ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବଡ଼ପୋଡ଼ାଗୁଡ଼ା ଗ୍ରାମରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଦୀର୍ଘ ବର୍ଷରୁ ଅନେକ ସମସ୍ୟା ଦେଇ ଗତି କରୁଛି। ଶିକ୍ଷକ ଅଭାବ ସାଙ୍ଗକୁ ବିପଦପୂର୍ଣ୍ଣ ଶ୍ରେଣୀ କୋଠରୀ ଯୋଗୁଁ ଛାତ୍ରଛାତ୍ରୀମାନେ ପିଇଓ କ୍ୱାଟର ଓ କଲ୍ୟାଣ ମଣ୍ଡପରେ ପାଠପଢ଼ି ଆସୁଛନ୍ତି। ଏନେଇ ବାରମ୍ବାର ଅଭିଯୋଗ ସତ୍ତ୍ବେ ସମସ୍ୟା ସମାଧାନ ନ ହେବାରୁ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଅବିଭାବକ ମାନେ ସିଧାସଳଖ ସ୍କୁଲ ପଠାଇବା ବନ୍ଦ କରି ଦେଇଛନ୍ତି। ଯାହା ଫଳରେ ମଙ୍ଗଳବାର ଦିନ ବିଦ୍ୟାଳୟରେ ଗୋଟିଏ ହେଲେ ମାତ୍ର ଛାତ୍ରଛାତ୍ରୀ ସ୍କୁଲ ଆସି ନଥିବା ଦେଖିବାକୁ ମିଳୁଛି। ଏଣେ ଯେ’ ପର୍ଯ୍ୟନ୍ତ ନୂତନ ଶ୍ରେଣୀ କୋଠରୀ ନିର୍ମାଣ ନ ହେବ ସେତେ ଦିନ ପର୍ଯ୍ୟନ୍ତ ପିଲାଙ୍କୁ ସ୍କୁଲ ଛାଡିବୁ ନାହିଁ ବୋଲି ସ୍କୁଲ ପରିଚାଳନା କମିଟି, ଅବିଭାବକ ଓ ଗ୍ରାମବାସୀମାନେ କଡ଼ା ଚେତାବନୀ ଦେଇଛନ୍ତି। ଏନେଇ ସେମାନେ କୋକସରା ବଡ଼ିଓ ଏବଂ ବିଇଓଙ୍କୁ ସୋମବାର ଦିନ ଲିଖିତ ଅଭିଯୋଗ ଦେଇ ଅବଗତ କରିଥିବା ମଧ୍ୟ ଜଣାପଡ଼ିଛି।
ସୂଚନା ଅନୁସାରେ, ୧୯୫୫ ମସିହାରେ ଗଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ସମୂଦାୟ ୧୬୯ ଜଣ ଛାତ୍ରଛାତ୍ରୀ ରହିଥିବାବେଳେ ସେମାନଙ୍କ ଶିକ୍ଷାଦାନ ନିମନ୍ତେ ଜଣେ ଶିଶୁ ସେବିକା ସହିତ ପଞ୍ଚ ଜଣ ଶିକ୍ଷକ ରହିଛନ୍ତି। ଅନେକ ଦିନ ହେଲା ଛାତ୍ରଛାତ୍ରୀ ମାନଙ୍କ ନିମନ୍ତେ ଥିବା ଶ୍ରେଣୀ କୋଠରୀ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି। ଏନେଇ ସ୍କୁଲ ପରିଚାଳନା କମିଟି, ଛାତ୍ରଛାତ୍ରୀ ମାନଙ୍କ ଅବିଭାବକ ଓ ଛାତ୍ରଛାତ୍ରୀ ମାନେ ଗତ ୨୦୨୪ ମସିହାରେ ଶ୍ରେଣୀ କୋଠରୀ ସହ ବିଦ୍ୟାଳୟର ବିଭିନ୍ନ ସମସ୍ୟା ନେଇ ଆନ୍ଦୋଳନ କରି ଧାରଣାରେ ବସିଥିଲେ। ସେହି ସମୟରେ ଦୁଇଦିନ ପରେ ପ୍ରଶାସନିକ ଅଧିକାରୀ ମାନେ ପହଞ୍ଚି ସମସ୍ୟାର