ଦେହେଲି ସଡ଼କ ଦୁର୍ଘଟଣା: ଗୋଟିଏ ପରିବାରର ୩ମୃତ, ଜାରି ରହିଛି ରାସ୍ତାରୋକ ଆନ୍ଦୋଳନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଥାନା ଅନ୍ତର୍ଗତ ଦେହେଲି ନିକଟରେ ସୋମବାର ପୂର୍ବାହ୍ନରେ ଏକ ଆନ୍ଧ୍ରା ପିକଅପ ଏକ ବାଇକକୁ ମୁହାଁମୁହିଁ ଧକ୍କା ଦେଇଥିଲା। ବାଇକରେ ଥିବା ୪ଜଣଙ୍କ ମଧ୍ୟରୁ ବାପ-ପୁଅ ଘଟଣାସ୍ଥଳରେ ହିଁ ମୃତ୍ୟୁବରଣ କରିଥିଲେ। ଏହା ପରେ ଉତ୍ୟକ୍ତ ଜନତା ଶବ ରଖି ରାସ୍ତାରୋକ କରିଥିଲେ। ଦୁର୍ଘଟଣା ଘଟେଇଥିବା ଆନ୍ଧ୍ରା ଗାଡ଼ିର ମାଲିକ ଆସିବା ପରେ ହିଁ ରାସ୍ତାରୋକ ହଟିବ ବୋଲି ସେମାନେ ଜିଦରେ ଅଟଳ ରହିଛନ୍ତି। ଏପଟେ ଗୁରୁତର ଥିବା ମା’ ଓ ଝିଅ ଭବାନୀପାଟଣା ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ। ସେଠାରେ ମଧ୍ୟାହ୍ନ ସମୟରେ କୁନି ଝିଅ ମଧ୍ୟ ଆଖି ବୁଜିଛି। ମା’ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ନର୍ଲା ତହସିଲଦାରଙ୍କ ସମେତ ପୋଲିସବଳ ଘଟଣାସ୍ଥଳରେ ରହି ସ୍ଥିତି ସ୍ବଭାବିକ କରିବାକୁ ଚେଷ୍ଟା କରୁଛନ୍ତି। ପ୍ରାପ୍ତ ସୂଚନା ଅନୁସାରେ ନର୍ଲା ବ୍ଲକ ଅନ୍ତର୍ଗତ ତେର୍ଲୋ ଗ୍ରାମର ବୁଧ ବାରିକ (୩୫), ପୁଅ ଆରବ (୧୦) ଏବଂ ମାଆ ଓ ଝିଅ ବାଇକ ଯୋଗେ ନର୍ଲା ପଟେ ଆସୁଥିଲେ। ସାମ୍ନା ପଟୁ କ୍ଷୀପ୍ର ଗତିରେ ଯାଉଥିବା ଆନ୍ଧ୍ର ପ୍ରଦେଶର ଏକ ପିକପ ଭ୍ୟାନ ସେମାନଙ୍କ ବାଇକକୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ୩ଜଣଙ୍କ ଜୀବନ ଚାଲି ଯାଇଥିବାବେଳେ ଜଣଙ୍କର ଜୀବନ ସଂକଟାପନ୍ନ ରହିଛି। ଅନ୍ୟପକ୍ଷେ ରାସ୍ତା ଅବରୋଧ ଯୋଗୁଁ ଦିନତମାମ ଶହ ଶହ ଗାଡି ମଟର ରାସ୍ତା ଦୁଇପଟେ ଛିଡ଼ା ହୋଇ ରହିଛନ୍ତି, ଯାତ୍ରୀମାନେ ମଧ୍ୟ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ବର୍ଷା ସତ୍ବେ ମଧ୍ୟ ରାସ୍ତାରୋକ ଆନ୍ଦୋଳନ ଜାରି ରହିଛି। ଖବର ଲେଖାଯିବା ପର୍ଯ୍ୟନ୍ତ (ସନ୍ଧ୍ୟା ୫) ରାସ୍ତାରୋକ ହଟି ନଥିବା ଜଣାପଡ଼ିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.