ବିଶ୍ଵ ଯକ୍ଷ୍ମା ଦିବସ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ 

ଓଡ଼ିଆ ବାର୍ତ୍ତା/ ଗଣେଶ (କୁମାର ରାଜୁ): ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ୍ ଅନ୍ତର୍ଗତ ଗୁରାଣ୍ଡୀ ଗ୍ରାମ ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ବିଶ୍ଵ ଯକ୍ଷ୍ମା ଦିବସ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସ୍ୱାସ୍ଥ୍ୟ କେନ୍ଦ୍ର ଠାରୁ ଏକ ବିରାଟ ସଚେତନତା ଶୋଭାଯାତ୍ରା ବାହାରିଥିଲା । ଏହି ଶୋଭାଯାତ୍ରାରେ ସେଞ୍ଚୂରିଆନ ବିଶ୍ଵବିଦ୍ୟାଳୟର ନର୍ସିଂ ଛାତ୍ରୀ ଓ ସ୍ଵାସ୍ଥ୍ୟ କେନ୍ଦ୍ରର କର୍ମଚାରୀ ସାମିଲ ହୋଇ ଗୁରାଣ୍ଡୀ ଗ୍ରାମ ପରିକ୍ରମା କରି ଯକ୍ଷ୍ମା ରୋଗ ସଚେତନତା ସମ୍ପର୍କିତ ବ୍ୟାନର ଧରି ଯକ୍ଷ୍ମା ରୋଗର ଲକ୍ଷଣ ଓ ନିରାକରଣ ବ୍ୟବସ୍ଥା ଉପରେ ବିଭିନ୍ନ ସ୍ଲୋଗାନ ଦେଇ ଯକ୍ଷ୍ମା ମୁକ୍ତ ସୁସ୍ଥ ସମାଜ ଗଠନ ଉପରେ ସଚେତନ କରାଇଥିଲେ। ସେହିଭଳି ଏହି କାର୍ଯ୍ୟକ୍ରମ ଅବସରରେ ନର୍ସିଂ ଛାତ୍ରୀ ମାନଙ୍କ ମଧ୍ୟରେ ଯକ୍ଷ୍ମା ରୋଗ ସମ୍ବନ୍ଧୀୟ ବିଷୟ ବସ୍ତୁ ଉପରେ ଏକ ବକ୍ତୃତା ଓ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।

ପରେ ପରେ ଏକ ସଚେତନତା ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ସଭା କାର୍ଯ୍ୟକ୍ରମରେ ସ୍ଵାସ୍ଥ୍ୟ କେନ୍ଦ୍ରର ଗୋଷ୍ଠୀ ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ମମତା ପାଢ଼ୀ ଯୋଗ ଦେଇ ସ୍ବାଗତ ଭାଷଣ ଦେବା ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ତଥା ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ କହିଥିଲେ । ସେହିଭଳି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ମେଡିକାଲ ଅଫିସର ଡ଼ାଃ ଦୀପକ କୁମାର ପ୍ରଧାନଙ୍କ ସମେତ ଡ଼ାଃ ଅନଙ୍ଗ ସୁଦନ ଭୂୟାଁ ଏବଂ ଯକ୍ଷ୍ମା ରୋଗ ସୂପରଭାଇଜର ଶ୍ରୀ ଅଜିତ ବେହେରା ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗ ଦେଇ ଯକ୍ଷ୍ମା ରୋଗର ବିଭିନ୍ନ ଲକ୍ଷଣ ଓ ଲକ୍ଷଣ ବିହୀନ ଯକ୍ଷ୍ମା ରୋଗ ଯଦି ହୁଏ ତାର ପ୍ରତିଷେଧକ ବ୍ୟବସ୍ଥା ଉପରେ କହି ତୁରନ୍ତ ଯକ୍ଷ୍ମା ପରୀକ୍ଷା କରାଇ ନେବା ସହ ରୋଗ ଚିହ୍ନଟ ହେଲେ ସମ୍ପୂର୍ଣ ଚିକିତ୍ସା କରାଇ ନେବା , ଏଭଳି ବିଭିନ୍ନ ବିଷୟ ଉପରେ କହି ଯକ୍ଷ୍ମା ମୁକ୍ତ ସୁସ୍ଥ ସମାଜ ଗଠନ ଦିଗରେ ସମସ୍ତେ ବ୍ରତୀ ହେବାକୁ ଆହ୍ବାନ କରିଥିଲେ । ପରେ ପରେ ମଞ୍ଚାସିନ ଅତିଥି ମାନେ ଅନୁଷ୍ଠିତ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବଣ୍ଟନ କରିଥିଲେ ଏବଂ “ମମତା” ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଉପସ୍ଥିତ ୫୦ ଜଣ ଯକ୍ଷ୍ମା ରୋଗୀ’ଙ୍କୁ ପୁଷ୍ଟିକର ଖାଦ୍ୟ ଓ ରାସନ ପେକେଟ୍ ମଞ୍ଚାସିନ ଅତିଥି ମାନଙ୍କ ଦ୍ୱାରା ବଣ୍ଟନ କରା ଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ମମତା ସ୍ୱେଚ୍ଛାସେବୀ ଅନୁଷ୍ଠାନର ବ୍ଲକ ସଂଯୋଜକ ଶ୍ରୀ ରଞ୍ଜନ ଦାସ ଏବଂ ପଞ୍ଚାୟତ ସଂଯୋଜକ ଶ୍ରୀ କ୍ରୀଷ୍ଣା ରାଓ ଓ ଶ୍ରୀ ଦୁର୍ଗା ପ୍ରସାଦଙ୍କ ସମେତ ସ୍ୱାସ୍ଥ୍ୟକେନ୍ଦ୍ରର କର୍ମଚାରୀ , ସେଞ୍ଚୁରିଅନା ବିଶ୍ଵବିଦ୍ୟାଳୟର ନର୍ସିଂ ପ୍ରଶିକ୍ଷିକା ମେଡାମ୍ ଓ ଛାତ୍ରୀ ମାନେ , ଯକ୍ଷ୍ମା ପେସେଣ୍ଟ ଏବଂ ଜନସାଧାରଣ ଯୋଗ ଦେଇଥିଲେ । ଶେଷରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ପି:ଏଚ:ଇ:ଓ: ମମତା ପାଢ଼ୀ ଟି:ବି: ହାରିବ-ଦେଶ ଜିତିବ ଉପରେ ସ୍ଲୋଗାନ ଦେଇ କାର୍ଯ୍ୟକ୍ରମ ରେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.