ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ନେତାଜୀ ମୁଲାୟମ ସିଂହ ଯାଦବଙ୍କ ଜୀବନୀ ସଂଘର୍ଷ, ସରଳତା, ଜନସେବା ଏବଂ ଜନସାଧାରଣଙ୍କ ସହିତ ସମ୍ପର୍କର ଏକ ପ୍ରେରଣାଦାୟକ କାହାଣୀ। ତାଙ୍କର ଦୀର୍ଘ ରାଜନୈତିକ ଜୀବନରେ, ସେ ଉତ୍ତର ପ୍ରଦେଶ ରାଜନୀତିରୁ ଜାତୀୟ ରାଜନୀତି ପର୍ଯ୍ୟନ୍ତ ନିଜକୁ ଭିନ୍ନ କରିଥିଲେ। ସେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବରେ ସେବା କରିଥିଲେ ଏବଂ ଦେଶର ପ୍ରତିରକ୍ଷା ମନ୍ତ୍ରୀ ଭାବରେ ମଧ୍ୟ ତାଙ୍କର ଦାୟିତ୍ୱ ନିର୍ବାହ କରିଥିଲେ ବୋଲି ସମାଜବାଦୀ ପାର୍ଟି ଓଡ଼ିଶା ପ୍ରଦେଶ କମିଟି ପକ୍ଷରୁ ଆୟୋଜିତ ମୁଲାୟମ ସିଂହ ଯାଦବଙ୍କ ଚତୁର୍ଥ ଶ୍ରାଦ୍ଧ ବାର୍ଷିକୀ ଅବସରରେ ମତ ପ୍ରକାଶ ପାଇଛି। ଭୁବନେଶ୍ୱର ସ୍ଥିତ ସମାଜବାଦୀ ପାର୍ଟି ରାଜ୍ୟ କାର୍ଯ୍ୟାଳୟରେ ଶନିବାର ଭାରତର ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ, ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ, ସମାଜବାଦୀ ପାର୍ଟିର ସଂସ୍ଥାପକ, ଧରିତ୍ରୀ ପୁତ୍ର, ପଦ୍ମ ବିଭୂଷଣ ନେତାଜୀ ମୁଲାୟମ ସିଂହ ଯାଦବଙ୍କ ଚତୁର୍ଥ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଛି। ଏନେଇ ଆୟୋଜିତ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ସମାଜବାଦୀ ପାର୍ଟିର ରାଜ୍ୟ ସମ୍ପାଦକ ସୁନୀଲ କୁମାର ଧଙ୍ଗଡାମାଝୀ। ସଭାରେ ରାଜ୍ୟ କୃଷକ ଜନସଭା ସଭାପତି ବିଜୟ ବେହେରା, ରାଜ୍ୟ ଯୁବ ଜନସଭା ସାଧାରଣ ସମ୍ପାଦକ ରମାକାନ୍ତ ହାତୀ, ରାଜ୍ୟ ସମ୍ପାଦକ ଗୁରୁବାରୀ ନାୟକ, ଯୁବନେତା ସନ୍ତୋଷ ବାଗ ପ୍ରମୁଖ ନେତାଜୀଙ୍କ ଜୀବନ ଦର୍ଶନ ଉପରେ ଆଲୋକପାତ କରିବା ସହ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସଭାରେ ଭାସ୍କର ନାୟକ, ପ୍ରଶାନ୍ତ ନାୟକ, ରାଜା ନାୟକ, ଚିତ୍ତରଞ୍ଜନ ଜେନା, ଆକାଶ ନାୟକ, ବୁଲୁ ନାୟକ ପ୍ରମୁଖଙ୍କ ସହ ଅନେକ ଦଳୀୟ କର୍ମୀ ଉପସ୍ଥିତ ଥିଲେ।





