ଉନ୍ମୋଚିତ ହେଲା ସାହିତ୍ୟିକ ରାଧାରଂଜନ ପଟ୍ଟନାୟକଙ୍କ ‘ଶ୍ରୀରାମ ସାହିତ୍ୟ ଓ ସାଂସ୍କୃତିକ ଅସ୍ମିତା’ ପୁସ୍ତକ
ଓଡିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ଓଡ଼ିଶାର ଅନ୍ୟତମ ଅଗ୍ରଣୀ ପ୍ରକାଶନୀ ସଂସ୍ଥା ‘ବିଦ୍ୟାଭାରତୀ’ ପକ୍ଷରୁ ପ୍ରକାଶିତ ଡକ୍ଟର ରାଧାରଂଜନ ପଟ୍ଟନାୟକଙ୍କ ରଚିତ ଆଲୋଚନା ପୁସ୍ତକ ‘ଶ୍ରୀରାମ ସାହିତ୍ୟ ଓ ସାଂସ୍କୃତିକ ଅସ୍ମିତା’ର ଅନାବରଣ ପର୍ବ କବି ଅଭୟ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ସଭା କାର୍ଯ୍ୟ ପ୍ରାରମ୍ଭରେ ଅତିଥି ମାନେ ଜଗନ୍ନାଥଙ୍କ ଫୋଟଚିତ୍ର ପାଖରେ ପୁଷ୍ପାର୍ଘ୍ୟ ଅର୍ପଣ କରିବା ସହ ପ୍ରଦୀପ ପ୍ରଜ୍ଜ୍ଵଳନ କରିବା ପରେ ପୁସ୍ତକ ଅନାବରଣ କରିଥିଲେ।
ଏଇ ଅନାବରଣ ପର୍ବରେ ମୁଖ୍ୟ ଅତିଥି ଭାବେ ‘ରେବତୀ’ ସମ୍ପାଦିକା ତଥା ବିଧାୟିକା ସୁବସିନୀ ଜେନା ଯୋଗଦାନ କରି ରାମ ସାହିତ୍ୟ ଭଳି ପ୍ରାଚୀନ ସାହିତ୍ୟ ହିଁ ଆଜିର ସର୍ଜନାକାରଙ୍କୁ ପ୍ରେରଣା ଯୋଗାଇଛି ବୋଲି କହିବା ସଂଗେ ସଂଗେ ବେଳେ ବେଳେ ରାମ ସାହିତ୍ୟ ହିଁ ସମାଜର ନୀତିମୟ ଜୀବନ ଶୈଳୀ ଏବଂ ସର୍ବେ ଭବନ୍ତୁ ସୁଖୀନର ବାର୍ତା ଦେଇଥାଏ ବୋଲି ନିଜ ମତ ରଖିଥିଲେ ।
ରାମ ସାହିତ୍ୟ କେବଳ ଭାରତୀୟ ଜନଗଣଙ୍କ ପାଇଁ ଆଦର୍ଶଗତ ଜୀବନ ଧାରଣା ପାଇଁ ପ୍ରେରଣା ଦେଇ ନଥାଏ,ବରଂ ତମାମ ବିଶ୍ୱକୁ ଏକ ଶୃଙ୍ଖଳିତ ଧାରାରେ ବାନ୍ଧି ରଖିବାର ଖୋରାକ ଯୋଗାଇଥାଏ ବୋଲି ଅନ୍ୟତମ ଅତିଥି ତଥା ବାଲେଶ୍ଵର ଅତିରିକ୍ତ ଜିଲ୍ଲାପାଳ ସୁଧାକର ନାୟକ ନିଜର ଅଭିମତ ଦେଇଥିଲେ । ସାମ୍ପ୍ରତିକ ସମୟର ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ହସ୍ତିନାପୁର ରୂପୀ ସମାଜକୁ ଏକ ନୂଆ ଦିଶା ଦେଖାଇବାରେ ଶ୍ରୀରାମ ସାହିତ୍ୟର ଗୁରୁତ୍ୱ ଅଧିକ ଅଛି ବୋଲି ଅନ୍ୟତମ ବକ୍ତା ତଥା ଭାଷା ବିଶାରଦ ପ୍ରସନ୍ନ ପାତ୍ର ନିଜର ମତ ରଖିଥିଲେ।
ଏହି ଅନାବରଣ ପର୍ବରେ ଆଲୋଚକ ଭାବେ ବିଶିଷ୍ଟ ସାରସ୍ୱତ ସ୍ରଷ୍ଟା ତଥା ପ୍ରାଧ୍ୟାପକ ଡକ୍ଟର ବବୃବାହନ ମହାପାତ୍ର ଯୋଗ ଦାନ କରି ରାମ ସାହିତ୍ୟ ଏବଂ ଆମ ଅସ୍ମିତା ସମ୍ପର୍କରେ ବିସ୍ତୃତ ଆଲୋଚନା କରି ‘ରାମ ସାହିତ୍ୟ କେବଳ କଳ୍ପନା ନୁହେଁ,ବରଂ ଇତିହାସର ଏକ କାୟାକଳ୍ପ’ ବୋଲି ମତ ଦେବା ସହ ରାମଙ୍କ କାଳଖଣ୍ଡରେ ବ୍ୟବହୃତ ଅସ୍ତ୍ର କିପରି ଆଜିର ଯୁଗରେ ବ୍ୟବହୃତ ଆଧୁନିକ ନବୀନ ସଂସ୍କରଣ ହୋଇଛି, ସେ ସମ୍ପର୍କରେ ଏକ ତୁଳନାତ୍ମକ ବିଚାର