ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କ୍ୟାଂସଲ ହେଲା ନର୍ଲା ଡିଗ୍ରୀ କଲେଜ ର ଛାତ୍ର ସଂସଦ ନିର୍ବାଚନ। ଏହାକୁ ନେଇ ଭାଙ୍ଗି ପଡିଛନ୍ତି ଛାତ୍ର ଛାତ୍ରୀ।ଦୀର୍ଘ ୮ ବର୍ଷ ର ବ୍ୟବଧାନ ପରେ ସାରା ଓଡିଶାରେ ଚାଲିଛି ଛାତ୍ର ସାଂସଦ ର ନିର୍ବାଚନ। କଳାହାଣ୍ଡି ଜିଲ୍ଲା ନର୍ଲା ଡିଗ୍ରୀ କଲେଜ କ୍ୟାମ୍ପସ ଏ ନେଇ ସରଗରମ ହୋଇ ଉଠିଥିଲା। ଶୁକ୍ରବାର ଅନୁଷ୍ଠିତ ହୋଇଥିଲା ନାମାଙ୍କନ ପତ୍ର ଦାଖଲ ଓ ଯାଞ୍ଚ ପ୍ରକ୍ରିୟା। ନର୍ଲା ଡିଗ୍ରୀ କଲେଜ ର ପ୍ରିନ୍ସିପାଲ କୈଳାଶ ଚନ୍ଦ୍ର ମେହେର ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାରେ ରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ନର୍ଲା ଡିଗ୍ରୀ କଲେଜ ର ପ୍ରଥମ, ଦ୍ବିତୀୟ ଓ ଶେଷ ବର୍ଷର ଛାତ୍ର ଛାତ୍ରୀ ମାନେ ସଭାପତି, ଉପସଭାପତି, ସାଧାରଣ ସମ୍ପାଦକ, କ୍ରୀଡ଼ା ସମ୍ପାଦକ, ସାଂସ୍କୃତିକ ସମ୍ପାଦକ ପ୍ରଭୃତି ପଦବୀ ପାଇଁ ସକାଳ ୧୨ ଘଣ୍ଟା ସମୟରେ ନାମାଙ୍କନ ପତ୍ର ନେଇ ୨ ଟା ମଧ୍ୟରେ ଆଶାୟୀ ପ୍ରାର୍ଥୀ ମାନେ ଫର୍ମ ଦାଖଲ କରିଥିଲେ। ୧୧ ଜଣ ଛାତ୍ର ଛାତ୍ରୀ ନାମାଙ୍କନ ପାଇଁ ଫର୍ମ ନେଇଥିବା ବେଳେ ୧୦ ଗୋଟି ପ୍ରାର୍ଥୀପତ୍ର ଦାଖଲ ହୋଇଥିଲା। ମଧ୍ୟାହ୍ନ ଭୋଜନ ବିରତି ପରେ ପ୍ରାର୍ଥୀପତ୍ର ଯାଞ୍ଚ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା। ପ୍ରିନ୍ସିପାଲ ଶ୍ରୀ ମେହେର ନିର୍ବାଚନ ଅଧ୍ୟକ୍ଷ ଭାବରେ ନିର୍ବାଚନୀ ପ୍ରକ୍ରିୟା ପରିଚାଳନା କରୁଥିଲେ।ଅଧ୍ୟାପିକା ସଂଘମିତ୍ରା ପଣ୍ଡା, ରମେଶ ଘଡେଇ, କୌଶଲ୍ୟା ଗଡବା, କର୍ମଚାରୀ କିଶୋର ଚାନ୍ଦ, ବୁଲୁ ଓ ଅନ୍ୟାନ୍ୟ କର୍ମଚାରୀ ମାନଙ୍କ ସହଯୋଗ ରେ ପ୍ରାର୍ଥୀପତ୍ର ଯାଞ୍ଚ ହୋଇଥିଲା। ପ୍ରାର୍ଥୀପତ୍ର ଯାଞ୍ଚ ପରେ ତିନିଜଣ ପ୍ରାର୍ଥୀ ଙ୍କ ପ୍ରାର୍ଥୀପତ୍ର ବିଭିନ୍ନ କାରଣରୁ ଖାରଜ ହୋଇଥିଲା। ମଇଦାନ ରେ ସଭାପତି ପଦବୀ ପାଇଁ ଦ୍ୱିତୀୟ ବର୍ଷର ଛାତ୍ରୀ ବିଷ୍ଣୁ ପ୍ରିୟା କୁମାର, ଭବାନୀ ଭୋଇ ଓ ପ୍ରଥମ ବର୍ଷର ଜସ୍ମିନ ପାତ୍ର