କଲିଙ୍ଗ ଓ ସୁଲୁମାହା ଗ୍ରାମରେ ପାନୀୟ ଜଳ ସଙ୍କଟ

ଓଡିଆ ବାର୍ତ୍ତା/ କନ୍ଧମାଳ (ମନୋରଂଜନ ରାୟ): ଗ୍ରୀଷ୍ମ ପ୍ରବାହ ଜାରୀ ରହିଥିବା ବେଳେ ଦେଖା ଦେଇଛି ଘୋର ପାନୀୟ ଜଳ ସମସ୍ୟା । ଦାରିଙ୍ଗବାଡି ବ୍ଲକ ତାଜୁଙ୍ଗିଆ ପଞ୍ଚାୟତ ଅଧୀନ କଲିଙ୍ଗ ଓ ସୁଲୁମାହା ଗ୍ରାମରେ ଦେଖା ଦେଇଛି ପାନୀୟ ଜଳ ସଙ୍କଟ । କଲିଙ୍ଗ ଗ୍ରାମରେ ୧୭୦ ପରିବାର ବସବାସ କରୁଥିବା ବେଳେ ଓ ସୁଲୁମାହା ଗ୍ରାମରେ ୧୫୦ ପରିବାର ବସବାସ କରନ୍ତି । କଲିଙ୍ଗ ଗ୍ରାମରେ ୨ ଗୋଟି ନଳକୂପ ରହିଛି । ଗୋଟିଏ ନଳକୂପ ରୁ ଗୋଳି ପାଣି ବାହାରୁ ଥିବା ବେଳେ ଅନ୍ୟ ନଳକୂପ ରୁ ଭଲ ପାଣି ବାହାରୁଛି। ଫଳରେ ଗୋଟିଏ ନଳକୂପ ଉପରେ ୧୭୦ ପରିବାର ଦିନ ରାତି ଅପେକ୍ଷା କରି ପାଣି ନେଉଛନ୍ତି । ଯେତେବେଳେ ଦେଖିବ ନଳକୂପରେ ଲମ୍ବା ଲାଇନ ଥାଇ ମହିଳାଙ୍କ ଭିଡ ଜମି ଥାଉଛି । ସେହିପରି ସୁଲୁମାହା ଗ୍ରାମରେ ୨ ଟି ନଳକୁପ ରହିଥିବା ବେଳେ ୨ ଟି ରୁ କଳଙ୍କି ଯୁକ୍ତ ପାଣି ବାହାରୁଛି । ଫଳରେ ଉକ୍ତ ପାଣି କୁ ପିଇବା ପାଇଁ ବ୍ୟବହାର କରିବା ସମ୍ଭବ ହେଉ ନାହିଁ । ଫଳରେ ଲୋକେ ବିଲ ମାଳରେ ଚୁଆଁ ଖୋଳି ଜୀବ ଜନ୍ତୁ ପିଉଥିବା ପାଣି କୁ ବାଧ୍ୟ ହୋଇ ବ୍ୟବହାର କରୁଛନ୍ତି । ଅନ୍ୟ ପଟେ ଉକ୍ତ ୨ ଟି ଗ୍ରାମ ପାଇଁ ବସୁଧା ଯୋଜନା ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ କାମ ଅଧପନ୍ତରିଆ ହୋଇ ପଡ଼ି ରହିଛି । ବର୍ଷ ବର୍ଷ ସମୟ ବିତି ଯାଉଥିଲେ ସୁଦ୍ଧା କାର୍ଯ୍ୟ ଶେଷ ହେଉ ନାହିଁ । ଫଳରେ ପାଣି ଟିକିଏ ପାଇଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଲୋକେ ପଞ୍ଚାୟତ ଠାରୁ ଆରମ୍ଭ କରି ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣି ପର୍ଯ୍ୟନ୍ତ ଅଭିଯୋଗ କରିଥିଲେ ସୁଦ୍ଧା ଶୁଣିବାକୁ କେହି ନାହିଁ । ଅଭିଯୋଗ କରି ବର୍ଷ ବର୍ଷ ବିତି ଯାଉଛି ହେଲେ ସମସ୍ୟା ର ସମାଧାନ ହେଉ ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏ ସମସ୍ୟା ଆଜିର ନୁହଁ କି କାଲିର ନୁହଁ ବର୍ଷ ବର୍ଷ ଧରି ଚାଲିଥିଲେ ବି କୌଣସି ନେତା ହୁଅନ୍ତୁ ଅବା ଅଧିକାରୀ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ କରୁନଥିବା ଯୋଗୁଁ ଅଞ୍ଚଳବାସୀ କ୍ଷୋଭ ପ୍ରକାଶ କରିବା ସହ ଯଥା ଶୀଘ୍ର ପାନୀୟ ଜଳ ସମସ୍ୟା କୁ ଦୂର କରିବାକୁ ଦାବି କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.