ସଦଗୁରୁଦେବ ସତ୍ୟାନନ୍ଦ ସରସ୍ଵତୀ ମହାରାଜାଙ୍କ ଦର୍ଶନ ଅନନ୍ୟ, ଯାହାର ମହକରେ ମହକି ଯାଏ ଜୀବନ ଠାରୁ ଜଗତ, ମାଟି ଠାରୁ ଆକାଶ, ପିଣ୍ଡରୁ ବ୍ରହ୍ମାଣ୍ଡ, ଜନ୍ମରୁ କର୍ମ। ସମଗ୍ର ବିଶ୍ୱବାସୀଙ୍କ ଦୁଃଖ, ଶୋକ, ଦୈନ୍ୟତା ଯାହାଙ୍କ ହୃଦୟକୁ ମ୍ରିୟମାଣ କରୁଥିଲା ସେଥିପାଇଁ ତ ଉଦାର କଣ୍ଠରେ ଘୋଷଣା କରିଥିଲେ: “ଜଗତବାସୀଙ୍କ ଯେତେ ଦୁଃଖ ଅଛି ସବୁ ମୋର ମୁଣ୍ଡେ ଥୁଅ ମୋର ପୁଣ୍ୟ ଫଳ ସମସ୍ତେ ଭୋଗନ୍ତୁ ପାପ ସବୁ ମୋତେ ଦିଅ”। ଏହିପରି ଏକ ଉତ୍କର୍ଷ ତ୍ୟାଗ ଓ ଆଦର୍ଶରେ ଅନୁପ୍ରାଣୀତ ହୋଇ ଜନ ଜୀବନ ପାଇଁ ପ୍ରତିଷ୍ଠା କରିଥିଲେ କାଳୀକୃଷ୍ଣ ସଂଘ। କାଳୀକୃଷ୍ଣ ସଂଘ ଗଠନ କରିବାର ପଛରେ ସତ୍ୟାନନ୍ଦ ଦର୍ଶନର ଭାବାବେଗ ସ୍ପନ୍ଦିତ,ବନ୍ଦିତ ଓ ପ୍ରେରିତ କରିଥାଏ।ସତ୍ୟାନନ୍ଦ ମହାରାଜା ଙ୍କ ସାମଗ୍ରିକ ଜୀବନର ଅଦ୍ୟମ, ଅତୁଳନୀୟ, ଅନନ୍ତ ତ୍ୟାଗ ଓ ନିଷ୍କାମ, ନିରାଧାର, ନିରଳସ ସେବାର ପ୍ରତିକୃତି, ପ୍ରତିଛବି, ପ୍ରତିବିମ୍ବ କହେ ଧର୍ମ, ଧାରଣା, ଧିଶକ୍ତିର କଥା ଓ ଗାଥା।ସେହି ଅନୁରୂପ, ଅନୁରାଗ, ଅନୁକ୍ରମରେ: ସୃଷ୍ଟି ପ୍ରାରମ୍ଭ ଦିବସରେ ଆୟୋଜିତ ହେଇ ଆସୁଛି ମହାବିଷ୍ଣୁ ଯଜ୍ଞ।
ଯଜ୍ଞ ଦ୍ବାରା ସୃଷ୍ଟି, ବୃଷ୍ଟି, ତୁଷ୍ଟି। ଯଜ୍ଞ ଶିଖାଏ ତ୍ୟାଗ, ନିଷ୍ଠା, ନିଷ୍କାମ। ଯଜ୍ଞରେ ଉଚ୍ଛାରିତ ହେଉଥିବା ମନ୍ତ୍ର ମାନସିକ ସ୍ତରରେ ଆଧ୍ୟାତ୍ମିକତାର ଆନନ୍ଦ ଅନୁଭବ କରାଏ। ଯଜ୍ଞ ତନ, ମନ, ମସ୍ତିଷ୍କ ଓ ହୃଦୟକୁ ତଥା ପରିବେଶକୁ ପବିତ୍ର, ପରିଷ୍କାର, ପରିଚ୍ଛନ କରିଥାଏ। ଯଜ୍ଞ ବ୍ୟକ୍ତିର ନାସ୍ତିକତାକୁ ଦମନ କରି ଆସ୍ତିକ କରିଥାଏ। ଯଜ୍ଞ ଅନୁଷ୍ଠିତ ହେଉଥିବା ଆଖପାଖ ପରିବେଶ ଶୁଦ୍ଧ, ଶୁଚି, ଜୀବନ ଅନୁକୂଳ ହୋଇଥାଏ। ଯଜ୍ଞବେଦୀରୁ ନିର୍ଗତ ଧୂଆଁ ମହୋଷୌଧି ଭାବରେ କାର୍ଯ୍ୟ କରେ। ଏହି ଧୂଆଁ ରୋଗ ପ୍ରତିଷୋଧକ ବୃଦ୍ଧି କରି, ଅନିଷ୍ଟକାରୀ ଭୂତାଣୁକୁ ନଷ୍ଟ କରିଥାଏ। ଯଜ୍ଞ ଶାନ୍ତି, ସୁଖ, ସମୃଦ୍ଧି ପ୍ରଦାନ କରିଥାଏ। ଯଜ୍ଞ ଦ୍ବାରା ବିଭିନ୍ନ ଶସ୍ୟ,ଫସଲ ଉତ୍ପନ୍ନ ହୋଇଥାଏ। ଯଜ୍ଞ ଅନ୍ନ ପ୍ରଦାନ କରିଥାଏ।ଜୀବନ ଧାରଣ କରିବା ପାଇଁ ଶକ୍ତି, ସାମର୍ଥ୍ୟ ଓ ସମସରସତା ପ୍ରଦାନ କରିଥାଏ।
ଯଜ୍ଞ ରାଗ, ମାନ, ଅଭିମାନକୁ କମ କରି ପ୍ରେମ, ଶାନ୍ତି ଓ ସଦଭାବନା ପ୍ରଦାନ କରିଥାଏ। ସମସ୍ତ ପ୍ରକାର ବାଧା ବିଘ୍ନକୁ ଦୂରିଭୂତ କରି ସୁଖ, ଶାନ୍ତି ଓ ଆନନ୍ଦ ପ୍ରଦାନ କରିଥାଏ ଯଜ୍ଞ। ଯଜ୍ଞ ସଂପର୍କରେ, ଯଦୁର୍ବେଦ, ଛନ୍ଦୋଗ୍ୟ ଉପନିଷଦ,ଅପସତମ୍ବ ସୁତ୍ର ଓ ଶ୍ରୀମଦ୍ଭଗବଦ୍ଗୀତା ପରି ବିଭିନ୍ନ ଶାସ୍ତ୍ରରେ ସୁତ୍ର, କଳ୍ପ, ମାନବୀୟ କଲ୍ୟାଣ ସଂପର୍କରେ ବର୍ଣ୍ଣନା ହୋଇଛି।ବୈଦିକ ଯୁଗରୁ ପ୍ରଚଳିତ ଏହିପରି ଏକ ମହାନ ପରଂପରା ଯାହା ଦ୍ବାରା ପରିବେଶ, ପ୍ରକୃତି, ପ୍ରାଣୀ ମାନଙ୍କ ସର୍ବମଂଗଳ ସାଧିତ ହୋଇଥାଏ ସେହିପରି ଏକ ମହନୀୟ ପରପଂରାକୁ ସର୍ବଜନ ବିଦିତ କରିବା ପାଇଁ ସତ୍ୟାନନ୍ଦ ସରସ୍ୱତୀ ମହାରାଜା ଆରମ୍ଭ କରିଥିଲେ ମହାବିଷ୍ଣୁ ଯଜ୍ଞ ଯାହା ୪୨ଥର ଆୟୋଜିତ ହୋଇ ଯାଇଛି। ସତ୍ୟାନନ୍ଦ ଦର୍ଶନ, ସାଧନା,ମନନର ଅପୂର୍ବ ଭାବ, ରାଗ, ଶୋଭାର ଦାନ ସଂସାରୀମାନଙ୍କ ଆହରଣ, ଗ୍ରହଣୀୟ,ପରିପାଳନ ସକାଶେ। ସେହି ସବୁ ଅପୂର୍ବ, ଅତୁଳନୀୟ, ଅଦ୍ବିତୀୟ ସଂମ୍ଭାର ସମ୍ଭାବନା ଗୁଡିକ ହେଲା:- କାଳୀକୃଷ୍ଣ ତତ୍ତ୍ୱ: