ନବରାତ୍ରର ସପ୍ତମ ଦିବସରେ ପୂଜା ପାଉଥିବା ମା ଦୁର୍ଗାଙ୍କର ସବୁଠାରୁ ଭୟଙ୍କର ଏବଂ ଶକ୍ତିଶାଳୀ ରୂପ ହେଉଛନ୍ତି ଦେବୀ କାଳରାତ୍ରୀ। ସେ ଅନ୍ଧକାର ଭଳି କଳା ବର୍ଣ୍ଣ, ତ୍ରିନେତ୍ର ଧାରିଣୀ, ଚତୁର୍ଭୁଜା ଏବଂ ଗର୍ଦଭ ଉପରେ ଆରୂଢ। ତାଙ୍କର ଏହି ରୂପ ଶତ୍ରୁ ଓ ନକାରାତ୍ମକ ଶକ୍ତିର ବିନାଶ କରୁଥିବାରୁ ତାଙ୍କୁ ‘ଶୁଭଙ୍କରୀ’ ବୋଲି ମଧ୍ୟ କୁହାଯାଏ। ଦେବୀଙ୍କର ତିନୋଟି ଆଖି ରହିଛି, ଯାହା ବ୍ରହ୍ମାଣ୍ଡ ପରି ଗୋଲାକାର। ତାଙ୍କ କେଶ ବିନ୍ୟାସ ଏକବେଣୀ, ଏବଂ ସେ ନଗ୍ନ ଦେହରେ ଗର୍ଦଭ ଉପରେ ବିରାଜମାନ। ସେ ଡାହାଣ ହାତରେ ଅଭୟ ଏବଂ ବରଦ ମୁଦ୍ରାରେ ଥାନ୍ତି ଏବଂ ବାମ ହାତରେ ଲୌହ କଣ୍ଟକ ଏବଂ ଖଡ୍ଗ ଧାରଣ କରିଥାନ୍ତି। ତାଙ୍କୁ ଉପାସନା କଲେ ଭୟରୁ ମୁକ୍ତି ମିଳେ ଏବଂ ବ୍ରହ୍ମାଣ୍ଡର ସମସ୍ତ ସିଦ୍ଧି ପ୍ରାପ୍ତ ହୁଏ। ସେ ଦୁଷ୍ଟମାନଙ୍କୁ ବିନାଶ କରନ୍ତି। ଶତ୍ରୁ ଓ ବିରୋଧୀଙ୍କୁ ନିୟନ୍ତ୍ରିତ କରିବା ପାଇଁ ମା’ କଳାରାତ୍ରୀଙ୍କ ଉପାସନା ଅତ୍ୟନ୍ତ ଶୁଭ ହୋଇଥାଏ। ମା’ଙ୍କ ଉପାସନାରୁ ଭୟ, ଦୁର୍ଘଟଣା ଏବଂ ରୋଗ ସବୁକିଛି ନାଶ ହୋଇଥାଏ। ଦେବୀଙ୍କ ଉପାସନାରୁ ନକରାତ୍ମକ ଉର୍ଜାର କୌଣସି ପ୍ରଭାବ ପଡେନାହିଁ। ଜ୍ୟୋତିଷ ଶାସ୍ତ୍ରରେ ଶନି ନାମକ ଗ୍ରହକୁ ନିୟନ୍ତ୍ରିତ କରିବା ପାଇଁ ଦେବୀ କାଳରାତ୍ରୀଙ୍କ ପୂଜା କରିବା ଦ୍ୱାରା ମନୋସ୍କାମନା ପୂର୍ଣ୍ଣ ହୋଇଥାଏ।





