ବାଲେଶ୍ବର ସଦର ମହକୁମାରେ ଅନୁଷ୍ଠିତ ହେଲା ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୫

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵର ସମଗ୍ର ଶିକ୍ଷା ଜିଲ୍ଲା ପକ୍ଷରୁ ସ୍ଥାନୀୟ ଜିଲ୍ଲା ସ୍କୁଲ ପରିସରରେ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୫ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାଲେଶ୍ଵର ଜିଲ୍ଲା ପରିଷଦ ଅଧ୍ୟକ୍ଷ ନାରାୟଣ ପ୍ରଧାନ ଯୋଗଦେଇ ଥିବା ବେଳେ ମୁଖ୍ୟ ବକ୍ତା ଭାବେ ବାଲେଶ୍ଵର ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ସୁଧାକର ନାୟକ, ସମ୍ମାନିତ ଅତିଥି ଭାବେ ଖଇରା ଗୋଷ୍ଠୀ ଶିକ୍ଷାଧିକାରୀ ସୁଧାଂଶୁ ଶେଖର ଜେନା, ଏସ.ଏସ. ଟି. ସଂଯୋଜକ ନିରଞ୍ଜନ ବିଶ୍ଵାଳ, ବାହାନଗା, ନୀଳଗିରି ଓ ସଦର ବାଲେଶ୍ଵରର ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀମତୀ ସୁଷମା ସେଠୀ, ଶ୍ରୀଯୁକ୍ତ ସତ୍ୟ ରଞ୍ଜନ ଭୂୟାଁ, ଶ୍ରୀଯୁକ୍ତ ଯୋଗେଶ୍ୱର ଜେନା ପ୍ରମୁଖ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବସ୍ତା ବ୍ଲକର ସହକାରୀ ଶିକ୍ଷକ ଶିବ ଶଙ୍କର ଜେନା ଅତିଥି ପରିଚୟ, ସ୍ଵାଗତ ସମ୍ଭାଷଣ ଦେବା ପରେ ମୁଖ୍ୟ ଅତିଥି ସମେତ ସମସ୍ତ ବରେଣ୍ୟ ଅତିଥି ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାର୍ଘ୍ୟ ଅର୍ପଣ କରି ଉଦଘାଟନ କରିଥିଲେ। ଜିଲ୍ଲା ସ୍କୁଲର ଛାତ୍ରୀମାନଙ୍କ ଦ୍ଵାରା ସ୍ଵାଗତ ସଙ୍ଗୀତ ପରିବେଷଣ ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହି ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ସୁରଭି -୨୦୨୫ କାର୍ଯ୍ୟକ୍ରମ ଶିଶୁମାନଙ୍କର ଅନ୍ତର୍ନିହିତ ପ୍ରତିଭାର ବିକାଶ ଓ ପରିପ୍ରକାଶର ମାଧ୍ୟମ ବୋଲି ଜିଲ୍ଲା ଶିକ୍ଷାଧିକାରୀ ବସନ୍ତ କୁମାର ନାୟକ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ।ଆଜିର ଏହି କାର୍ଯ୍ୟକ୍ରମକୁ ବାଲେଶ୍ଵର ସମଗ୍ର ଶିକ୍ଷା ଜିଲ୍ଲା ପକ୍ଷରୁ ଆୟୋଜନ କରାଯାଇଥିଲା। ବାଲେଶ୍ଵର ଜିଲ୍ଲାର ସମସ୍ତ କ୍ଲଷ୍ଟର, ବ୍ଲକ ସ୍ତରରୁ ବିଭିନ୍ନ ବିଭାଗରେ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କ ମଧ୍ୟରୁ ଜିଲ୍ଲା ମଧ୍ୟରେ ଚୟନ ହୋଇଥିବା ଶ୍ରେଷ୍ଠ ପ୍ରତିଯୋଗୀ ଆସନ୍ତା ନଭେମ୍ବର ୧୫ ତାରିଖରେ ହେବାକୁ ଥିବା ରାଜ୍ୟସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ବୋଲି ଅବଗତ କରାଯାଇଥିଲା। ସମ୍ମାନିତ ଅତିଥି ମାନଙ୍କ ମଧ୍ୟରେ ଖଇରା ଗୋଷ୍ଠୀ ଶିକ୍ଷାଧିକାରୀ ସୁଧାଂଶୁ ଶେଖର ଜେନା,ଏସ.