ରଖିଥିଲେ। କେବଳ ସେତିକି ନୁହେଁ, ସମଗ୍ର ବିଶ୍ୱ ପ୍ରଥମ ଅନ୍ତରୀକ୍ଷ ଯାତ୍ରୀର ବର୍ଣ୍ଣନା ରାମ ସାହିତ୍ୟରେ ଉଲ୍ଲେଖ ଅଛି ବୋଲି କହିବା ସହ ଡକ୍ଟର ରାଧାରଂଜନ ପଟ୍ଟନାୟକଙ୍କ ରଚିତ ‘ଶ୍ରୀରାମ ସାହିତ୍ୟ ଓ ଆମର ଅସ୍ମିତା ପୁସ୍ତକ’ର ଭୂୟସୀ ପ୍ରସଂଶା କରିଥିଲେ । ଅନ୍ୟତମ ସମ୍ମାନନୀୟ ଅତିଥି ଭାବେ ଯୋଗଦାନ କରି ‘ସମାଜ’ ଉତ୍ତର ଓଡିଶା ସଂସ୍କରଣର ବରିଷ୍ଠ ସହ-ସମ୍ପାଦକ ତଥା ସ୍ତମ୍ଭକାର କୁଳମଣି ବାରିକ ବିଶ୍ୱସାହିତ୍ୟ ପରିପ୍ରେକ୍ଷୀରେ ରାମ ସାହିତ୍ୟର ବାସ୍ତବତା ତଥା ତାତ୍ଵିକ ଦର୍ଶନ କିପରି ଜନଜୀବନ ଉପରେ ପ୍ରଭାବ ବିସ୍ତାର କରିଛି, ସେ ସମ୍ପର୍କରେ ନିଜର ମତ ପ୍ରଦାନ କରିବା ସହ ସଂପ୍ରତି ଅସ୍ମିତାକୁ ନେଇ ସଭିଏଁ ସ୍ୱାଭିମାନୀ ହେବା ଉଚିତ ବୋଲି କହିଥିଲେ।
ସଭାପତି ତଥା କବି ଅଭୟ ଦାସ ଓଡ଼ିଆ ଅସ୍ମିତା ଏବଂ ଆମ ପ୍ରାଚୀନ ସାହିତ୍ୟ ହିଁ ଏକବିଂଶ ଶତାବ୍ଦୀର ଲେଖକମାନଙ୍କ ପାଇଁ ପ୍ରେରଣାର ପ୍ରେରକ ହୋଇଯାଇଛି ବୋଲି ମତ ଦେବା ସହ ଆଜିର କବିମାନେ ପୁରାଣର ଚରିତ୍ର ଅଖ୍ୟାନ ସହ ସମକାଳୀନ ଜୀବନକୁ ଗୁନ୍ଥି ସୁନ୍ଦର ମିଥ୍, ରୂପକ ଓ ପ୍ରତୀକ ମାନ ସୃଷ୍ଟି କରି ପାରୁଛନ୍ତି ବୋଲି ମତ ପ୍ରଦାନ କରିଥିଲେ। ଠିକ ପରେ ପରେ ଲେଖକ ଡକ୍ଟର ରାଧାରଂଜନ ପଟ୍ଟନାୟକ ଲେଖକୀୟ ଅଭିବ୍ୟକ୍ତି ସହ ରାମ ସାହିତ୍ୟ ସାଂସ୍କୃତିକ ଅସ୍ମିତାର ଉତ୍କର୍ଷ ଉପରେ ନିଜର ଅନୁଶୀଳନାତ୍ମକ ମନ୍ତବ୍ୟ ଦେବା ସହ ଏହା ମାନବ ସଂବେଦୀ ଭାବଧାରାର ବିଚିତ୍ର ଚିତ୍ରଶାଳା ବୋଲି ଉଲ୍ଲେଖ କରି ଉପସ୍ଥିତ ଅତିଥିମାନଙ୍କୁ ଅଭ୍ୟର୍ଥନା ପତ୍ର ପ୍ରଦାନ କରିଥିଲେ। କୁମାରୀ ଅଦିତି ଦାସ ଅତିଥିମାନଙ୍କୁ ମଞ୍ଚ ଉପରେ ଫୁଲତୋଡା, ବ୍ୟାଚ୍ ପ୍ରଦାନ ପୂର୍ବକ ସ୍ଵାଗତ କରିଥିଲେ। ଏଇ ଅନାବରଣ ଉତ୍ସବର କାର୍ଯ୍ୟକ୍ରମକୁ ଅଧ୍ୟାପକ ଡକ୍ଟର ପ୍ରଦୀପ୍ତ ମିଶ୍ର ପରିଚାଳନା କରିଥିଲେ। ପ୍ରାରମ୍ଭରେ ଏଡ଼ଭୋକେଟ ବିଜୟ ପାଣିଗ୍ରାହୀ ଜଗନ୍ନାଥ ବନ୍ଦନା ପରିବେଷଣ କରିଥିଲେ ଏବଂ ବିଦ୍ୟାଧର ନାୟକ, ମଞ୍ଜୁଲତା ବଳ ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ବିଶିଷ୍ଟ ଶିକ୍ଷାବିତ ଓ କବି ପୂର୍ଣ୍ଣ ଚନ୍ଦ୍ର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଏଇ ଅନାବରଣ ଉତ୍ସବରେ ବାଲେଶ୍ଵର ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ଶିକ୍ଷାବିତ, ସାହିତ୍ୟିକ, ବୁଦ୍ଧିଜୀବୀ ଏବଂ ସମାଜସେବୀ ଉପସ୍ଥିତ ଥିଲେ।