ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ରାଜ୍ୟରେ ସାଇବର ସୁରକ୍ଷା ସମ୍ପର୍କରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରିବା ଲକ୍ଷ୍ୟରେ ଆରମ୍ଭ ହୋଇଛି ସାଇବର ସୁରକ୍ଷା ଅଭିଯାନ ଏହି ପରିପ୍ରେକ୍ଷୀରେ ନର୍ଲା ଥାନା ଅଧୀନ ତଥା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ରୋଡ଼ ପଞ୍ଚାୟତ ସ୍ଥିତ ସିକେରକୁପା ଫାଣ୍ଡି ପରିସରରେ ଯୁବକ, ଯୁବତୀ ଓ ଜନସାଧାରଣଙ୍କ ମଧ୍ୟରେ ସାଇବର ସୁରକ୍ଷା ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସିକେରକୁପା ଫାଣ୍ଡି ଅଧିକାରୀ ମୁରଲୀ ମୋହନ ପିଡିକାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ସାଇବର ଉପ ନୀରିକ୍ଷକ ଜାହ୍ନବୀ ତାଣ୍ଡି, ମେଜର ସୁରେନ୍ଦ୍ର ଗମାଙ୍ଗ, ନର୍ଲା ଥାନାଧିକାରୀ ବିଜୟରାଜ ମାଝୀ, ପ୍ରମୁଖ ଯୋଗଦେଇ ସାଇବର ଠକେଇର ବିଭିନ୍ନ ପ୍ରାରୂପ ତଥା ସ୍ମାର୍ଟ ଫୋନ ଓ ଇଣ୍ଟରନେଟ ଉପଭୋକ୍ତାମାନେ ବିଭିନ୍ନ ଆଳରେ କିପରି ଠକାମିର ଶିକାର ହୋଇଛନ୍ତି ସେନେଇ ଯୁବକ, ଯୁବତୀ ଓ ଜନସାଧାରଣଙ୍କୁ ଉଦାହରଣ ସହ ବୁଝାଇଥିଲେ। ଏହାସହ ସ୍ମାର୍ଟ ଫୋନରେ ଥିବା ବିଭିନ୍ନ ସାଇବର ସୁରକ୍ଷା ବ୍ୟବସ୍ଥାକୁ ବ୍ୟବହାର କରି କିପରି ଠକାମୀରୁ ରକ୍ଷା ପାଇ ପାଇବେ ସେନେଇ ମତବ୍ୟକ୍ତ କରିଥିଲେ। ଏଥିରେ ଫାଣ୍ଡି ଅଞ୍ଚଳ ଶତାଧିକ ଜନସାଧାରଣ ଉପସ୍ଥିତ ଥିଲେ। ସେହିପରି ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ବିଶ୍ଵନାଥପୁର, ବିଜେପୁର, ଲାଞ୍ଜିଗଡ଼ ଥାନା ଅଞ୍ଚଳରେ ମଧ୍ୟ ଏହି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।





