କବିତା: ନମସ୍ତେ ମା’ କାଳରାତ୍ରୀ

ନମସ୍ତେ ମା କାଳରାତ୍ରୀ କରାଳ ଵଦନୀ l
ଉନ୍ମୁକ୍ତ କୁନ୍ତଳେ ମାତେ ବିପୁଳ ଦଶନୀ ll
ମହାଦେବୀ ମହାମାୟୀ ଋଗ୍ବେଦ ବର୍ଣ୍ଣିତା l
ଶକ୍ତିମୟୀ ରାତ୍ରୀରୂପେ ଶକ୍ତି ପରମାତ୍ମା ll
ଘୋର ତିମିରରେ କରୁ ଏ ବିଶ୍ୱ ବିଲୟ l
ଅଜ୍ଞାନ ତିମିର ନାଶୁ ଦାନେ ବରାଭୟ ll
ନିଦ୍ରାରୂପେ ସର୍ବପ୍ରାଣୀ ମଧ୍ୟେ ବିରାଜିତା l
ଯୋଗନିଦ୍ରାକାଳେ ତୁହି ଶ୍ରୀବିଷ୍ଣୁ ଭଜିତା ll
କାଳି କାଳି ମହାକାଳୀ ନୃମୁଣ୍ଡ ମାଳିନୀ l
ମନ୍ଦାରମାଳିନୀ ମାତ ବିଶ୍ୱ ସଂହାରିଣୀ ll
ଚତୁର୍ଭୁଜା ମାଆ ଖଣ୍ଡା ଖର୍ପର ଧାରିଣୀ l
ଜଗତ ଜନନୀ ପାପୀ ଭୟ ସଞ୍ଚାରିଣୀ ll

 

କୃଷ୍ଣା ଶ୍ୟାମା କୃଷ୍ଣବର୍ଣ୍ଣି କୃଷ୍ଣ କାଳରାତ୍ରୀ l
ଜଗତ ଆଧାର ମହା ଶକ୍ତି ଜଗଦ୍ଧାତ୍ରୀ ll
ତୋର ଶକ୍ତି ବିନେ ଶବପ୍ରାୟ ସଦାଶିବ l
ବିଶ୍ୱ ପର୍ଯ୍ୟଟନ ତୋର ବାହନ ଗର୍ଦ୍ଦଭ ll
ବିପୁଳ ଜଘନୀ ମାତ ଜଗତ କଲ୍ୟାଣୀ l
କିଳିକିଳାନାଦେ କମ୍ପେ ସମଗ୍ର ଅବନୀ ll
ମହା ଶକ୍ତି, ପରା ଶକ୍ତି ଜଗତେ ବନ୍ଦିତା l
ପ୍ରିୟପୁଷ୍ପ ତୋର ମାତ କୃଷ୍ଣାପରାଜିତା ll
ଶୁଭଙ୍କରୀ ସର୍ବ ଦୁଃଖ ହର ମା’ ଜନନୀ l
ନମସ୍ତସୈ ନମସ୍ତସୈ ନମଃ ନାରାୟଣୀ ll

ଅର୍ଜୁନୀ ଚରଣ ବେହେରା
ମୋ -7693091971

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.