ରେଭେନ୍‌ସା ବିଶ୍ୱବିଦ୍ୟାଳୟରେ ପାଳିତ ହେଲା କର୍ତ୍ତବ୍ୟବୋଧ ଦିବସ

ଓଡ଼ିଆ ବାର୍ତ୍ତା/ କଟକ/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): କର୍ତ୍ତବ୍ୟବୋଧ ଦିବସ ଉପଲକ୍ଷେ ଅଖିଳ ଭାରତୀୟ ରାଷ୍ଟ୍ରୀୟ ଶୈକ୍ଷିକ ମହାସଂଘ କଟକ ଜିଲ୍ଲା ଶାଖା ତରଫରୁ ରେଭେନ୍‌ସା ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ଶିକ୍ଷା ବିଭାଗ ଠାରେ ଏକ ସମାବେଶର ଆୟୋଜନ କରାଯାଇଥିଲା। ଜିଲ୍ଲା ସଭାପତି ଡକ୍ଟର ଚିତ୍ତରଞ୍ଜନ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର କମଲଜୀତ୍ ସିଂହ ମୁଖ୍ୟ ଅତିଥି ଓ ବରିଷ୍ଠ ଶିକ୍ଷାବିତ୍ ପ୍ରଫେସର ଦିନେଶ ପଟ୍ଟନାୟକ ମୁଖ୍ୟବକ୍ତା ରୂପେ ଯୋଗ ଦେଇଥିଲେ। ପ୍ରାରମ୍ଭିକ ସୂଚନା ଦେଇ ମହାସଂଘର ଜାତୀୟ କାର୍ଯ୍ୟକାରୀ ପରିଷଦର ସଦସ୍ୟ ଡକ୍ଟର ନାରାୟଣ ମହାନ୍ତି କହିଲେ ଯେ, ଶିକ୍ଷକମାନଙ୍କ ମଧ୍ୟରେ କର୍ତ୍ତବ୍ୟ ପ୍ରତି ସଚେତନତା ଜାଗ୍ରତ କରିବା ପାଇଁ ମହାସଂଘ ପକ୍ଷରୁ ପ୍ରତିବର୍ଷ ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ଠାରୁ ନେତାଜୀ ସୁବାଷ ବୋଷ ଜୟନ୍ତୀ ମଧ୍ୟରେ ଦେଶବ୍ୟାପୀ କର୍ତ୍ତବ୍ୟବୋଧ ଦିବସ ପାଳନ କରାଯାଉଛି। ମୁଖ୍ୟ ଅତିଥି ପ୍ରଫେସର ସିଂହ ରାଷ୍ଟ୍ର ନିର୍ମାଣରେ ଶିକ୍ଷକମାନଙ୍କର ଭୂମିକା ବିଷୟରେ ଆଲୋକପାତ କରି ସେମାନେ ସୁଚାରୁରୂପେ କର୍ତ୍ତବ୍ୟ ସମ୍ପାଦନ କରିବା ପାଇଁ ଆହ୍ୱାନ ଦେଇଥିଲେ। ମହାସଂଘର ଶୈକ୍ଷିକ ପ୍ରକୋଷ୍ଠ ମୁଖ୍ୟ ଡକ୍ଟର ବି.ସି. ଦାସ ସ୍ୱାଗତ ଭାଷଣ ଦେଲା ପରେ ରାଜ୍ୟ ସଭାପତି ପ୍ରଫେସର ଶିବବ୍ରତ ଦାସ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ପ୍ରଫେସର ଉମାକାନ୍ତ ମିଶ୍ର, ପ୍ରଫେସର ଯୁଧିଷ୍ଠିର ସାହୁ, ଅଧ୍ୟାପିକା କୃଷ୍ଣପ୍ରିୟା ବେହେରା, ଡକ୍ଟର କ୍ଷୀରୋଦ କୁମାର ସାହୁ, ଅଧ୍ୟକ୍ଷ ମୋହିତ କର, ଅଧ୍ୟାପକ ଚକ୍ରଧର ନାୟକ, ଅଧ୍ୟାପକ ଗୋପୀନାଥ ପଣ୍ଡା, ଅଧ୍ୟାପକ ଅଜୟ ପତି, ଅଧ୍ୟାପକ ଗଣେଶ୍ୱର ସ୍ବାଇଁ ପ୍ରମୁଖ ସେମାନଙ୍କର ବକ୍ତବ୍ୟ ଉପସ୍ଥାପନ କରିଥିଲେ। ଶେଷରେ ଜିଲ୍ଲା ସମ୍ପାଦକ ଅଧ୍ୟାପକ ମିହିର ରଞ୍ଜନ କର ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.