ସଦଗୁରୁଦେବ ସତ୍ୟାନନ୍ଦ ସରସ୍ଵତୀ ମହାରାଜା ଲୁକ୍କାୟିତ ବ୍ରହ୍ମଶକ୍ତି ତତ୍ତ୍ୱକୁ ଜନମାନସରେ ପ୍ରତିମ୍ବିବିତ କରିବା ପାଇଁ କାଳୀକୃଷ୍ଣ ତତ୍ତ୍ୱ ପରି ଗହନ କଥାକୁ ସାଧାରଣରେ ପ୍ରକାଶ କରିଛନ୍ତି। ପ୍ରକୃତି ପୁରୁଷଙ୍କ ଆଦିକଥା ହିଁ କାଳୀକୃଷ୍ଣ କଥା।ଶରୀର ପୁରୁଷ ହେଲେ ଆତ୍ମା ପ୍ରକୃତି। ଆଉ ତାଙ୍କର ଏକତ୍ରୀତ ସ୍ୱରୂପ ହିଁ ତ କାଳୀକୃଷ୍ଣ।ପୁଣି ସତ୍ୟାନନ୍ଦ ସରସ୍ୱତୀ ମହାରାଜ କହିଲେ ଯିଏ କାଳୀ ସିଏ କୃଷ୍ଣ।କଳିଯୁଗରେ ଜଗନ୍ନାଥ ହିଁ କାଳୀକୃଷ୍ଣ।କାଳୀକୃଷ୍ଣ ତତ୍ତ୍ୱ ଅତ୍ୟନ୍ତ ଗହନ,ଗୋପନୀୟ, ଆତ୍ମନୁଭବର ଅମୀୟ,ପୁଳକିତ,ପଲ୍ଲବିତ ଦିବ୍ୟ ଧାରା।
ସତ୍ୟାନନ୍ଦ ସମର୍ପଣର ଅନ୍ୟତମ ବିଭୂତି ହେଲା: ତନ୍ତ୍ରବ୍ରହ୍ମ: ତନ୍ତ୍ର ସଂପର୍କରେ ଥିବା ଭ୍ରାନ୍ତ ଧାରଣାକୁ ଦୂରିଭୂତ କରିବା ପାଇଁ ସତ୍ୟାନନ୍ଦ ସରସ୍ୱତୀ ମହାରାଜାଙ୍କ ଗବେଷଣା ଲବ୍ଧ ଗ୍ରନ୍ଥ ହେଉଛି ତନ୍ତ୍ରବ୍ରହ୍ମ। ତନ୍ତ୍ର ହିଁ ବ୍ରହ୍ମ କହିଥିବା ପ୍ରଥମ ମହାନୁଭବ ହେଉଛନ୍ତି ସତ୍ୟାନନ୍ଦ ସରସ୍ୱତୀ ମହାରାଜା। ତନ୍ତ୍ରବ୍ରହ୍ମରେ ସନ୍ନିବେଶିତ ପ୍ରତ୍ୟେକ ତଥ୍ୟ ପରୀକ୍ଷିତ। ତାରୟେତେ ଇତି ତନ୍ତ୍ରର ସତ୍ୟତା ଉପରେ ପର୍ଯ୍ୟବେସିତ ତନ୍ତ୍ରବ୍ରହ୍ମ। ସତ୍ୟାନନ୍ଦ ସରସ୍ଵତୀ ମହାରାଜାଙ୍କ ତନ୍ତ୍ରବ୍ରହ୍ମ ଜଗତର ଉଦ୍ଧାର ପାଇଁ ଉଦ୍ଧିଷ୍ଟ। ଲୁପ୍ତପ୍ରାୟ ତନ୍ତ୍ରକୁ ସାଧାରଣ ଲୋକଙ୍କ ପାଖରେ ପ୍ରକାଶ କରି ସମାଜର କଲ୍ୟାଣ ନିମନ୍ତେ ଉତ୍ସର୍ଗ କରିଛନ୍ତି ତନ୍ତ୍ରବ୍ରହ୍ମ ପରି ଏକ ଗୁପ୍ତପୋଥି।
