ଇଏମଆରଏସ ପ୍ରବେଶିକା ପରୀକ୍ଷାରେ ଦୁର୍ଗମ ଜୋବାଗାଁ ପ୍ରାଥମିକ ବିଦ୍ୟାଳୟର ୫ ଛାତ୍ରଛାତ୍ରୀଙ୍କ ସଫଳତା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ ଘନ ଜଙ୍ଗଲ ଓ ପାହାଡ଼ ଘେରା ଦୁର୍ଗମ ଜୋବାଗାଁ ପ୍ରାଥମିକ ବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ଗୌରବ ଅର୍ଜନ କରିଛି। ଏହି ବିଦ୍ୟାଳୟରୁ ୫ ଜଣ ଛାତ୍ରଛାତ୍ରୀ ଧଅଁରାଭଟା ସ୍ଥିତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ (ଇଏମଆରଏସ) ପ୍ରବେଶିକା ପରୀକ୍ଷାରେ ସଫଳତା ହାସଲ କରି ବିଦ୍ୟାଳୟ ଓ ସମଗ୍ର ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି। ଏହି ପରୀକ୍ଷାରେ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀମାନେ ହେଲେ ଅମର ମାଝୀ (ବ୍ଲକରେ ପ୍ରଥମ), ରୀତା ମାଝୀ, ବସନ୍ତ ମାଝୀ ସଂନା ମାଝୀ ଓ ନମିତା ମାଝୀ। ଦୁର୍ଗମ ଓ ଅବହେଳିତ ଅଞ୍ଚଳରେ ଅବସ୍ଥିତ ହେବା ସତ୍ତ୍ୱେ ମଧ୍ୟ ଏହି ବିଦ୍ୟାଳୟର ଶିକ୍ଷକମାନଙ୍କ ନିଷ୍ଠା, ଅଦମ୍ୟ ପରିଶ୍ରମ ଓ ପିଲାମାନଙ୍କ ପ୍ରତି ସମର୍ପଣ ଫଳରେ ଏହି ସଫଳତା ସମ୍ଭବ ହୋଇପାରିଛି।

ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସଦାନନ୍ଦ ହରିଜନଙ୍କ ନିରନ୍ତର ପ୍ରୟାସ ଓ ଶିକ୍ଷା ପ୍ରତି ନିଷ୍ଠା ଛାତ୍ରଛାତ୍ରୀମାନଙ୍କୁ ସଠିକ ଦିଗଦର୍ଶନ ଦେଇଆସୁଛି। ବିଶେଷକରି ବିଦ୍ୟାଳୟର ସହ ଶିକ୍ଷକ ହିମାଂଶୁ ଶେଖର ମେହେର ଛାତ୍ରଛାତ୍ରୀଙ୍କୁ ନିୟମିତ ଭାବେ ଅତିରିକ୍ତ ଶିକ୍ଷାଦାନ, ପ୍ରଶ୍ନୋତ୍ତର ଅଭ୍ୟାସ, ମାର୍ଗଦର୍ଶନ ଓ ପ୍ରଶିକ୍ଷଣ ଦେଇଥିବାରୁ ସେମାନେ ଏହି ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳ ହୋଇପାରିଛନ୍ତି। ଛାତ୍ରଛାତ୍ରୀମାନଙ୍କ ନିଷ୍ଠା, ଅଧ୍ୟବସାୟ ଓ ଶିକ୍ଷକମାନଙ୍କ ମାର୍ଗଦର୍ଶନ ମିଶି ଏହି ସଫଳତାକୁ ସମ୍ଭବ କରିଛି।

ଏହି ସଫଳତା ବିଦ୍ୟାଳୟ, ଅଭିଭାବକ ଓ ସମଗ୍ର ଗ୍ରାମବାସୀଙ୍କ ପାଇଁ ଗର୍ବ ଓ ଆନନ୍ଦର ବିଷୟ ହୋଇଛି। ସଫଳ ଛାତ୍ରଛାତ୍ରୀମାନଙ୍କୁ ବିଦ୍ୟାଳୟ, ଭଟାଙ୍ଗପଦର ଆଞ୍ଚଳିକ ସାଧନ କେନ୍ଦ୍ର ଓ ଲାଞ୍ଜିଗଡ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଯାଇଛି।

ସୂଚନା ଅନୁଯାୟୀ, ସଫଳ ଛାତ୍ରଛାତ୍ରୀମାନେ ଧଅଁରାଭଟା ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟରେ ନିଜର ନାମାଙ୍କନ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିଛନ୍ତି। ପରେ ସେମାନେ ଲାଞ୍ଜିଗଡ ଗୋଷ୍ଠୀ ଶିକ୍ଷା ଅଧିକାରୀ ରୁଷିଆ ମେହେରଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। ଏହି ଅବସରରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ମେହେର ସେମାନଙ୍କୁ ଅଭିନନ୍ଦନ ଜଣାଇ ଉପହାର ପ୍ରଦାନ କରିବା ସହ ଭବିଷ୍ୟତରେ ଆହୁରି ଭଲ ପଢ଼ି ଜୀବନରେ ଉଚ୍ଚ ସ୍ଥାନ ଅଧିକାର କରିବାକୁ ପ୍ରେରଣା ଦେଇଥିଲେ ଏବଂ ଶିକ୍ଷକ ହିମାଂଶୁ ମେହେର ଙ୍କୁ ପ୍ରଶଂସା କରିଥିଲେ ।

ଏହି ଅବସରରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଢଳଦେବ ମୁଣ୍ଡ, ଭଟାଙ୍ଗପଦର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ମନୋଜ କୁମାର ସାହୁ, ସହ ଶିକ୍ଷକ ହିମାଂଶୁ ଶେଖର ମେହେର ଓ ଶିକ୍ଷକ ଦୂର୍ବାଦଳ ପଟେଲ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ଉତ୍ତରୋତ୍ତର ସଫଳତା ପାଇଁ ଶୁଭେଚ୍ଛା ଜଣାଇଥିଲେ। ସ୍ଥାନୀୟ ଶିକ୍ଷାପ୍ରେମୀ, ଅଭିଭାବକ ଓ ଗ୍ରାମବାସୀମାନେ ମଧ୍ୟ ଏହି ସଫଳତାରେ ଅତ୍ୟନ୍ତ ଆନନ୍ଦ ପ୍ରକାଶ କରି ବିଦ୍ୟାଳୟର ଶିକ୍ଷକମାନଙ୍କ ପ୍ରୟାସକୁ ପ୍ରଶଂସା କରିବା ସହ ଏହା ଅନ୍ୟାନ୍ୟ ବିଦ୍ୟାଳୟ ଓ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣା ହୋଇ ରହିବ ବୋଲି ମତ ପ୍ରକାଶ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.