ଲାଞ୍ଜିଗଡ଼ ବ୍ଲକରେ ବେଧଡକ ଭାବେ ଚାଲିଛି ବାଲି ଚୋରା ଚାଲାଣ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଲାଞ୍ଜିଗଡ଼ ବ୍ଲକରେ ସବୁ କଟକଣ ଓ ପ୍ରତିବନ୍ଧକ ସତ୍ତ୍ଵେ ବ୍ଲକର ବିଭିନ୍ନ ନଦୀ ନାଳରୁ ବାଲି ଚୋରିକୁ ରୋକାଯାଇ ପାରୁନାହିଁ। ବାଲି ମାଫିଆମାନେ ପ୍ରଶାସନିକ ନିୟମକୁ ଜଳାଞ୍ଜଳି ଦେଇ ଦିନ ଓ ରାତିରେ ବ୍ୟାପକ ବାଲି ଲୁଟିବାରେ ଲାଗିଥିଲେ ମଧ୍ୟ ପ୍ରଶାସନ ଓ ପୁଲିସ ନୀରବ ଦ୍ରଷ୍ଟା ସାଜିଛନ୍ତି। ଏପରିକି ଖଣି ବିଭାଗ ହାତବାନ୍ଧି ବସିଛି। ବ୍ଲକ୍ ଅନ୍ତର୍ଗତ ଚନ୍ଦନପୁର ଓ ନୂତନ ବାଲେଲିମା ବଂଶଧାରା ନଦୀ ଏବଂ ସାନ୍ଦୁଲ ନଦୀର ବିଭିନ୍ନ ସ୍ଥାନରୁ ଏହିଭଳି ଭାବେ ବ୍ୟାପକ ବାଲି ଚୋରି ହେଉଥିବା ଦେଖିବାକୁ ମିଳୁଛି। ହାଇୱା ଓ ଟ୍ରାକ୍ଟର ଯୋଗେ ଶହଶହ ଟ୍ରିପ୍ ବାଲି ବାହାରକୁ ଚାଲାଣ ହେଉଛି। ଏହି ଠାରେ ସରକାର ଅନୁମୋଦିତ ବାଲିଘାଟ ନଥିଲେ ସୁଦ୍ଧା ପ୍ରଶାସନର ନଜର କିପରି ପଡୁନାହିଁ ତାହା ଅନେକକୁ ବିସ୍ମିତ କରିଛି। ଦିନରାତି ଭାରି ଯାନ ଦ୍ୱାରା ବାଲିଚାଲାଣ ହେବା ଫଳରେ ସ୍ଥାନୀୟ ଅଞ୍ଚଳର ରାସ୍ତା ଗୁଡ଼ିକ ଭାଙ୍ଗିରୁଜି ଦୟନୀୟ ହେଇପଡୁଛି। ଯାହାଫଳରେ ପଥଚାରୀ ମାନେ ଯିବା ଆସିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେହିପରି ସଂଖ୍ୟାଧିକ ଯାନ ବାହାନ ଚଳପ୍ରଚଳ କରିବା ଦ୍ୱାରା ଶବ୍ଦ ପ୍ରଦୂଷଣ ସାଙ୍ଗକୁ ବାଲିଗୁଣ୍ଡ ଉଡ଼ି ପରିବେଶ ଦୂଷିତ ହେବାର ମଧ୍ଯ ଲାଗିଛି। ଏଥିପ୍ରତି ଜିଲ୍ଲା ଖଣିବିଭାଗ ଦୃଷ୍ଟି ଦେଇ ବାଲିମାଫିଆ ମାନଙ୍କ ବିରୁଦ୍ଧରେ ଦୃଢ଼ କର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳରେ ଦାବି ହେଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.