ରହିଥିବା ବେଳେ ସାଧାରଣ ସମ୍ପାଦକ ପାଇଁ ଦ୍ୱିତୀୟ ବର୍ଷର ଛାତ୍ର ପ୍ରଶାନ୍ତ ବାହୁକ ଓ ପ୍ରଥମ ବର୍ଷର ଛାତ୍ର ଜ୍ୟୋତିପ୍ରକାଶ ସାହୁ ରହିଥିଲେ। ଉପ ସଭାପତି ପଦବୀ ପାଇଁ ଜଣେ ମାତ୍ର ପ୍ରଥମ ବର୍ଷର ଛାତ୍ରୀ ଭୁବନେଶ୍ୱରୀ ବେନୁଆ ଓ ସାଂସ୍କୃତିକ ସମ୍ପାଦକ ପଦବୀ ପାଇଁ ପ୍ରଥମ ବର୍ଷର ଛାତ୍ର ତୁମେଶ୍ୱର ଗୌଡଙ୍କ ପ୍ରାର୍ଥୀପତ୍ର କାଏମ ରହିଥିବାରୁ ଏହି ଦୁଇଜଣଙ୍କ ପଦବୀ ପାଇଁ ପ୍ରତିଯୋଗିତା ନଥିଲା। ଏହି ଦୁଇଜଣ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିଲେ। କେବଳ ସଭାପତି ପଦବୀ ଓ ସାଧାରଣ ସମ୍ପାଦକ ପଦବୀ ପାଇଁ ନିର୍ବାଚନ ହେବାରଥିଲା। ପ୍ରାର୍ଥୀପତ୍ର ଯାଞ୍ଚ ପରେ ବିଭିନ୍ନ ପଦବୀ ପାଇଁ ମଇଦାନ ରେ ଏବେ ୭ ପ୍ରାର୍ଥୀ ରହିଥିଲେ। ନିର୍ବାଚନ ର ସମସ୍ତ ପ୍ରକ୍ରିୟା ସରିଯାଇଥିଲା। ସ୍କୃଟିନି ପରେ ଫଳ ମଧ୍ୟ ପ୍ରକାଶ ପାଇ ସାରିଥିଲା। ହେଲେ କଲେଜ କ୍ୟାମ୍ପସ ରେ ନିର୍ବାଚନ ସ୍ଥଗିତ ନେଇ ଆଜି ନୋଟିସ ଲାଗିଛି। ନିରାଶ ହୋଇଛନ୍ତି ଛାତ୍ର ଛାତ୍ରୀ।ଏବିଷୟରେ ଡିଗ୍ରୀ କଲେଜ ଅଧ୍ୟକ୍ଷ ତଥା ନିର୍ବାଚନ ଅଧିକାରୀ ଶ୍ରୀ ମେହେରଙ୍କ ମତାମତ ନେବାରୁ ସେ କହିଲେ ଆମର ଶତ ଚେଷ୍ଟା ସତ୍ତ୍ୱେ ବାହ୍ୟ ବ୍ୟକ୍ତିଙ୍କ ଅନୁ ପ୍ରବେଶ ଓ ହସ୍ତ କ୍ଷେପ କୁ ଆମେ ରୋକି ପାରିଲୁ ନାହିଁ। ଏହାକୁ ନେଇ କଲେଜ ପରିସରରେ ଉତ୍ତେଜନା ବଢ଼ିବାରେ ଲାଗିଲା। ନିର୍ବାଚନ ସମୟ ବେଳକୁ ପରିସ୍ଥିତି ଆହୁରି ଜଟିଳ ହୋଇପାରେ। ଛାତ୍ର ମାନଙ୍କ ଓ କ୍ୟାମ୍ପସ ର ସୁରକ୍ଷା ଦୃଷ୍ଟିରୁ ସମସ୍ତ ବିଷୟକୁ ତର୍ଜମା କରି ଆମେ ଉପ ଜିଲ୍ଲାପାଳଙ୍କୁ ସମସ୍ତ ବିଷୟ ଅବଗତ କଲୁ। ତାଙ୍କର ଅନୁମତି ଓ ନିର୍ଦ୍ଦେଶ କ୍ରମେ ୨୦୨୬/୨୦୨୭ ଛାତ୍ର ସଂସଦ ନିର୍ବାଚନକୁ ସ୍ଥଗିତ ରଖା ଯାଇଛି। ସମସ୍ତଙ୍କ ଅବଗତି ନିମନ୍ତେ ଏହି ବିଷୟରେ କଲେଜ କ୍ୟାମ୍ପସ ଏବଂ ବାହାରେ ମଧ୍ୟ ୨୯୯/ପିଡିଏସ/୨୬-୨୭ ନମ୍ବର ସଂଲଗ୍ନ ନୋଟିସ ମରାଯାଇଛି ବୋଲି ନିର୍ବାଚନ ଅଧିକାରେୀ ଶ୍ରୀ ମେହେର ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି।





