ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ଜିଲ୍ଲା ପ୍ରଶାସନ ଅଧୀନରେ ଥିବା ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପକ୍ଷରୁ ଅଧିକ ସମର୍ଥନ ଆବଶ୍ୟକ ଥିବା ବ୍ୟକ୍ତିମାନଙ୍କ ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ଭିନ୍ନକ୍ଷମ ବ୍ୟକ୍ତିଙ୍କ ଅଧିକାର ଅଧିନିୟମ-୨୦୧୬ ଅନୁଯାୟୀ ଆୟୋଜିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ରାଜ୍ୟ ଭିନ୍ନକ୍ଷମ କମିଶନର୍ ଶ୍ରୀମତୀ ବ୍ରତତୀ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭିନ୍ନକ୍ଷମବ୍ୟକ୍ତିଙ୍କ ଅଧିକାର, ସରକାରୀ ସୁବିଧା ଓ ବିଭିନ୍ନ ସହାୟତାମୂଳକ ଯୋଜନା ସମ୍ବନ୍ଧରେ ଆଲୋକପାତ କରିଥିଲେ। ସେ ଉଚ୍ଚ ସମର୍ଥନଯୋଗ୍ୟ ଗୋଷ୍ଠୀଙ୍କ ପରିଚୟ ଓ ସମଗ୍ର ସହାୟତା ପ୍ରଦାନରେ ସମନ୍ୱିତ ପ୍ରୟାସର ଆବଶ୍ୟକତା ସମ୍ପର୍କରେ ଉଲ୍ଲେଖ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁଧାକର ନାୟକ। ସେ ଭିନ୍ନକ୍ଷମଙ୍କ ପାଇଁ ସମନ୍ୱିତ ସେବା ପ୍ରଦାନ, ସମାବେଶୀ ଉନ୍ନତି ଓ ସମାଜରେ ସମାନ ସୁଯୋଗ ସୃଷ୍ଟିରେ ପ୍ରଶାସନର ଅତୁଟ ସଙ୍କଳ୍ପକୁ ପୁନରୁଚ୍ଚାରଣ କରିଥିଲେ। ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ନାରାୟଣ ପ୍ରଧାନ, ନୀଳଗିରି ଉପଜିଲ୍ଲାପାଳ ଶ୍ରୀମତୀ ଶୁଭଶ୍ରୀ ରଥ ଓ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନର ପ୍ରତିନିଧି, ଆଶା କର୍ମୀ ଓ ଜିଲ୍ଲାର ଅନ୍ୟାନ୍ୟ ବିଭାଗୀୟ କର୍ମକର୍ତ୍ତାମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।
ଏଥିରେ ବିଶେଷଜ୍ଞ ଭାବେ ଶ୍ରୀ ରାମ କିଶୋର ଶର୍ମା ଏବଂ ଏସଏସଇପିଡି ବିଭାଗର ଡେପୁଟି ସେକ୍ରେଟାରୀ ଶ୍ରୀ ସନ୍ୟାସୀ ବେହେରା ସହିତ ଅନ୍ୟମାନେ RPWD ଆଇନ–୨୦୧୬ ଅନୁଯାୟୀ ଉଚ୍ଚ ସହାୟତା ଆବଶ୍ୟକ କରୁଥିବା ଗୋଷ୍ଠୀଙ୍କ ପରିଚୟ, ମୂଲ୍ୟାୟନ ପ୍ରକ୍ରିୟା ଓ ସରକାରୀ ସହାୟତା ବ୍ୟବସ୍ଥା ବିଷୟରେ ବିସ୍ତୃତ ଅଲୋଚନା କରିଥିଲେ।
କାର୍ଯ୍ୟକ୍ରମରେ ଭିନ୍ନକ୍ଷମଙ୍କ ସାମାଜିକ ସୁରକ୍ଷା, ସରକାରୀ ଯୋଜନାର ସଠିକ୍ କାର୍ଯ୍ୟକାରୀ ଓ ସଚେତନତା ବୃଦ୍ଧି ଉପରେ ବିଶେଷ ଜୋର ଦିଆ ଯାଇଥିଲା। ଶେଷରେ ସମନ୍ୱିତ ପ୍ରୟାସ ଓ ସଚେତନତା ମାଧ୍ୟମରେ ଉଚ୍ଚ ସମର୍ଥନ ଗୋଷ୍ଠୀଙ୍କ ଜୀବନମାନ ଉନ୍ନତି କରିବାକୁ ସମସ୍ତଙ୍କ ମଧ୍ୟରେ ସଙ୍କଳ୍ପ ଗ୍ରହଣ କରାଯାଇଥିଲା।