ସମାଧାନ ପାଇଁ ବୁଝାସୁଝା କରିବା ପରେ ଆନ୍ଦୋଳନରୁ ଓହରିଥିଲେ। କିନ୍ତୁ ଅନେକ ଦିନ ବିତି ଯାଇଥିଲେ ମଧ୍ୟ କେହି ସମସ୍ୟା ସମାଧାନ ଦିଗରେ ଦୃଷ୍ଟି ଦେଉ ନାହାନ୍ତି। କେବଳ ଜାଗା ଚିହ୍ନଟରେ ସିମିତି ରହି ଯାଇଛି। ସ୍କୁଲ କୋଠା ନିର୍ମାଣ ପାଇଁ ଅନୁଦାନ ଆସିଛି ଓ ଟେଣ୍ଡର ପ୍ରକ୍ରିୟାରେ ଥିବା କେବଳ ଶୁଣିବାକୁ ମିଳୁଛି। ଏଣେ ପିଇଓ କ୍ୱାଟର ଓ କଲ୍ୟାଣ ମଣ୍ଡପରେ ସମସ୍ତ ଶ୍ରେଣୀର ଛାତ୍ର ଛାତ୍ରୀମାନେ ଠେଲାପୋଲା ହୋଇ ଅଧ୍ୟୟନ କରିଆସୁଛନ୍ତି। ଅନ୍ୟପଟେ କେବେ ସୁଦ୍ଧା ନୂତନ ସ୍କୁଲ ଗୃହ ତିଆରି ହେବ ଏନେଇ ସ୍କୁଲ ପରିଚାଳନା କମିଟି ଓ ଛାତ୍ର ଛାତ୍ରୀମାନଙ୍କ ଅବିଭାବକ ମାନେ ବିଭିନ୍ନ ସମୟରେ ଗୋଷ୍ଠୀ ଶିକ୍ଷା ଅଧିକାରୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀ ଓ ସ୍ଥାନୀୟ ବିଧାୟକଙ୍କୁ ବାରମ୍ବାର ଅଭିଯୋଗ କରିଛନ୍ତି। ଏମିତିକି କି ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଅଭିଯୋଗ କରାଯାଇଛି। ତଥାପି କୌଣସି ସମାଧାନ ହୋଇପାରି ନାହିଁ। ତେଣୁ ଛାତ୍ରଛାତ୍ରୀଙ୍କ ଅବିଭାବକ ମହଳରେ ତିବ୍ର ଅସନ୍ତୋଷ ଦେଖାଦେଇଛି। ଏବଂ ମଙ୍ଗଳବାର ଠାରୁ ଛାତ୍ରଛାତ୍ରୀ ମାନଙ୍କ ଅବିଭାବକ ମାନେ ସେମାନଙ୍କ ପିଲାମାନଙ୍କୁ ଆଉ ସ୍କୁଲ ପଠାଉ ନାହାଁନ୍ତି। ଯାହା ଫଳରେ ସ୍କୁଲରେ ଗୋଟିଏ ହେଲେ ମଧ୍ୟ ଛାତ୍ରଛାତ୍ରୀ ଆସୁ ନାହାନ୍ତି। ଏନେଇ ଦାୟିତ୍ୱରେ ଥିବା ପ୍ରଧାନ ଶିକ୍ଷକ ଭିକାରୀ ତାଣ୍ଡିଙ୍କୁ ପଚାରିବାରୁ ଏ ବିଷୟରେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଅବଗତ କରିଥିବା କହିଛନ୍ତି। ସେହିପରି କୋକସରା ଗୋଷ୍ଠୀ ଶିକ୍ଷା ଅଧିକାରୀ ମହେଶ କୁମାର ଭାଟିଙ୍କୁ ପଚାରିବାରୁ ସ୍କୁଲ ପରିଚାଳନା କମିଟି ଓ ଗ୍ରାମବାସୀ ଏକ ଅଭିଯୋଗ ଦେଇଛନ୍ତି। କିନ୍ତୁ ସେମାନେ ହଠାତ୍ ଛାତ୍ରଛାତ୍ରୀ ମାନଙ୍କୁ ସ୍କୁଲ ପଠାଉ ନଥିବା ଆପଣଙ୍କ ଠାରୁ ଜାଣିବାକୁ ପାଉଛୁ, ଆମେ ସେମାନଙ୍କ ସହିତ ଶୀଘ୍ର ଆଲୋଚନା କରୁଛୁ ବୋଲି କହିଛନ୍ତି।





