ବାବା ସିଂହନାଥ ଯୁବ ସେନା ପକ୍ଷରୁ ମକର ମେଳାରେ ଜଳ ସେବା

ଓଡ଼ିଆ ବାର୍ତ୍ତା/ ବଡମ୍ବା: ବଡ଼ମ୍ବାର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ବାବା ସିଂହନାଥ ଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ମକର ମେଳା ଉତ୍ସବ ମହାଆଡମ୍ବରରେ ପାଳିତ ହୋଇଯାଇଛି। ଏହି ପବିତ୍ର ଉତ୍ସବ ଅବସରରେ ହଜାର ହଜାର ଶ୍ରଦ୍ଧାଳୁ ଓ ଦର୍ଶନାର୍ଥୀ ମନ୍ଦିରକୁ ଆସି ପ୍ରଭୁଙ୍କ ଦର୍ଶନ କରି ଆଶୀର୍ବାଦ ଗ୍ରହଣ କରିଥିଲେ। ମେଳା ଅବସରରେ ବାବା ସିଂହନାଥ ଯୁବ ସେନା ପକ୍ଷରୁ ମାନବ ସେବାର ଉଦାହରଣ ସ୍ୱରୂପ ଚାରି ଦିନ ଧରି ଜଳ ସେବା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ସମୟ ସୀମାରେ ପ୍ରାୟ ପନ୍ଦର ହଜାରରୁ ଅଧିକ ଶ୍ରଦ୍ଧାଳୁ ଓ ଦର୍ଶକଙ୍କୁ ଦହି ପଣା ଓ ପାନୀୟ ଜଳ ବଣ୍ଟନ କରାଯାଇଥିଲା। ଯୁବ ସେନାର ସଦସ୍ୟମାନେ ମେଳାକୁ ଆସୁଥିବା ଲୋକମାନଙ୍କୁ ପାନୀୟଜଳ ଯୋଗାଇଦେବା ସହ ମହାନଦୀ ପାର୍ଶ୍ୱର ସଫେଇ କାର୍ଯ୍ୟ ମଧ୍ୟ ସଫଳତାର ସହ କରିଥିଲେ। ଜଳ ଛାତ୍ର ପାଇଁ ଆବଶ୍ୟକୀୟ ଶୁଦ୍ଧ ଜଳ ଯୋଗାଣରେ ମାନ୍ୟବର ବଡ଼ମ୍ବା ବିଧାୟକ ଶ୍ରୀ ବିଜୟ ଦଳବେହେରା ସହଯୋଗ କରିଥିଲେ ଏବଂ ପ୍ରଶାସନ ପକ୍ଷରୁ ସମ୍ପୂର୍ଣ୍ଣ ସହାୟତା ମିଳିଥିଲା। ମେଳାର ଅନ୍ତିମ ଦିନରେ ଯୁବ ସେନାର ସମସ୍ତ ସଦସ୍ୟଙ୍କୁ ତାଙ୍କର ନିଷ୍ଠାପୂର୍ଣ୍ଣ ସେବା କାର୍ଯ୍ୟ ପାଇଁ ସଭା ମଞ୍ଚରେ ସମ୍ମାନିତ କରାଯାଇଥିଲା। ଉଦଯାପନୀ ଉତ୍ସବରେ ମାନ୍ୟବର ବଡ଼ମ୍ବା ବିଧାୟକ, ତହସିଲଦାର, ପୋଲିସ ଅଧିକାରୀ ଓ ଅନ୍ୟାନ୍ୟ ଗଣ୍ୟମାନ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ। ଏହି ଅବସରରେ ଗୋପିନାଥପୁର ସରପଞ୍ଚ ଯୁବକମାନଙ୍କ ଏହି ସାମାଜିକ କାର୍ଯ୍ୟକୁ ଭୁରିଭୁରି ପ୍ରଶଂସା କରି କହିଥିଲେ ଯେ, ଏପରି ସଂଗଠନ ଗାଁ ପାଇଁ ଗର୍ବର ବିଷୟ। ବାବା ସିଂହନାଥ ଯୁବ ସେନା ପକ୍ଷରୁ ସମସ୍ତ ଗ୍ରାମବାସୀ ଓ ସହଯୋଗୀଙ୍କୁ ଧନ୍ୟବାଦ ଜଣାଇବା ସହ ଆଗାମୀ ଦିନରେ ମଧ୍ୟ ଏହିପରି ସାମାଜିକ ସେବା କାର୍ଯ୍ୟ ଜାରି ରଖାଯିବ ବୋଲି ସନ୍ଦେଶ ଦିଆଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.