ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ମଧ୍ୟପ୍ରଦେଶର ଭୋପାଲ ସ୍ଥିତ ଆଞ୍ଚଳିକ ଶିକ୍ଷା ସଂସ୍ଥାନ ଠାରେ ନଭେମ୍ବର ୧୮ରୁ ୨୩ ଯାଏ ୫୨ତମ ରାଷ୍ଟ୍ରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଆୟୋଜିତ ହେଉଛି | ଏଥିରେ ଭାଗ ନେବାକୁ ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକର ଝରଣୀ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଛାତ୍ର ରାଜ ଆର୍ଯ୍ୟନ ଦୋରା ମନୋନୀତ ହୋଇଛନ୍ତି |ରାଷ୍ଟ୍ରୀୟ ଶୈକ୍ଷିକ ଅନୁସନ୍ଧାନ ଏବଂ ପ୍ରଶିକ୍ଷଣ ପରିଷଦ, ନୂଆଦିଲ୍ଲୀଙ୍କ ପକ୍ଷରୁ ଏନେଇ ବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ସୂଚିତ କରାଯାଇଛି | କଣ୍ଟାବାଞ୍ଜି ସହରର ରାଜେନ୍ଦ୍ର ଦୋରା ଓ ପଙ୍କଜିନୀ ଦୋରାଙ୍କ ପୁତ୍ର ରାଜ ଆର୍ଯ୍ୟନଙ୍କ ଚୟନ ନେଇ ବିଦ୍ୟାଳୟ ଅଧ୍ୟକ୍ଷ ଚନ୍ଦନ କୁମାର ମହାକୁଡ଼ ଏବଂ ସହକର୍ମୀଙ୍କ ସମେତ ଅଞ୍ଚଳବାସୀଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି | ଗତ ଜାନୁଆରୀ ମାସ ୬ ତାରିଖ କୋଲକାତା ଠାରେ ଅନୁଷ୍ଠିତ ଜୋନ ସ୍ତରୀୟ ପ୍ରଦର୍ଶନୀରେ ରାଜ ଆର୍ଯ୍ୟନ ଭାଗ ନେଇ ଜାତୀୟ ସ୍ତର ପାଇଁ ମନୋନୀତ ହୋଇଥିଲେ | ଗାଇଡ଼ ଶିକ୍ଷକ ତଥା ବିଜ୍ଞାନ ଶିକ୍ଷକ ଦିଲ୍ଲୀପ କୁମାର ଶବରଙ୍କ ସହ ସେ ଭୋପାଳ ଯାଇଛନ୍ତି | ତାଙ୍କ ଦ୍ୱାରା ପ୍ରଦର୍ଶିତ ପ୍ରକଳ୍ପର ଶିରୋନାମା ‘ବଧିରଙ୍କ ପାଇଁ ଶିକ୍ଷା ପ୍ରଣାଳୀ’ ରହିଥିବା ବେଳେ ବିଷୟ ସାରାଂଶ ‘ସଂସାଧନ ପରିଚାଳନା’ ରହିଛି |





