‘ପ୍ରଜାପତି’ ପକ୍ଷରୁ ଆୟୋଜିତ ହେଲା ଗୀତି କବିତା ଆସର

ସଙ୍ଗୀତ ନିଜକୁ ଅନନ୍ତ ଶାଶ୍ବତ ସତ୍ତାରେ ହଜାଏ, କହିଲେ ଅତିଥି

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ଶିକ୍ଷା ଓ ଜ୍ଞାନର ଦିବ୍ୟଦୃଷ୍ଟି ‘ପ୍ରଜାପତି’ର ସାହିତ୍ୟ ବିଭାଗ ‘ଅକ୍ଷର’ର ସୃଜନ ଉଡ଼ାଣ ‘ଉଚ୍ଚାରଣ’ ପକ୍ଷରୁ ଗୀତ, ଗୀତିକାର ଓ ଗୀତିକବିଙ୍କୁ ନେଇ ‘୬ କବି / ୧୮ ଗୀତି’ କାର୍ଯ୍ୟକ୍ରମ ଆତିଥ୍ୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଆ ସାହିତ୍ୟର ବିଭିନ୍ନ ବିଭାଗରେ ଲେଖନୀ ଚାଳନା କରୁଥିବା ଲେଖକମାନଙ୍କର ଏହା ଏକ ସୃଜନ ମିଳନ।ଏହି କାର୍ଯ୍ୟକ୍ରମକୁ ‘ଉଚ୍ଚାରଣ’ରେ ସ୍ଥାନିତ ହୋଇଥିବା ଲେଖାମାନଙ୍କର ଲେଖକ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ଵଳନ ପୂର୍ବକ ଉତ୍ସବକୁ ଉଦ୍‌ଘାଟନ କରିଥିଲେ। ସେମାନଙ୍କୁ ଅନୁଷ୍ଠାନ ତରଫରୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା।

ଆରମ୍ଭରେ ‘ପ୍ରଜାପତି’ର ପ୍ରତିଷ୍ଠାତା କବି ପ୍ରଶାନ୍ତ ଦାସ ଉତ୍ସବ ପରିଚାଳନା କରି ସୂଚନ ପ୍ରଦାନ କଲେ ଯେ ‘ଉଚ୍ଚାରଣ’ ଆମ ଜିଲ୍ଲାର ସାହିତ୍ୟର ବିଭିନ୍ନ ବିଭାଗରେ ଲେଖୁଥୁବା ଲେଖକଙ୍କର ଏକ ମଧୁର ମିଳନ। ଅନୁଷ୍ଠାନ ତରଫରୁ ପ୍ରକାଶିତ ହୋଇଥିବା ସାହିତ୍ୟ ବୁଲେଟିନ ‘ଉଚ୍ଚାରଣ’ର ସଂପାଦକ ଗଙ୍ଗାଧର ବିଶ୍ବାଳ ସମ୍ପାଦକୀୟ କଥା ରଖିବା ପରେ ଅତିଥିମାନେ ବୁଲେଟିନ ଉନ୍ମୋଚନ କରିଥିଲେ। ଏହି କାର୍ଯ୍ୟକ୍ରମରେ ‘ଉଚ୍ଚାରଣ’ର ଲେଖକ ଅତିଥି ଭାବେ ଯୋଗ ଦେଇଥିବା ଗୀତିକବି ଓ ଗୀତିକାର ସମରେନ୍ଦ୍ରନାଥ ମହାପାତ୍ର, ଡ. ଦେବାଶିଷ ପାତ୍ର, ପୂର୍ଣ୍ଣେନ୍ଦୁ ଦାସ ମହାପାତ୍ର, ରବୀନ୍ଦ୍ର ବିଶ୍ଵାଳ, ପ୍ରଶାନ୍ତ ଦାସ ଓ ଦୀପକ ବୋଷ ନିଜ ନିଜର ରଚନାକୁ ଦର୍ଶକଙ୍କ ସମ୍ମୁଖରେ ପାଠ କରିଥିଲେ।

‘ପ୍ରଜାପତି’ର ଆବାହକ ବିପ୍ଳବ ଦାସ ମହାପାତ୍ର, ସଂଯୋଜକ ରାଜେଶ ଗିରି, କବି ମଧୁସୂଦନ ମିଶ୍ର, କବି ଅଭୟ ଦାସ, ଡ. ଦିଲ୍ଲୀପ ରଥ ଉତ୍ସବ ସଂପର୍କରେ ସଂକ୍ଷିପ୍ତ କଥା ରଖିଥିଲେ। ଉତ୍ସବର ଦ୍ବିତୀୟ ପର୍ଯ୍ୟାୟରେ ଅତିଥି ଗୀତିକାରଙ୍କ ଲେଖା ଗୀତକୁ ଗୁରୁ ସତ୍ୟରଂଜନ ମହାନ୍ତି, ଶ୍ଵେତାଲିସା ଶୁଭଦର୍ଶିନୀ, ସ୍ମୃତିସ୍ୱରୂପା ମିଶ୍ର, ପ୍ରୀତିକ୍ରିଷ୍ଣା ଦାସ ପ୍ରମୁଖ ଗାନ କରିଥିଲେ। ତପନ ବେହେରା ଓ ସୁଭାଷ ଚନ୍ଦ୍ର ସିଂହ ବାଦ୍ୟଯନ୍ତ୍ରରେ ସହାୟତା କରିଥିଲେ। ଏହି କାର୍ଯ୍ୟକ୍ରମକୁ ଅମରଜିତ ଦାସ, ପାର୍ଥସାରଥି ସାହୁ, ପ୍ରତିମା ତ୍ରିପାଠୀ, ସରସ୍ଵତୀ ଭୋଇ, ସନ୍ତୋଷ ଦଳେଇ ପ୍ରମୁଖ ପରିଚାଳନା କରିଥିଲେ ଓ ଶେଷରେ ରାଜେଶ ଗିରି ଧନ୍ୟବାଦ ଅର୍ପଣ କରିଥିଲେ। ‘ଉଚ୍ଚାରଣ’ର ପରବର୍ତ୍ତୀ ସଂସ୍କରଣ ନାଟକ, ନାଟ୍ୟକାର, ଅଭିନେତା, ଆଳାପ ଓ ସୃଜନକୁ ନେଇ ଆୟୋଜିତ ହେବ ବୋଲି ଅନୁଷ୍ଠାନ ତରଫରୁ ଘୋଷଣା କରାଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.