ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଭୁବନେଶ୍ୱର ମଞ୍ଚେଶ୍ୱର ରେଳ ଅଡିଟୋରିୟମ୍ରେ ଉତ୍କଳ ବିଦ୍ୟାଭବନ ପରିଷଦ ପକ୍ଷରୁ ୭୨ତମ ବାର୍ଷିକ ଉତ୍ସବ ଓ ଗୁରୁଗୌରବ ସମ୍ମାନ ପ୍ରଦାନ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଅବସରରେ ଶିକ୍ଷାକ୍ଷେତ୍ରରେ ସମର୍ପଣ, ନିଷ୍ଠା ଓ ସ୍ୱତନ୍ତ୍ର ଶିକ୍ଷା ପ୍ରତି ଅଭିନବ ପ୍ରୟାସ ଜାରି ରଖିଥିବା ଶୁଭ୍ରାରାଣୀ ମୁଦୁଲିଙ୍କୁ ଗୁରୁଗୌରବ ସମ୍ମାନ ପ୍ରଦାନ କରାଯାଇଅଛି । ଶ୍ରୀମତୀ ମୁଦୁଳୀ ଚେତନା ମାନସିକ ଭିନ୍ନକ୍ଷମ ବିଦ୍ୟାଳୟରେ ସ୍ଵତନ୍ତ୍ର ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତ। ସେ ଦୀର୍ଘଦିନ ଧରି ଦିବ୍ୟାଙ୍ଗ ସେବା ଓ ଶିକ୍ଷା ମାଧ୍ୟମରେ ସଶକ୍ତିକରଣ ପାଇଁ ଲଗାତର ପ୍ରୟାସ କରୁଛନ୍ତି, ଯାହା ସମାଜରେ ପ୍ରେରଣାର ସୃଷ୍ଟି କରିଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରଫେସର ଡ଼. ଚିନ୍ତାମଣି ନନ୍ଦ, ସମ୍ମାନିତ ଅତିଥି ଭାବେ ପ୍ରଫେସର ଡ଼. ସ୍ମରଣୀ ପଣ୍ଡା ଉପସ୍ଥିତ ଥିଲେ । ଏଥିସହିତ ବିଭିନ୍ନ ଶିକ୍ଷାବିତ୍, ସାହିତ୍ୟ ସଂସ୍କୃତି ସେବୀ ଏବଂ ଶିକ୍ଷକ-ଶିକ୍ଷାର୍ଥୀମାନେ ମଧ୍ୟ ଯୋଗଦେଇଥିଲେ । ସମ୍ମାନ ପ୍ରଦାନ ସମୟରେ ଅତିଥିମାନେ କହିଥିଲେ – “ଶୁଭ୍ରାରାଣୀ ମୁଦୁଳୀଙ୍କ ଭଳି ନିଷ୍ଠାବାନ୍ ଶିକ୍ଷକମାନେ ସମାଜର ମୂଳ ଭିତିକୁ ଦୃଢ଼ କରୁଛନ୍ତି । ତାଙ୍କର ଶିକ୍ଷାଦାନ କେବଳ ପାଠ୍ୟକ୍ରମରେ ସୀମିତ ନୁହେଁ, ବରଂ ନବପ୍ରଜନ୍ମକୁ ନୈତିକତା ଓ ମୂଲ୍ୟବୋଧରେ ଗଢ଼ି ତୋଳୁଛି । ଏହି କାର୍ଯ୍ୟକ୍ରମ ଶିକ୍ଷା ସମ୍ପର୍କିତ ବକ୍ତୃତା, ସାଂସ୍କୃତିକ ପ୍ରଦର୍ଶନୀ ଓ ସମ୍ମାନ ଅର୍ପଣ ସହିତ ସମାପନ ହୋଇଥିଲା ।





