ଖୋଲା ମଦ ସେବନ ଏବଂ ଅନ୍ୟାନ୍ୟ ବେଆଇନ କାର୍ଯ୍ୟକଳାପ ବିରୁଦ୍ଧରେ ପୋଲିସର ସ୍ୱତନ୍ତ୍ର ଅଭିଯାନ

ଓଡ଼ିଆ ବାର୍ତ୍ତା/ ବାଲିଗୁଡା (ସଞ୍ଜୟ କୁମାର ପାଣିଗ୍ରାହୀ): ଅସାମାଜିକ ବ୍ୟକ୍ତି ଓ ନିଶାଡ଼ି ହୋଇଯାନ୍ତୁ ସାବଧାନ । ନିଶାଡ଼ି ଓ ଅସାମାଜିକ ବ୍ୟକ୍ତିଙ୍କୁ ସାବାଡ଼ କରିବା ପାଇଁ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡରେ ପୋଲିସ୍ ପକ୍ଷରୁ ଆରମ୍ଭ ହୋଇଛି ସ୍ପେସାଲ୍ ଡ୍ରାଇଭ୍। କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସବ-ଡିଭିଜନ ପୋଲିସ ଖୋଲା ମଦ ସେବନ ଏବଂ ଅନ୍ୟାନ୍ୟ ବେଆଇନ କାର୍ଯ୍ୟକଳାପ ବିରୁଦ୍ଧରେ ଏକ ସ୍ୱତନ୍ତ୍ର ଅଭିଯାନ ନୂତନ ଏସ ଡି ପି ଓ ଶୁଭମ ଭୋସଲେଙ୍କ ନେତୃତ୍ୱରେ ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ଉପଖଣ୍ଡର ଚିହ୍ନଟ ହୋଇଥିବା ବିଭିନ୍ନ ଅନ୍ଧାର ଅଞ୍ଚଳ ଏବଂ ସମ୍ବେଦନଶୀଳ ସ୍ଥାନରେ ଚଢାଉ କରାଯାଉଛି। ଏଣୁ ସାଧାରଣ ସୁରକ୍ଷା, ବିଶେଷ କରି ମହିଳା ଏବଂ ଶିଶୁଙ୍କ ପାଇଁ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଏଣୁ ଉପରୋକ୍ତ କାର୍ଯ୍ୟରେ ଲିପ୍ତ ରହୁଥିବା ବ୍ୟକ୍ତି ବିଶେଷ ମାନେ ଏ ସବୁ କାର୍ଯ୍ୟରୁ ଦୁରେଇ ରହିବା ସହ ଅଞ୍ଚଳବାସୀ ଏପରି ଯେକୌଣସି କାର୍ଯ୍ୟକଳାପ ନଜରରେ ଆସିଲେ ପୋଲିସକୁ ଜଣାଇବେ, ଜଣାଇଥିବା ବ୍ୟକ୍ତି ବିଶେଷଙ୍କ ପରିଚୟ ଶତ ପ୍ରତିଶତ ଗୋପନ ରଖାଯିବା ସହ ସମ୍ପୂର୍ଣ୍ଣ ସୁରକ୍ଷା ପ୍ରଦାନ କରାଯିବ ବୋଲି ଏସ ଡି ପି ଓ ଶ୍ରୀ ଭୋସଲେ କହିଛନ୍ତି। ଏଭଳି ସଚେତନତା କାର୍ଯ୍ୟକ୍ରମକୁ ବିଭିନ୍ନ ମହଲରୁ ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି କୁହାଯାଉଥିବା ବେଳେ ଏହାକୁ ନିୟମିତ ବଳବତ୍ତର ରଖାଗଲେ ଆଗାମୀ ଦିନରେ ଅସାମାଜିକ କାର୍ଯ୍ୟ କଳାପ କିଛି ମାତ୍ରାରେ କମିପାରିବ ବୋଲି ବୁଦ୍ଧିଜୀବୀ ମହଲରୁ କୁହାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.