ଓଡ଼ିଆ ବାର୍ତ୍ତା/ କୋଲନରା (ପଦ୍ମନ ଭତ୍ରା): ଗୁଣୁପୁର ବନାଞ୍ଚଳ ଅଧିନ ମୁକୁନ୍ଦପୁର ସେକ୍ସନ ପକ୍ଷରୁ ଜଙ୍ଗଲ ନିଆଁ ନିବାରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ମୁକୁନ୍ଦପୁର ବନପାଳ ବର୍ଖାରାଣୀ ପାତ୍ରଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି ସଚେତନତା କାର୍ଯ୍ୟକ୍ରମରେ ଗୁଣୁପୁର ବନାଞ୍ଚଳ ଅଧିକାରୀ ଗଙ୍ଗାଧର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିବା ବେଳେ ବାଙ୍କିଲି ସରପଞ୍ଚ କୁନି ମାଣ୍ଡାଙ୍ଗି,ସମିତି ସଭ୍ୟା ସୁଜାତା ତୁଳ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ | ପ୍ରଥମେ ପାଲୁପାଇ ସ୍ଥିତ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଜଙ୍ଗଲରେ ନିଆଁ ନିବାରଣ ସଚେତନତା କାର୍ଯ୍ୟକ୍ରମକୁ ପଥପ୍ରାନ୍ତ ନୃତ୍ୟ ଓ ହାତରେ ସଚେତନ ମୂଳକ ପ୍ଲା କାର୍ଡ ଧରି ସଚେତନତା କରାଯିବା ପରେ ସେଠାରୁ ଏକ ବାଇକ ରାଲିରେ ବାହାରି ବାଙ୍କିଲି,ଝୋରଡି,ରେଖାପଦର ଓ ମୁକୁନ୍ଦପୁର ପଞ୍ଚାୟତର ବିଭିନ୍ନ ଗ୍ରାମ ଯାଇ ଲୋକଙ୍କୁ ଜଙ୍ଗଲରେ ନିଆଁ ନ ଲଗାଇବା ବିଷୟରେ ସଚେତନ କରାଯାଇ ମୁକୁନ୍ଦପୁର ଗ୍ରାମରେ ଆୟୋଜିତ ଗୁରୁବାର ସାପ୍ତାହିକ ହାଟରେ ପହଞ୍ଚି ଥିଲେ | ସାପ୍ତାହିକ ହାଟରେ ମୁକୁନ୍ଦପୁର ଗ୍ରାମର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କୈଳାଶପୁର ଓ ସ୍ଵାମୀ ବିବେକାନନ୍ଦ ବିଦ୍ୟା ମନ୍ଦିରର ଛାତ୍ରୀ ମାନଙ୍କ ଦ୍ଵାରା ପଥପ୍ରାନ୍ତ ନୃତ୍ୟ ଓ ଡାକବାଜି ଯନ୍ତ୍ର ମାଧ୍ୟମରେ ସଚେତନ କରାଯାଇଥିଲା | ଆଗାମୀ ଗ୍ରୀଷ୍ମ ଋତୁରେ ଜଙ୍ଗଲ ନିଆଁକୁ କିଭଳି ନିୟନ୍ତ୍ରଣ ଓ ନିବାରଣ କରାଯାଇ ପାରିବ,ଜଙ୍ଗଲରେ କିପରି ନିଆଁ ନ ଲାଗିବ ସେ ଦିଗରେ ପ୍ରୟାସ କରିବା,ଜଙ୍ଗଲ ନିକଟରେ ଥିବା ଚାଷ ଜମିରେ ନିଆଁ ନ ଲଗାଇବା ସହ ଜଙ୍ଗଲରେ ପଡୁ ଚାଷ ନ କରିବା,ଶିକାର ପାଇଁ ଜଙ୍ଗଲରେ ନିଆଁ ନ ଲଗାଇବା,ମହୁଲ ସଂଗ୍ରହ ପାଇଁ ଗଛ ତଳେ ନିଆଁ ନ ଲଗାଇବା, ବିଭିନ୍ନ ଜଙ୍ଗଲିଜାତ ଦ୍ରବ୍ୟ ସଂଗ୍ରହ ପାଇଁ ନିଆଁ ନ ଲଗାଇବା ଆଦି ବିଷୟରେ ଲୋକଙ୍କୁ ସଚେତନ କରାଯାଇଥିଲା | ଅବମାନନା କଲେ ଆଇନ ଅନୁଯାୟୀ ଦଣ୍ଡିତ କରାଯିବା ନେଇ କୁହାଯାଇଥିଲା | କାର୍ଯ୍ୟକ୍ରମକୁ ମୁକୁନ୍ଦପୁର ବନରକ୍ଷୀ ରଜନୀ ସାହୁ ପରିଚାଳନା କରିଥିବା ବେଳେ ରାମନାଗୁଡ଼ା,ଗୁଣୁପୁର ଓ ପଦ୍ମପୁରରୁ ଆସିଥିବା ବନପାଳ,ବନରକ୍ଷୀ, ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା ଓ ବନ ବିଭାଗର ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ |





