା ହୋଇଥିଲା ଓ ସୋମବାର ସନ୍ଦ୍ୟାରେ ଦ୍ବାର ଦ୍ବାର ବୁଲି ଭକ୍ତଙ୍କୁ ଦର୍ଶନ ଦେଲା ପରେ ମଙ୍ଗଳବାର ରାତିରେ ନିଜ ଆସ୍ଥାନରେ ବିରାଜମାନ କରିଛନ୍ତି। ମାଁ ଠାକୁରାଣୀଙ୍କ ଘଣ୍ଟଯାତ୍ରା କେଉଁ ଅବାହମାନ କାଲରୁ ଚଲିଆସୁଥିବା ବେଳେ ପରମ୍ପରାକୁ ବଜାଇରଖିବା ପାଇଁ ୧୭ବର୍ଷରେ ଥରେ ଘଣ୍ଟଯାତ୍ରା ପାଳନ କରିଆସୁଛନ୍ତି। ପ୍ରଥମେ ଘଣ୍ଟ ଗୃହରେ ମାଁଙ୍କ ଘଣ୍ଟକୁ ଶୃଙ୍ଗାର କରି ଗାଁ ମଝିରେ ଥିବା ମାଁ ଠାକୁରାଣୀଙ୍କ ମନ୍ଦିରକୁ ଅଣାଯାଇ ପୂଜାର୍ଚ୍ଚନା କରି ପୂଜକମାନେ ଆହ୍ୱାନ କରିଥିଲେ। ମାଁଙ୍କ ମୁଖ୍ୟ ପୂଜକ ସୁଶିଳା ବାଉକ ଅଭିମନ୍ୟୁ ପାତ୍ର ମାଁଙ୍କୁ ପୂଜାର୍ଚନା କରିଥିବା ବେଳେ ମାଁଙ୍କ ଘଣ୍ଟକୁ ବିଦ୍ୟା ଦଣ୍ଡସେନା, ଧରିତ୍ରୀ ଦଣ୍ଡସେନା, ମନୋଜ ଦଣ୍ଡସେନା, ନରସିଂହ ଗୌଡ଼ବିଶି,ମୁଣ୍ଡରେ ବହନ କରିଥିବା ବେଳେ ସେହିପରି ତରଣୀ ଦଣ୍ଡସେନା ପ୍ରମୁଖ ଶୁଭଖମ୍ବ ବହନ କରିଥିଲେ। ପ୍ରତ୍ୟେକ ଦିନ ସନ୍ଦ୍ୟାରେ ଗାଁ ପରିକ୍ରମା କରି ଭକ୍ତମାନଙ୍କୁ ମାଁ ଠାକୁରାଣୀ ଦର୍ଶନ ଦେଇଥିଲେ। ସେହିପରି ଦୀର୍ଘ ୩ଦିନ କାଳ ଗାଁ ପରିକ୍ରମା କରାଯାଇ ଗାଁର ସମସ୍ତ ଘରକୁ ଯାଇ ଝୁଣା, ପଣାପାଣି, ଗଜାମୁଆ ଇତ୍ୟାଦି ଭୋଗ ଗ୍ରହଣ କରିଥିଲେ। ଗ୍ରାମର ପ୍ରତ୍ୟେକ ପଡ଼ା ବାସୀ ନିଜ ନିଜର ଦ୍ବାର ସାମ୍ନାରେ ଚିତା ଆଙ୍କି ଘଣ୍ଟ, ଘଣ୍ଟା, ଶଙ୍ଖ, ଖୋଳତାଳ ବାଦ୍ୟରେ ମାଁଙ୍କୁ ସ୍ୱାଗତ କରି ଭୋଗ ଅର୍ପଣ କରିଥିଲେ। ଗ୍ରାମ ପରିକ୍ରମା ପରେ ସେବକ ମାନେ ଏକ ବିରାଟ ଆଡୁଆଳରେ ମାଁଙ୍କୁ ମନ୍ଦିରକୁ ଆଣିଥିବା ବେଳେ ବୁଧବାର ସକାଳେ ମାଁଙ୍କ ବଳୀପୂଜା ସମେତ ବିସର୍ଜନ ହୋଇଥିଲା। ସେହିପରି ମାନସିକଧାରୀ ମାନେ ବୋଦା, କୁକୁଡ଼ା, ପାରା ବଳି ମଧ୍ୟ ଦେଇଥିବାର ଦେଖିବାକୁ ମିଳିଥିଲା। ପରେ ମାଁ ଠାକୁରାଣୀ ନିଜ ଅସ୍ଥାନ ଆସିବା ସମୟରେ ଭକ୍ତ ମାନଙ୍କ ପିଠିରେ ଚଡ଼ି ନିଜ ଅସ୍ଥାନରେ ବିରଜା ମାନ କରିଥିଲେ। ମାଁ ଠାକୁରାଣୀଙ୍କ ୩ଦିନ ଧରି ଏହି ଘଣ୍ଟଯାତ୍ରା ମହା ଆଡମ୍ବର ସହିତ ପାଳନ ହୋଇଥିବା ବେଳେ ମନ୍ଦିରକୁ ଆଲୋକମାଳାରେ ସୁସଜିତ କରାଯାଇଥିଲା। ଭକ୍ତଙ୍କ ମନରଞ୍ଜନ ପାଇଁ ପ୍ରତିଦିନ ସନ୍ଧ୍ୟାରେ ଲୋକନୃତ୍ୟ, ମାଁ କାଳିସୀ ନୃତ୍ୟ, ସମେତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଏହି ଯାତ୍ରାକୁ ଶାନ୍ତିଶୃଙ୍ଖଳା ସହିତ ପାଳନ କରିବା ପାଇଁ ପାତ୍ର ପରିବାର ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା।