ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଅଞ୍ଚଳରେ ଆବହମାନ କାଳରୁ କାର୍ତ୍ତିକ ପୂର୍ଣ୍ଣିମା ଉତ୍ସବ ପାଳିତ ହୋଇ ଆସୁଛି। ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ବ୍ରତୀ ମାନେ ମାସ ସାରା ବଡି ଭୋର ରୁ ବୁଡ ପକାଇ ପୁରାଣ ଶୁଣି ହବିଶ ଅନ୍ନ ଭକ୍ଷଣ କରି କାର୍ତ୍ତିକ ବ୍ରତ ପାଳନ କରିଥାନ୍ତି। ଚଳିତ ବର୍ଷ କାର୍ତ୍ତିକ ମାସ ସାରା ଉତ୍ସବ ମୁଖର ହୋଇଉଠିଥିଲା ନର୍ଲା ଅଞ୍ଚଳ । ବିଶେଷ କରି ପଞ୍ଚୁକ ପାଞ୍ଚଦିନ ଧରି ପୁର୍ଣ୍ଣିମା ପର୍ଯ୍ୟନ୍ତ ସ୍ଥାନେ ସ୍ଥାନେ ପୁରାଣ ବସା ଓ ପୁରାଣ ପଠନ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥିଲା । ଚଳିତ ବର୍ଷ କାର୍ତ୍ତିକ ପୂର୍ଣ୍ଣିମା ଚଳିତ ବର୍ଷ ଥଣ୍ଡାର ପ୍ରକୋପ କମ ରହିଥିବାରୁ ଆବାଳ ବୃଦ୍ଧ ବନୀତା ବଡି ଭୋରରୁ କାର୍ତ୍ତିକ ବୁଡ ପକାଇ ବୋଇତ ମେଲାଣି କରି “ଆକାମାବୈ….ପାନଗୁଆ ଥୋଇ” କହି ବୋଇତକୁ ମେଲାଣି ଦେଇଥିଲେ । ବିଶେଷ କରି ନର୍ଲାର ସାନ୍ଦୁଲ ନଦୀ କୂଳ ଗାଁ ଗୁଡିକ ମଧ୍ୟରେ ବାଙ୍କେଲ, ସୂଜୀପଡା, ସର୍ଗିଗୁଡା, ଦହଲ, ଭୀମକେଲା, ଲାଖଗୁଡା, ଅସୁରଗଡ ପ୍ରଭୃତି ଗାଁ ଗୁଡିକର ବ୍ରତୀ ମାନେ ସାନ୍ଦୁଲ ନଦୀରେ ବୋଇତ ବନ୍ଦାଣ କରିଥିଲେ। ଗାଁ ମାନଙ୍କରେ ରହିଥିବା ବିଭିନ୍ନ ପୁଷ୍କରିଣୀ ଗୁଡିକରେ ମଧ୍ୟ ଲୋକେ ବହୁ ସଂଖ୍ୟାରେ ବୋଇତ ବନ୍ଦାଣ କରିଥିବା ଦେଖିବାକୁ ମିଳିଥିଲା । ଚଳିତ ବର୍ଷ ଶୀତର ପ୍ରକୋପ ନଥିବା ଯୋଗୁଁ ଲୋକେ ଅନେକ ଉତ୍ସାହ ଉଦ୍ଦୀପନା ଓ ଆଗ୍ରହର ସହ କାର୍ତ୍ତିକ ପୂର୍ଣ୍ଣିମା ପାଳନ ସାଙ୍ଗକୁ ବୋଇତ ବନ୍ଦାଣ କରିଥିବା ଦେଖିବାକୁ ମିଳିଥିଲା। ଏହାବାଦ ନର୍ଲା ଅଞ୍ଚଳର ୨୫୦ ରୁ ଉର୍ଦ୍ଧ୍ବ ସ୍ଥାନରେ ପଞ୍ଚୁକ ପାଞ୍ଚଦିନ ଧରି ଚାଲିଥିବା କାର୍ତ୍ତିକ ବ୍ରତ ଓ ପୁରାଣ ପୂଜା ଗୁଡ଼ିକର ପୂର୍ଣ୍ଣାହୂତି ମଧ୍ଯ ପଡ଼ିଛି।