ସତ୍ୟାନନ୍ଦ ସରସ୍ୱତୀ ମହାରାଜାଙ୍କ ଆଧ୍ୟାତ୍ମିକ ସାହିତ୍ୟ ପ୍ରତି ଆକର୍ଷଣ, ସମ୍ମୋହନ ଓ ସମର୍ପଣର ସଦସାହିତ୍ୟ କାଳୀକୃଷ୍ଣ ଆଧ୍ୟାତ୍ମିକତା ମାସିକ ପତ୍ରିକା, ଅବିଭକ୍ତ କୋରାପୁଟ ଜିଲ୍ଲାର ପ୍ରଥମ ଆଧ୍ୟାତ୍ମିକ ପତ୍ରିକା ତଥା ଓଡିଆ ଭାଷାରେ ନିରବଚ୍ଛିନ୍ନ ଭାବରେ ପ୍ରକାଶ ପାଇ ଆସୁଥିବା କାଳୀକୃଷ୍ଣ ସଂଘର ମୁଖ ଦର୍ପଣ ହେଉଛି ମାସିକ ଆଧ୍ୟାତ୍ମିକ ପତ୍ରିକା “କାଳୀକୃଷ୍ଣ”। ଯେଉଁ ଦିବ୍ୟ ପତ୍ରିକା ବେଦ, ବେଦାନ୍ତ, ତର୍କ ଶାସ୍ତ୍ର, ଗୀତା, ଭାଗବତ, ଜ୍ୟୋତିଷ, ବାସ୍ତୁ, କର୍ମକାଣ୍ଡ, ଜୀବନ ଦର୍ଶନ, ସମାଜ ସଂସ୍କାରଧର୍ମୀ କିଛି ଶଦ୍ଦ ପୁଂଜର ସମାହାର ନୁହେଁ ବଂର ଶ୍ରଦ୍ଧାଳୁ, ସମର୍ପିତ, ମାନଙ୍କର ମଧ୍ୟରେ ଜ୍ଞାନର ଦୀପ ପ୍ରଜ୍ଜଳିତ କରିଥାଏ।
ମଣିଷ ସବୁବେଳେ କିଛି ପ୍ରାପ୍ତି ଉଦ୍ଦେଶ୍ୟରେ କାର୍ଯ୍ୟ କରିବାକୁ ଭଲ ପାଏ। ସେଥିପାଇଁ ସତ୍ୟାନନ୍ଦ ସରସ୍ୱତୀ ମହାରାଜା ଜଗତ କଲ୍ୟାଣ ପାଇଁ ମାଁଙ୍କ ଠାରୁ ବରପ୍ରାପ୍ତି ହୋଇ କହିଥିଲେ: ଏହି ବର ଦିଅ ମାଗୋ ହୋଇଣ ହରଷ ଯେପରି ମାନବ ଜନ୍ମ ହୋଇବ ସରସ।ଆଉ ଦେବୀଙ୍କ ନିର୍ଦ୍ଦେଶ ଅନୁସାରେ ଯେଉଁ ଜନ ଶ୍ରଦ୍ଧା, ସମର୍ପଣ ଓ ଭକ୍ତି ସହ ଏକାଦଶ ମେଳା ବିଧାନ ଅନୁସାରେ ପାଳନ କରିବ ତାର ନିଶ୍ଚିତ ଇପ୍ସିତ କାମନା ପୂର୍ଣ୍ଣ ହୋଇଥାଏ ଓ ହୋଇସାରିଛି ମଧ୍ୟ।
ଆମ ସଂସ୍କୃତି ଆମ ପାଇଁ ଗର୍ବ ଓ ଗୌରବ ଆଣିଥାଏ। ଆମ ଧର୍ମପୀଠ ଆଧ୍ୟାତ୍ମିକ ମନ୍ତ୍ରର ଗୁଂଜରଣରେ ନୈର୍ସିଗିକ ଅନୁଭବ ଆଣିଥାଏ।ଆଧ୍ୟାତ୍ମିକ ସେବା, ସଂକଳ୍ପ ଓ ସାଧନା ପାଇଁ କଳାହାଣ୍ଡି ଜିଲ୍ଲା କଳାହାଣ୍ଡି ଠାରେ ସତ୍ୟାନନ୍ଦ ସରସ୍ଵତୀ ମହାରାଜାଙ୍କ ଦ୍ବାରା ମୂଖ୍ୟ ଆଶ୍ରମ ଓ ଶ୍ରୀଗୁରୁଙ୍କ ସାଧନା ପୀଠ ସଂସ୍କୃତି ସଂପନ୍ନ ଐତିହ୍ୟର