ପାହାଡ଼ ଚଢ଼ି ଲୋକଙ୍କ ସୁବିଧା ଅସୁବିଧା ବୁଝିଲେ ଜିଲ୍ଲାପାଳ ଓ ଉପ ଜିଲ୍ଲାପାଳ

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ବର୍ଷ ବର୍ଷ ଧରି ମୌଳିକ ଅଧିକାରରୁ ବଞ୍ଚିତ ହୋଇ ରହିଥିଲେ । କୌଣସି ପ୍ରଶାସନିକ ଅଧିକାରୀ ବାରମ୍ବାର ଦାବି ସହ ସମସ୍ୟା ଶୁଣୁନଥିଲେ । ଗ୍ରାମବାସୀଙ୍କ ସମସ୍ୟା ନେଇ ଗଣମାଧ୍ୟମରେ ମଧ୍ୟ ପ୍ରକାଶ ପାଉଥିଲେ ସୁଦ୍ଧା କିଛି ହେଉ ନଥିଲା । ବିଭିନ୍ନ ସୂତ୍ରରୁ ଖବର ପାଇଁ ପ୍ରାଶାସନ ସୋମବାର ପହଞ୍ଚିଥିଲା ‌ପାହାଡ ଉପରେ ରହୁଥିବା ଗ୍ରାମବାସୀଙ୍କ ମ‌ୌଳିକ ଅଧିକାର ଦେଖିବା ପାଇଁ । ରାୟଗଡା ଜିଲ୍ଲାପାଳ ଆଶୁତୋଷ କୂଳକର୍ଣ୍ଣି, ଗୁଣପୁର ଉପ ଜିଲ୍ଲାପାଳ ଦୁଧାଲ ଅଭିଷେକ ଦିଲ୍ଲୀପ ଗୁଡାରି ବ୍ଲକ ମଧୁବନ ପଞ୍ଚାୟତର ପାହାଡ଼ ଶିଖର ଗ୍ରାମ କର୍ଲାଗୁଡି, ରେଙ୍ଗାପଦର ଓ କେପିଟି ଭଳି ଅପହଞ୍ଚ ଗ୍ରାମକୁ ଗ୍ରସ୍ତ କରିଥିଲେ । ଦୀର୍ଘ ୦୬ ରୁ ୦୭କିମି ପାଦରେ ଚାଲି ପାହାଡ଼ ଚଢି ନାଳ ପାରି ହୋଇ ସମସ୍ତ ଗ୍ରାମରେ ପହଞ୍ଚି ଲୋକଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ । ଆଧାର କାର୍ଡ ଓ ଖାଉଟି କାର୍ଡ ସମସ୍ୟା ବହୁ ପରିମାଣରେ ଥିବା ଯୋଗୁଁ ତୁରନ୍ତ ଏକ କ୍ୟାମ୍ପ କରି ଲୋକଙ୍କ ଆଧାର ଓ ଖାଉଟି କାର୍ଡ କରିବା ସହ ସେମାନଙ୍କୁ ଆଧାର ଓ ଖାଉଟି କାର୍ଡ ଯୋଗାଇ ଦେବାକୁ ତହସିଲଦାର ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ।

ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାର ସମୀକ୍ଷା କରି ତିନି ଗ୍ରାମକୁ ରାସ୍ତା କରିବା, ପାନୀୟ ଜଳ ଯୋଗାଣ, ବିଦ୍ୟୁତିକରଣ ସୁନିଶ୍ଚିତ କରିବା ନିମନ୍ତେ ବିଭାଗୀୟ ଅଧିକାରୀଙ୍କୁ ତାଗିଦ କରିଥିଲେ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ତିନି ଗ୍ରାମର ଲୋକଙ୍କୁ ଅନ୍ତର୍ଭୁକ୍ତ କରିବା ସହ କାର୍ଯ୍ୟାଦେଶ ପ୍ରଦାନ କରି ଶୀଘ୍ର ଘର କାର୍ଯ୍ୟ ଶେଷ କରିବାକୁ ଲୋକଙ୍କୁ ସଚେତନ କରିବା ନିମନ୍ତେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଅଙ୍ଗନବାଡି କେନ୍ଦ୍ର, ବିଦ୍ୟାଳୟ କାର୍ଯ୍ୟ ତୁରନ୍ତ କରିବା ନିମନ୍ତେ ଶିଶୁ ବିକାଶ ଯୋଜନା ଅଧିକାରୀ, ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ତିନିଗ୍ରାମର ଲୋକେ ହଠାତ ଜିଲ୍ଲା ସ୍ତରୀୟ ଅଧିକାରୀ ସେମାନଙ୍କ ଗ୍ରାମରେ ପହଞ୍ଚି ସେମାନଙ୍କ ସହ ବିଭିନ୍ନ ଉନ୍ନୟନ ମୂଳକ ଆଲୋଚନା କରିବା ଦେଖି ଗ୍ରାମବାସୀ ମାନେ ଆଶ୍ଚର୍ଯ୍ୟ ପ୍ରକଟ କରିବା ସହ ଖୁସିବ୍ୟକ୍ତ ହୋଇଥିଲେ । ଜିଲ୍ଲା ପ୍ରଶାସନ ଆଗାମୀ ଦିନରେ ପ୍ରତି ଅପହଞ୍ଚ ଗ୍ରାମକୁ ଗ୍ରାସ୍ତ କରି ଲୋକଙ୍କ ମୌଳିକ ସୁବିଧା ବୁଝିବା ସହ ସେମାନଙ୍କୁ ସମସ୍ତ ପ୍ରକାର ସହଯୋଗ କରାଯିବ ବୋଲି ଜିଲ୍ଲାପାଳ ଶ୍ରୀ କୂଳକର୍ଣ୍ଣି ପ୍ରକାଶ କରିଥିଲେ । ଏହି ଗ୍ରସ୍ତ ସମୟରେ ଗୁଣପୁର ଉପ ଜିଲ୍ଲାପାଳ ଶ୍ରୀ ଦୁଧାଲ, ଜିଲ୍ଲା ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଅକ୍ଷୟ କୁମାର ଖେମୁଣ୍ଡୁ, ଗୁଡାରି ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଚିସ୍ମିତା ବେହେରା, ଗୁଡାରି ତହସିଲଦାର ଆଡାଲା ସ୍ନେହଲତା, ଗୁଡାରି ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ ଓ ଅନ୍ୟାନ୍ୟ ଅଧିକାରୀ ମାନେ ଯାଇଥିଲେ । ତେବେ କଲ୍ୟାଣ ସିଂହପୁର ବ୍ଲକର କୋରପା ପଞ୍ଚାୟତ ରେ ଥିବା ଅପହଞ୍ଚ ଗ୍ରାମକୁ ଜିଲ୍ଲାପାଳ ଙ୍କ ନଜର କେବେ ପଡୁଛି ତାହା ଦେଖିବାକୁ ବାକି ରହିଲା |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.