ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ବାଲେଶ୍ବର ଜିଲ୍ଲା ତଥା ଉତ୍ତର ଓଡ଼ିଶାର ଜନସାଧାରଣଙ୍କ ସ୍ବାର୍ଥ ସମ୍ବଳିତ ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗ ବାବଦରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଆଲୋଚନା କରିଛନ୍ତି ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା।ବାଲେଶ୍ବର ଏକ କୃଷି ପ୍ରଧାନ ଜିଲ୍ଲା ହୋଇଥିବାରୁ କୃଷିଭିତ୍ତକ ଅର୍ଥନୀତିକୁ ସୁଦୃଢ଼ କରିବା, ଚାଷୀଙ୍କ ଆୟ ବୃଦ୍ଧି ତଥା ଜିଲ୍ଲାକୁ କୃଷିରେ ଏକ ନବଦିଗନ୍ତ ଦେବାକୁ ସେ ଏହି ସାକ୍ଷାତକାର ବେଳେ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ସେହିପରି ବସ୍ତା ବ୍ଲକ୍ର ବାହାର୍ଦା ଠାରେ ଉପଲବ୍ଧ ଥିବା ସରକାରୀ ଜମିରେ ଏକ କୃଷି ବିଶ୍ବବିଦ୍ୟାଳୟ ସ୍ଥାପନ କରିବା, ବାଲିଆପାଳ ବ୍ଳକର ବୋଳଙ୍ଗରେ ଥିବା ଇଡକୋ ଜମିରେ ଏକ ବୃହତ ଶିଳ୍ପ ପ୍ରତିଷ୍ଠା କରି ନିଯୁକ୍ତିର ସୁଯୋଗ ସୃଷ୍ଟି କରିବା, ଜିଲ୍ଲାରେ ସ୍ବାସ୍ଥ୍ୟ ସେବାରେ ଉନ୍ନତି ଆଣିବା, ଫକୀରମୋହନ ମେଡିକାଲ କଲେଜ ଓ ହସ୍ପିଟାଲରେ ସ୍ବତନ୍ତ୍ର ‘ହୃଦରୋଗ ବିଭାଗ’ କାର୍ଯ୍ୟକ୍ଷମ କରିବା ସହ ଦୈନନ୍ଦିନ ଓପିଡିରେ ହୃଦରୋଗ ବିଶେଷଜ୍ଞ ଡାକ୍ତର ନିଯୁକ୍ତି କରିବା ପାଇଁ ସେ ଦାବି କରିଛନ୍ତି। ଏଥିସହିତ ବସ୍ତା ବ୍ଲକ୍ରେ ଏକ ନୂତନ ସରକାରୀ ଯୁକ୍ତ ମହାବିଦ୍ୟାଳୟ, ବସ୍ତା ନିର୍ବାଚନ ମଣ୍ଡଳୀରେ ଆଉ ଏକ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା କରିବା ପାଇଁ ମଧ୍ୟ ସେ ନିବେଦନ କରିଛନ୍ତି। ଏଥିସହିତ ଜିଲ୍ଲାର ବିଭିନ୍ନ ବିକାଶମୂଳକ କାର୍ଯ୍ୟ ସମ୍ବନ୍ଧରେ ମଧ୍ୟ ସେ ଆଲୋଚନ କରିଥିଲେ। ମୁଖ୍ୟମନ୍ତ୍ରୀ ଏହି ସମସ୍ତ ପ୍ରସଙ୍ଗ ଶୁଣିବା ସହିତ ବାଲେଶ୍ଵର ତଥା ଉତ୍ତର ଓଡ଼ିଶାର ପ୍ରଗତିକୁ ଅଧିକ ତ୍ବରାନିତ କରିବା ପାଇଁ ନିଜର ସମ୍ମତି ପ୍ରକାଶ କରିଥିବା ଶ୍ରୀ ଜେନା କହିଛନ୍ତି।





