ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଥାନା ନିଶାନପୁର ପଞ୍ଚାୟତର ପାଣିମୁଣ୍ଡା ଗାଁର ଏକ କୂଅରୁ ଜଣେ ଯୁବକର ମୃତଦେହ ଉଦ୍ଧାର ଘଟଣାରେ ପୁଲିସ ୧୨ ଜଣ ବ୍ୟକ୍ତିକୁ ଗିରଫ କରି କୋର୍ଟ ଚାଲାଣ କରିଛି । ମୃତ ଯୁବକ ଜଣକ ଭବାନୀପାଟଣା ଥାନା ଅଧିନସ୍ଥ ଉଦିତ ନାରାୟଣ ପୁର ବାଏଲଯୋର ଗ୍ରାମର ଗୌରାଙ୍ଗ ମାଝୀ (୨୨) ବୋଲି ଜଣାପଡ଼ିଛି । ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ ପାଣିମୁଣ୍ଡାରେ ଏକ ନାମଯଜ୍ଞ ଅନୁଷ୍ଠିତ ହୋଇଥିଲା । ଏହି ନାମଯଜ୍ଞ ଦେଖିବାକୁ ଖଇରମାଳ ଗାଁର ଏକ ଯୁବତୀ ମଧ୍ୟ ପାଣିମୁଣ୍ଡା ତାଙ୍କ ଭିଣୋଇ ଘରକୁ ଆସିଥିଲେ । ସଂପୃକ୍ତ ଯୁବତୀ ଗୌରାଙ୍ଗକୁ ମଧ୍ୟ ଆସିବାକୁ କହିଥିଲେ । ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଥିବା ପରିବାର କହଛନ୍ତି । ଯୁବତୀଙ୍କ କଥା ରଖି ଗୌରାଙ୍ଗ ପାଣିମୁଣ୍ଡା ଗାଁକୁ ଆସିଥିଲା ନାମଯଜ୍ଞ ବାହାନାରେ । ତେବେ ଗୌରାଙ୍ଗ ଆଉ ଘରକୁ ଫେରିନଥିଲା । ଏହାପରେ ପରିବାର ଲୋକେ ଖୋଜାଖୋଜି କରି ନିରାଶ ହେବା ପରେ ଥାନାରେ ଏତାଲା ଦେଇଥିଲେ । ପରେ ଗୌରାଙ୍ଗର ମୃତଦେହ ସେହିଗାଁର ଏକ କୂଅରୁ ମିଳିଥିଲା । ଗୌରାଙ୍ଗକୁ ରାତିରେ ମାରି ଦେଇ କୂଅରେ ଫିଙ୍ଗି ଦେଇଛନ୍ତି ବୋଲି ପରିବାର ଲୋକେ ଅଭିଯୋଗ ଆଣିଥିଲେ । ନର୍ଲା ଓ ଭବାନୀପାଟଣା ପୋଲିସ ଅଗ୍ନିଶମ ବିଭାଗ ସହଯୋଗରେ ଶବ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇ ଅଧିକ ତଦନ୍ତ ଜାରି ରଖିଥିଲେ । ପରେ ୧୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି ।