ଏସ.ଟି. ସଂଯୋଜକ ନିରଞ୍ଜନ ବିଶ୍ଵାଳ ଶିଶୁ ମହୋତ୍ସବ ସୁରଭି ଏକ ଅନନ୍ୟ ପୃଷ୍ଠଭୂମିର ମାଧ୍ୟମ। ଶିଶୁମାନଙ୍କର ଅନ୍ତର୍ନିହିତ ଗୁଣ ଓ ଶକ୍ତିର ବିକାଶ ନିମନ୍ତେ କେବଳ ବିଦ୍ୟାଳୟ ବା ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ନୁହେଁ ବରଂ ଅଭିଭାବକମାନଙ୍କ ଦାୟିତ୍ଵକୁ ଏଡାଇ ଦିଆଯାଇ ପାରିବ ନାହଁ ବୋଲି ମତ ପ୍ରକାଶ କରିଥିଲେ। ବାଲେଶ୍ଵର ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ସୁଧାକର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛୋଟ ଶିଶୁ ଫୁଲ କଢ଼ିଟିଏ, ତାର ପ୍ରଯତ୍ନ କରି ଅନ୍ତର୍ନିହିତ ଗୁଣକୁ ଚିହ୍ନଟ କରି ସେ କ୍ଷେତ୍ରରେ ଉତ୍ସାହିତ କରିବା ଦ୍ଵାରା ସେମାନଙ୍କ ପ୍ରତିଭା ବିକଶିତ ହେବା ସହ ରାଜ୍ୟ, ଜାତୀୟ ଏବଂ ଆନ୍ତର୍ଜାତୀୟ କ୍ଷେତ୍ରରେ ମଧ୍ୟ ସେମାନେ ନିଜର ପରିଚୟ ସୃଷ୍ଟି କରିପାରିବେ ବୋଲି କହିଥିଲେ। ଏହି ବିଶେଷ ଶିଶୁ ମହୋତ୍ସବର ମୁଖ୍ୟ ଅତିଥି ବାଲେଶ୍ଵର ଜିଲ୍ଲାର ଜିଲ୍ଲା ପରିଷଦ ଅଧ୍ୟକ୍ଷ ନାରାୟଣ ପ୍ରଧାନ ଆଜିର ଶିଶୁ କାଲିର ଭବିଷ୍ୟତ ନାଗରିକ। ତାଙ୍କୁ ଗଢି ତୋଳିବା ଆମର କର୍ତ୍ତବ୍ୟ ଓ ଦାୟିତ୍ଵ। ସମସ୍ତ ପିତାମାତା, ଅଭିଭାବକ ଶିଶୁ ମାନଙ୍କ ପ୍ରତିଭାର ବିକାଶ ନିମନ୍ତେ ସମସ୍ତଙ୍କର ସହଯୋଗ କାମନା କରିଥିଲେ। ସମଗ୍ର ଜିଲ୍ଲାରୁ ଆସିଥିବା ଛାତ୍ରଛାତ୍ରୀ ମାନଙ୍କ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ ସହିତ ବିଭିନ୍ନ ବର୍ଗ, ସ୍ତରରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମକୁ ମନୋନୀତ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ଏକ ଦିବସୀୟ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ସୁରଭି କର୍ଯ୍ୟକ୍ରମର ଉଦଯାପନୀ ସନ୍ଧ୍ୟାରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀମତୀ ପୂର୍ଣ୍ଣିମା ଦାସ, ଶିଳ୍ପୀ କେଶୁ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ବସ୍ତା ବ୍ଲକର ସହକାରୀ ଶିକ୍ଷକ ଶିଵ ଶଙ୍କର ଜେନା ଉପସ୍ଥିତ ବରେଣ୍ୟ ଅତିଥି ସମେତ ସମଗ୍ର ଶିକ୍ଷା ଜିଲ୍ଲାର କର୍ମକର୍ତ୍ତା, ଛାତ୍ର ଛାତ୍ରୀ, ଅଭିଭାବକ ଓ ସାମ୍ବାଦିକଙ୍କୁ କାର୍ଯ୍ୟକ୍ରମର ସଫଳତା ନିମନ୍ତେ କୃତଜ୍ଞତା ସହ ଧନ୍ୟବାଦ୍ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.