ଗଞ୍ଜାମରେ ପାରମ୍ପରିକ ଦଣ୍ଡ ଯାତ୍ରା : ନାଟକ ଅଭ୍ୟାସରେ କଳାକାର ସମୂହ

ଓଡ଼ିଆ ବାର୍ତ୍ତା/ ବୁଗୁଡ଼ା (କୁମୁଦ ଚନ୍ଦ୍ର ବେହେରା): ଆଗକୁ ଆସୁଛି ଦଣ୍ଡଯାତ୍ରା । ମା’ଙ୍କ ପୂଜାର୍ଚ୍ଚନା ସାଙ୍ଗକୁ କୃପା ଭିକ୍ଷା ଅପେକ୍ଷାରେ ଶ୍ରଦ୍ଧାଳୁ । ଏଥ୍ ପାଇଁ ବୁଗୁଡ଼ା ଅଞ୍ଚଳର ବିଭିନ୍ନ ଗ୍ରାମ୍ୟ କମିଟି ପକ୍ଷରୁ ଦଣ୍ଡୁଆଙ୍କୁ ନେଇ ଦଣ୍ଡଯାତ୍ରାର ପ୍ରସ୍ତୁତି ଚାଲିଛି । ଅନ୍ୟପକ୍ଷରେ ଲୋକଙ୍କ ମନୋରଞ୍ଜନ ପାଇଁ ରାତ୍ରା କାଳୀନ ମଞ୍ଚସ୍ଥ ନାଟକ ପାଇଁ କଳାକାରମାନେ ଅଭ୍ୟାସରେ ବିବ୍ରତ ରହିଥ‌ିବା ଦେଖିବାକୁ ମିଳିଛି । ଏ ବର୍ଷ ବୁଗୁଡ଼ାରେ ଅନୁସନ୍ଧାନମୂଳକ ସାମାଜିକ ନାଟକ ଆଖିଏ ଲୁହକୁ ଛାତିଏ କୋହ’, ଗୋଲିଆରେ ‘ତୁ ମୋ ବଜରଙ୍ଗୀ’, ଭାମଶ୍ୟାଳିରେ “କଟି କଟି ଡବଲ କଟି”, ପାଣିକେଶରରେ ପୌରାଣିକ ନାଟକ “ମହାମାନୀ ଦୁର୍ଯ୍ୟୋଧନ”, ପଙ୍କଳବାଡିରେ “କଟି କଟି ଡବଲ କଟି”, ପୋଟାଲୁଣ୍ଡିର ‘ଦରିଆ କୂଳର ଦରଦୀ ବନ୍ଧୁ’, ତାଳସାକରରେ କାଳ୍ପନିକ ନାଟକ ‘କାଳିଆ ସାଜିଛି କାଳ ହୁଙ୍କାଣ’, କାନକୁଟୁରୁରେ ପୌରାଣିକ ନାଟକ ‘ସତୀ ଲୁହରେ ଜଳୁଛି ଲଙ୍କା’ , ଚିଲିଖମାରେ କାଳ୍ପନିକ ନାଟକ ‘ସୁଖ ସାତପର ଦୁଃଖ ନିଜର, ଆଶ୍ରମ କରଡ଼ାବାଡ଼ିରେ ସାମାଜିକ ନାଟକ ‘ବଦନାମ ଗଳିର ବାଦଶାହା’, ଡ଼ାକରାବାଡ଼ିରେ ‘କେତେ ଦୁଃଖ ଦବୁ କହ ଦଇବ’ ଓ ବଣପଲ୍ଲୀରେ ‘ସ୍ୱାମୀ ପାଇଁ ପଛେ ନର୍କକୁ ଯିବି’, ମରାଇ ପଲ୍ଲୀରେ ପୌରାଣିକ ନାଟକ ‘ମହିରାବଣ ବଧ’, ଚିରିକିପଡ଼ାରେ ‘ସାବତ ମାଆର କୁଟ ଚକ୍ରାନ୍ତ’, ଭାବସରରେ ପୌରାଣିକ ନାଟକ ‘ବିଜୟୀ ରାଘବ’, ବକ୍ସି ପଲ୍ଲୀରେ ସାମାଜିକ ନାଟକ ‘ହେ ମଣିଷ କାନ୍ଦିବ ଆସ’ ଆଦି ନାଟକ ପରିବେଷଣ ହେବାକୁ ଯାଉଥିବା ବିଭିନ୍ନ ଦଣ୍ଡ ନାଟ ଆୟୋଜକ କମିଟି ପକ୍ଷରୁ ପ୍ରକାଶ ପାଇଛି । ତେବେ ଚଳିତ ବର୍ଷ ଜିଲ୍ଲା ପ୍ରଶାସନ ପକ୍ଷରୁ ଦଣ୍ଡ ନାଟର ଧୂଳିଦଣ୍ଡ ସମୟରେ କୌଣସି ଅଶାଳୀନ କିମ୍ବା ଦ୍ଵିଅର୍ଥବୋଧକ ଶବ୍ଦର ପ୍ରୟୋଗ ନିଷିଦ୍ଧ ଏବଂ ରାତ୍ର ମଞ୍ଚରେ କେବଳ ପାରମ୍ପରିକ ନୃତ୍ୟ ଅନୁମୋଦିତ ହୋଇଥିବା ବେଳେ ଏଥିରେ ବ୍ୟତିକ୍ରମ ଘଟିଲେ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳଙ୍କ ସୂଚନାକୁ ବୁଦ୍ଧିଜୀବୀ ମହଲରେ ସ୍ଵାଗତ କରାଯାଇଥିବା ଜଣାଯାଇଛି । ଯଦି ଏହା ବ୍ୟତିକ୍ରମ ହୁଏ ତେବେ ପ୍ରଶାସନିକ ଶୃଙ୍ଖଳା ଆଇନଗତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ନିର୍ଦ୍ଦେଶ କରାଯାଇଥିବା ଜଣା ପଡ଼ିଛି l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.