ସହର ଜୟପୁର ଠାରେ ପୂଜ୍ୟଶ୍ରୀ ଜଗଦାନନ୍ଦଜୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁପମ ଶୋଭା ରୂପକଳ୍ପ, ଅପୂର୍ବ ସୌନ୍ଦର୍ଯ୍ୟ ବିମଣ୍ଡିତ ସତ୍ୟଶାନ୍ତି ଆନନ୍ଦର ସୌଧ କାଳୀକୃଷ୍ଣ ମନ୍ଦିର ରହିଛି। ଯେଉଁଠି ସଂଘର ପରିଚାଳକ ପୂଜ୍ୟଶ୍ରୀ ଜଗଦାନନ୍ଦଜୀ ବର୍ଷ ତମାମ ଜଗତବାସୀଙ୍କ ପାଇଁ ବିଭିନ୍ନ ଅନୁଷ୍ଠାନ, ସେବା କାର୍ଯ୍ୟ ନିୟମିତ ଭାବରେ ଆୟୋଜନ କରିଥାନ୍ତି।
ସେବା ଓ ତ୍ୟାଗର ସଂଘ କାଳୀକୃଷ୍ଣ ସଂଘ। ସଂଘ ମାଧ୍ୟମରେ ଜଳ ବଣ୍ଟନ, ଅନ୍ନଛତ୍ର, ଡାକ୍ତରଖାନାରେ ଫଳ, ବିସ୍କୁଟ, ପାଣି ବୋତଲ ବିତରଣ, ଅନାଥଶ୍ରମ ଓ ବୃଦ୍ଧା ଶ୍ରମରେ ଆବଶ୍ୟକ ଉପକରଣ ପ୍ରଦାନ, ସ୍କୁଲ ପିଲାମାନଙ୍କୁ ପାଠ୍ୟ ସାମଗ୍ରୀ ପ୍ରଦାନ, ରକ୍ତଦାନ ଶିବିର ଆୟୋଜନ, ବୃକ୍ଷ ରୋପଣ, ବିଭିନ୍ନ ପ୍ରକାର ସଚେତନତା ପରିକ୍ରମା ବର୍ଷ ତମାମ ବିଭିନ୍ନ ସମୟରେ ଆୟୋଜିତ କରିଥାଏ। ଏହିପରି ଅପୂର୍ବ ସମାବେଶର ସୂତ୍ରଧର ପରମପୂଜନୀୟ ସତ୍ୟାନନ୍ଦ ସରସ୍ୱତୀ ମହାରାଜାଙ୍କ ଓ ବନ୍ଦନୀୟା ଶ୍ରୀଗୁରୁ ମାତା, ଶ୍ରୀ ବଳଦେବାନନ୍ଦଜୀ, ଶ୍ରୀ ଜଗଦାନନ୍ଦଜୀ ତଥା ଗୁରୁପରିବାରଙ୍କ ଅଗଣନ ଆଶୀର୍ବାଦ ରହିଥାଏ। ଆସନ୍ତୁ ସଜ୍ଜନ ସମସ୍ତଙ୍କ ଠାରେ ଚଳିତ ମହାଯଜ୍ଞର ସନ୍ଦେଶ ‘ସେଭ୍ ସଏଲ୍, ସେଭ୍ ଓ୍ବାଟର୍, ସେଭ୍ ଟ୍ରି’ର ବାର୍ତ୍ତାକୁ ସମସ୍ତଙ୍କ ଠାରେ ପହଞ୍ଚାଇବା ସହ ଏକ ଶାନ୍ତ, ନମନୀୟ ,କମନୀୟ ବିଶ୍ବର ପରିକଳ୍ପନା ପାଇଁ ଏକ ମନ,ଏକ ପ୍ରାଣ,ଏକ ମନନ ସହ ଭାବ,ଭାବନାକୁ ସଂପ୍ରସାରିତ କରିବା।
ମୋହନ ଚରଣ ବିଷି
ଗଡରାମାଲ, କୋକସରା, କଳାହାଣ୍ଡି
ମୋ-୯୭୭୭୪୬୮୮୪୧




