ଡୋକରୀ ଚଞ୍ଚରାରେ ଶ୍ରୀରାମ ନବମୀ: ମନ୍ଦିର ବାହାରେ ପୂଜା, ଭକ୍ତଙ୍କ ମଧ୍ୟରେ କ୍ଷୋଭ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ଡୁଡୁକାଠେଙ୍ଗା ପଞ୍ଚାୟତ ଖଲିଗଡ ସ୍ଥିତ ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ପାଦଦେଶରେ ଥିବା ପ୍ରାକ୍ ଐତିହାସିକ ଯୁଗର ସ୍ବାକ୍ଷର ବହନ କରୁଥିବା ପର୍ଯ୍ୟଟନ ସ୍ଥଳୀ ଗୁଡହାଣ୍ଡି ଡୋକରୀ ଚଞ୍ଚରାଠାରେ ଚଳିତ ବର୍ଷ ପ୍ରଶାସନ ପକ୍ଷରୁ ନିରାଡ଼ମ୍ବର ଭାବେ ଶ୍ରୀରାମ ନବମୀ ପୂଜା କରାଯାଇଛି। ଏଠାରେ ପ୍ରତିବର୍ଷ ହଜାର ହଜାର ଭକ୍ତଙ୍କ ଭିଡ଼ ଭିତରେ ଶ୍ରୀରାମ ନବମୀ ଓ ଗୁଡ଼ହାଣ୍ଡି ମହୋତ୍ସବ ପ୍ରାୟ ସପ୍ତାହେ ବ୍ୟାପୀ ମହାଆଡମ୍ବରରେ ପାଳିତ ହେଉଥିଲା, କିନ୍ତୁ ଚଳିତ ବର୍ଷ ନିରାଡ଼ମ୍ବର ଭାବେ ପୂଜାର୍ଚ୍ଚନା କରାଯାଇଥିବା ଦେଖାଯାଇଛି। ଏଠାରେ ସୂଚନାଯୋଗ୍ୟ ଯେ’ ପର୍ଯ୍ୟଟନ ସ୍ଥଳୀ ଗୁଡହାଣ୍ଡି ଡୋକରୀ ଚଞ୍ଚରା ପରିଚାଳନା ଦାୟିତ୍ୱ ହସ୍ତାନ୍ତର କୁ ନେଇ ପୂର୍ବରୁ ଥିବା ଡୋକରୀ ଚଞ୍ଚରା ଉନ୍ନୟନ ସମିତି ଓ ବନ ବିଭାଗ ଦ୍ବାରା ଗଠିତ ଡୋକରୀ ଚଞ୍ଚରା ଉନ୍ନୟନ କମିଟି (ଇଟିଜି) ମଧ୍ୟରେ ଦିର୍ଘ ଦୁଇ ବର୍ଷ ହେବ ବାଦ ବିବାଦ ଲାଗି ରହିଛି। ଏହି ବିବାଦ ବର୍ତ୍ତମାନ ଉଚ୍ଚ ନ୍ୟାୟାଳୟରେ ବିଚାରଧୀନ ରହିଛି। ତେବେ ଉଭୟ କମିଟି କୁ କଳାହାଣ୍ଡି ଜିଲ୍ଲାପ୍ରଶାସନ ପକ୍ଷରୁ ଅନେକ ଥର ସମନ୍ବୟ ବୈଠକ ମଧ୍ୟମରେ ବୁଝାମଣା କରାଯାଇଥିଲେ ମଧ୍ୟ କୌଣସି ସମାଧାନର ବାଟ ବାହାରି ପାରୁ ନାହିଁ। ଏହାପରେ ଉଭୟ କମିଟି ପକ୍ଷରୁ କେହି ପୂଜା କରି ପାରିବେ ନାହିଁ, ପ୍ରଶାସନ ପକ୍ଷରୁ କେବଳ ଶ୍ରୀରାମ ନବମୀ ଦିନ ପୂଜା ଓ କୌଣସି ଉତ୍ସବ ହେବ ନାହିଁ ନିଷ୍ପତ୍ତି ହୋଇଥିଲା। ପୂର୍ବ ନିଷ୍ପତ୍ତି ଅନୁଯାୟୀ ଶୁକ୍ରବାର ପର୍ଯ୍ୟଟନ ସ୍ଥଳୀ ଗୁଡହାଣ୍ଡି ଡୋକରୀ ଚଞ୍ଚରାରେ କଳାହାଣ୍ଡି ଅତିରିକ୍ତ ଜିଲ୍ଲାପାଳ ତନ୍ମୟ ଦରୱାନ, ଧର୍ମଗଡ଼ ଉପଜିଲ୍ଲାପାଳ ପ୍ରେକ୍ଷା ଅଗ୍ରୱାଲ, ଉପଖଣ୍ଡ ପୋଲିସ ଅଧିକାରୀ ଭର୍ସିତା ଆଡେପୁ, ଧର୍ମଗଡ଼ ତହସିଲଦାର କୀର୍ତ୍ତି ଚନ୍ଦ୍ର ପ୍ରଧାନ, କୋକସରା ତହସିଲଦାର ଚୋଡଗଙ୍ଗ ପ୍ରଧାନ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ଼ଃ ହିମାଞ୍ଚଳ ମାଝୀ ପହଞ୍ଚି ଥିଲେ। ତେବେ ଶ୍ରୀରାମ ମନ୍ଦିର ମୁଖ୍ୟ ଦ୍ବାର ବନ୍ଦ ଥିବା କାରଣରୁ ପ୍ରଶାସନ ପକ୍ଷରୁ ବାହାରେ ପୂଜାର୍ଚ୍ଚନା କରିଥିବାବେଳେ ଭକ୍ତ ନିଜ ଭଗବାନଙ୍କୁ ଦର୍ଶନ ନ ପାଇ କ୍ଷେଭ ପ୍ରକାଶ କରିଛନ୍ତି। ଏପଟେ କୌଣସି ଅପ୍ରୀତିକର ପରିସ୍ଥିତି କିମ୍ବା ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ନହେବ ସେନେଇ ପ୍ରଶାସନ ପକ୍ଷରୁ ସଜାଗ ରହିଛି। ବନ ବିଭାଗ ପକ୍ଷରୁ ଏସିଏଫ୍ ଓଁକାର ଦାସ, ଧର୍ମଗଡ଼ ରେଞ୍ଜ ଅଧିକାରୀ ଭବାନୀ ଶଙ୍କର କାଉଁର, ବନପାଳ ରାଜେନ୍ଦ୍ର ନାଏକ ଓ କର୍ମଚାରୀ ମାନେ ଉପସ୍ଥିତ ରହିଥିବାବେଳେ ଆମପାଣି ଥାନା ପକ୍ଷରୁ ପୋଲିସ ଫୋର୍ସ ମୁତୟନ କରାଯାଇଛି। ପ୍ରବେଶ ଗେଟ୍ ପାଖରୁ କୌଣସି ଲୋକଙ୍କ ଯାନ ବାହନ ପର୍ଯ୍ୟଟନସ୍ଥଳୀ କୁ ଛଡାଯାଇ ନଥିବାବେଳେ ଭକ୍ତ ଓ ଶ୍ରଦ୍ଧାଳୁ ମନ୍ଦିର ବେଢ଼ାରେ ବୁଲାବୁଲି କରି ନିରାଶରେ ଫେରିଥିବା ଦେଖିବାକୁ ମିଳୁଛି। ବର୍ଷ ବର୍ଷ ଧରି ଗୁଡହାଣ୍ଡି ଡୋକରୀ ଚଞ୍ଚରାଠାରେ ପାଳିତ ହୋଇ ଆସୁଥିବା ଶ୍ରୀରାମ ନବମୀ ଓ ଗୁଡ଼ହାଣ୍ଡି ମହୋତ୍ସବ ଅଞ୍ଚଳବାସୀଙ୍କ ହୃଦୟରେ ସ୍ଥାନିତ ହୋଇଛି। ଏଣେ ଦୀର୍ଘ ବର୍ଷର ପରମ୍ପରା ଭଙ୍ଗ ହୋଇଥିବାରୁ ଅଞ୍ଚଳବାସୀଙ୍କ ଭକ୍ତି ଭାବାବେଗକୁ ପ୍ରତି ଘୋର ଆଘାତ ଦେଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.