ଫକୀର ମୋହନ ବିଶ୍ୱବିଦ୍ୟାଳୟ ଓ ଇମାମି ପେପର ମିଲ୍ସ୍ ଲିମିଟେଡ଼ ମଧ୍ୟରେ ସ୍ଵାକ୍ଷରିତ ହେଲା ନୂତନ ବୁଝାମଣାପତ୍ର

ବିଶ୍ୱବିଦ୍ୟାଳୟରେ ସ୍ଥାପନା ହେବ ସାନିଟାରୀ ପ୍ୟାଡ୍ ଉତ୍ପାଦନ ୟୁନିଟ୍

ଓଡ଼ିଆ ବାର୍ତ୍ତା ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଫକୀର ମୋହନ ବିଶ୍ୱବିଦ୍ୟାଳୟ ଓ ଇମାମି ପେପର ମିଲ୍ସ୍ ଲିମିଟେଡ଼ ମଧ୍ୟରେ ଏକ ନୂତନ ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି। ଏହି ବୁଝାମଣାପତ୍ର ସ୍ବାକ୍ଷରର ମୁଖ୍ଯ ଉଦ୍ଦେଶ୍ଯ ଥିଲା ବିଶ୍ୱବିଦ୍ୟାଳୟ ପ୍ରଶାସନିକ କାର୍ଯ୍ୟାଳୟ ପରିସର ମଧ୍ଯରେ ଏକ ସାନିଟାରୀ ପ୍ୟାଡ୍ ଉତ୍ପାଦନ ୟୁନିଟ୍‌କୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିବା।

ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ନେତୃତ୍ବରେ ଅନୁଷ୍ଠିତ ଏକ ବୈଠକରେ ବିଶ୍ୱବିଦ୍ୟାଳୟର ଓ ଇମାମି ପେପର ମିଲ୍ସ ଲିମିଟେଡର ଅଧିକାରୀ ମାନଙ୍କ ମଧ୍ଯରେ ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁଯାୟୀ ପ୍ରସ୍ତୁତ ହୋଇଥିବା ଏଥି ସଂପର୍କିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦିଗଗୁଡିକୁ ସବିଶେଷ ଆଲୋଚନା କରାଯାଇଥିଲା। ଏହି ଅବସରରେ କୁଳପତି ପ୍ରଫେସର ତ୍ରିପାଠୀ, ଇମାମି ପେପର ମିଲ୍ସ ଲିମିଟେଡର ଅଧିକାରୀମାନଙ୍କୁ ଏହି ଅଭିନବ ପଦକ୍ଷେପ ଗ୍ରହଣ ପାଇଁ ଫକୀରମୋହନ ବିଶ୍ୱବିଦ୍ୟାଳୟକୁ ଚୟନ କରାଯାଇଥିବା ନେଇ ଧନ୍ୟବାଦ ଜ୍ଞାପନ କରିଥିଲେ।

ଏହି ପ୍ରକଳ୍ପ ଓଡ଼ିଶାର ପ୍ରଥମ ବିଶ୍ୱବିଦ୍ୟାଳୟ ଭାବେ ଫକୀରମୋହନ ବିଶ୍ବବିଦ୍ୟାଳୟରେ କାର୍ଯ୍ୟକ୍ଷମ ହେବା ନେଇ ଖୁସି ବ୍ୟକ୍ତ କରିବା ସହ ଏହା ଏକ ସମୁଦାୟମୁଖୀ ଓ ଛାତ୍ର-ନେତୃତ୍ୱ ଭିତ୍ତିକ ସାମାଜିକ ଉଦ୍ୟମ ରୂପେ ପ୍ରଭାବଯୁକ୍ତ ହୋଇପାରିବ ବୋଲି ଉଲ୍ଲେଖ କରିଥିଲେ। ଇମାମି ପକ୍ଷରୁ ବରିଷ୍ଠ ଅଧ୍ୟକ୍ଷ ଶ୍ରୀ ଅଶିଷ ଅବିନାଶ ଗୁପ୍ତା, ଡକ୍ଟର ୟୁସୁଫ ଅଲି ସୋଲଙ୍କି(ଜିଏମ୍-ମାନବ ସମ୍ବଳ) ଓ ଶ୍ରୀ ଏମ୍. କେ. ପାଢୀ (ଏଜିଏମ- ଲୋକ ସମ୍ପର୍କ ବିଭାଗ) ପ୍ରମୁଖ ଉପସ୍ଥିତ ଥିଲେ।
କୁଳସଚିବ କୁକୁମୀନା ଦାସ ଓ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ଭାସ୍କର ବେହେରା ପ୍ରମୁଖ ଉପସ୍ଥିତ ହୋଇ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏହି ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିଲେ। ଏହି ପ୍ରକଳ୍ପର ସମନ୍ୱୟକ ଭାବେ ବିଶ୍ବବିଦ୍ୟାଳୟ
ଟିବିଆଇର ସଂଯୋଜକ ପ୍ରଫେସର ପଙ୍କଜ କୁମାର ପାରହୀ ଓ ଟିବିଆଇରର ସିଓଓ ଶ୍ରୀ ସୁନେନ୍ଦୁ ନାୟକ ନିୟୋଜିତ ରହିଛନ୍ତି।

ଏହି ପ୍ରୟାସ ଏକ ମହତ୍ତ୍ୱପୂର୍ଣ୍ଣ ଅଗ୍ରଗତି ରୂପେ ଗ୍ରହଣ କରାଯାଉଛି। ଏଥିରେ ଏକ ପକ୍ଷରେ ସ୍ଥାନୀୟ ଗ୍ରାମ୍ୟ ଓ ଛାତ୍ରୀମାନଙ୍କୁ ଯଥାର୍ଥ ଦରରେ ଗୁଣବତ୍ତାପୂର୍ଣ୍ଣ ସାନିଟାରୀ ପ୍ୟାଡ୍ ଉପଲବ୍ଧ କରାଯିବାର ଲକ୍ଷ୍ଯ ରଖାଯାଇଛି। ଅନ୍ୟପକ୍ଷରେ ଛାତ୍ରଛାତ୍ରୀଙ୍କୁ ବ୍ୟବସାୟିକ ଓ ସାମାଜିକ ଦାୟିତ୍ୱ ନେଇ ପ୍ରାୟୋଗିକ ଅନୁଭବ ମିଳିବାର ଆଶାପୋଷଣ କରାଯାଇଛି।

ଏହା ମହିଳା ଓ ଛାତ୍ରୀମାନଙ୍କୁ ସ୍ବଚ୍ଛତା ସମ୍ପର୍କିତ ଆବଶ୍ୟକୀୟ ଉତ୍ପାଦରେ ସହଜ ପ୍ରବେଶ ଦେଇ ସଶକ୍ତ କରିବା ସହିତ ଗଢ଼ି ଉଠୁଥିବା ପିଢ଼ିକୁ ଦୀର୍ଘକାଳୀନ ଓ ସକାରାତ୍ମକ ପରିବର୍ତ୍ତନ ଆଣିବା ଦକ୍ଷତା ଦେବାକୁ ଲକ୍ଷ୍ୟ ରଖିଛି ବୋଲି ଡକ୍ଟର ୟୁସୁଫ ଅଲି ସୋଲଙ୍କି ମତବ୍ୟକ୍ତ କରିଥିଲେ। ପ୍ରକଳ୍ପର କାର୍ଯ୍ଯକ୍ଷମ ନେଇ ଅନ୍ୟାନ୍ଯ ବିଷୟଗୁଡ଼ିକର ପର୍ଯ୍ଯବେକ୍ଷଣ ଅତିଶୀଘ୍ର ଶେଷ ହେବ ବୋଲି ପ୍ରଫେସର ପଙ୍କଜ କୁମାର ପାରହୀ ସୂଚୀତ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.