ଉନ୍ମୋଚିତ ହେଲା ଜଗନ୍ନାଥ ପାଣିଙ୍କ ଉପନ୍ୟାସ ‘ପଲ୍ସ ଅଫ୍ ଦି ଆର୍ଥ’ ଓ ‘ବାତାୟନ’ ପତ୍ରିକା

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଏକ ଭାବଗମ୍ଭୀର ସାହିତ୍ୟ ପରିବେଶ ଭିତରେ ଜଗନ୍ନାଥ ପାଣିଙ୍କ ବହୁ ପ୍ରତୀକ୍ଷିତ ଉପନ୍ୟାସ ‘ପଲ୍ସ ଅଫ୍ ଦି ଆର୍ଥ’ ଇତିମଧ୍ୟରେ ଭୁବନେଶ୍ୱରସ୍ଥିତ ହୋଟେଲ ମେଫେୟାର୍ ଠାରେ ଆନୁଷ୍ଠାନିକ ଭାବେ ଉନ୍ମୋଚିତ ହୋଇଯାଇଛି। ଏହି ଅବସରଟି ଲେଖକଙ୍କ ୬୦ତମ ଜନ୍ମଦିନ ହୋଇଥିବାରୁ ସନ୍ଧ୍ୟାଟି ଅତ୍ୟନ୍ତ ପ୍ରାସଙ୍ଗିକ ହେବା ସହିତ ସ୍ମରଣୀୟ ହୋଇଥିଲା। ଫିଙ୍ଗରପ୍ରିଣ୍ଟ ପବ୍ଲିକେସନ୍‌ ଦ୍ୱାରା ଆୟୋଜିତ ଏହି ସାରସ୍ବତ କାର୍ଯ୍ୟକ୍ରମରେ ୫୦୦ରୁ ଅଧିକ ଅତିଥି—ଲେଖକ, ବୁଦ୍ଧିଜୀବୀ, ସଂସ୍କୃତିପ୍ରେମୀ ଯୋଗ ଦେଇ ସନ୍ଧ୍ୟାଟିକୁ ସାହିତ୍ୟ ଓ ସଂସ୍କୃତିର ଏକ ସଜୀବ ସମାଗମରେ ପରିଣତ କରିଥିଲେ।

ଏଥିରେ ମୁଖ୍ୟ ଅତିଥି ଭାବେ ଯଶସ୍ୱୀ କବି ଡକ୍ଟର ଫନୀ ମହାନ୍ତି ଯୋଗିଦେଇ ଉପନ୍ୟାସଟିକୁ ଅନାବରଣ କରିଥିଲେ। ସେ ତାଙ୍କ ଅଭିଭାଷଣରେ କହିଥିଲେ ଯେ, ଏହା ଏମିତି ଏକ ଦୁର୍ଲଭ ସାହିତ୍ୟ କୃତି, ଯାହା ଆଧୁନିକ ସମାଜକୁ ପୃଥିବୀର ନିରବ ପ୍ରଜ୍ଞା ଓ ସାଂସ୍କୃତିକ ମୂଲ୍ୟର ଅତୁଟ ଶକ୍ତି ସହିତ ପୁନଃ ସଂଯୋଗ କରେ। କବି ପ୍ରହରାଜ ଜୟନାରାୟଣ ନନ୍ଦ, ଅଜୟ ମହାପାତ୍ର, ସାଇ ପ୍ରକାଶ, କାଳିଚରଣ ପାଢୀ ପ୍ରମୁଖ ବିଶିଷ୍ଟ ବ୍ୟକ୍ତିତ୍ୱମାନେ ଏହି ଅବସରରେ ଉପସ୍ଥିତ ରହି ଲେଖକୀୟ ପରିମଣ୍ଡଳକୁ ମର୍ଯ୍ୟାଦାବନ୍ତ କରିଥିଲେ। ଏହି ସମାରୋହରେ ଓଡ଼ିଆ ସାହିତ୍ୟ ପତ୍ରିକା ‘ବାତାୟନ’ର ବିଷୁବ ସଂଖ୍ୟା ମଧ୍ୟ ଲୋକାର୍ପିତ ହୋଇଥିଲା।

‘ପଲ୍ସ ଅଫ୍ ଦି ଆର୍ଥ’ ଏକ ପରମ୍ପରାଗତ ଆଦିବାସୀ ପିଢ଼ିର କାହାଣୀ, ଯେଉଁଥିରେ ପରିଚୟ, ପ୍ରେମ, ବିୟୋଗ ଓ ସଂସ୍କୃତିର ଝଲକ ରହିଛି। ଜଙ୍ଗଲ ପରିବେଶକୁ ପୃଷ୍ଠଭୂମି କରି ରଚିତ ଏହି କାହାଣୀରେ ନିରବତା ମଧ୍ୟ ଅର୍ଥବାହୀ ହୋଇଉଠିଛି। କାହାଣୀର କେନ୍ଦ୍ରବିନ୍ଦୁରେ ଥିବା ପବିତ୍ର ଢୋଲଟି ସ୍ମୃତି, ପରମ୍ପରା ଓ ଆତ୍ମିକ ସମ୍ପର୍କର ପ୍ରତୀକ ଭାବେ ଉଦ୍ଭାସିତ ହୋଇଛି। ଚରିତ୍ରମାନଙ୍କ ଜୀବନଯାତ୍ରା ମାଧ୍ୟମରେ ଆଧୁନିକତାର ଅନୁପ୍ରବେଶ ଓ ଆଦିବାସୀ ଜୀବନ ମଧ୍ୟରେ ଥିବା ଅବହେଳାକୁ ଉଜାଗର କରିଛି। ସମାଲୋଚକମାନେ ଏହାକୁ “ପରମ୍ପରା ଓ ଆଧୁନିକତାର ମଧ୍ୟରେ ଏକ ସାହିତ୍ୟିକ ସେତୁ” ବୋଲି ମତ ପ୍ରକାଶ କରିଛନ୍ତି।

ଏହି ସନ୍ଧ୍ୟାରେ ଔପନ୍ୟାସିକ ଇଂ. ଜଗନ୍ନାଥ ପାଣିଙ୍କ ୬୦ତମ ଜନ୍ମଦିନ ମଧ୍ୟ ପାଳିତ ହୋଇଥିଲା। ବର୍ତ୍ତମାନ ସେ ଓଡ଼ିଶା ସରକାରଙ୍କ ଜଳସମ୍ପଦ ବିଭାଗରେ ମୁଖ୍ୟ ଯନ୍ତ୍ରୀ ଭାବେ କାର୍ଯ୍ୟରତ। ରାୟଗଡ଼ାର ଏକ ଦୂରସ୍ଥ ଗ୍ରାମରୁ ତାଙ୍କର ଲେଖକୀୟ ଜୀବନ ଆରମ୍ଭ ହୋଇଥିଲା। ଗ୍ରାମୀଣ ଜୀବନ ଓ ଭାରତୀୟ ସାମାଜିକ ସଂରଚନା ସହିତ ତାଙ୍କର ଗଭୀର ସମ୍ପର୍କ ତାଙ୍କର ସାହିତ୍ୟ ସ୍ୱରକୁ ଗଢ଼ି ତୋଳିଛି ବୋଲି ଉପସ୍ଥିତ ଅତିଥି ମାନେ ମତବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମର ଆରମ୍ଭରେ ସତ୍ୟବ୍ରତ ଜେନା ସ୍ୱାଗତ ଭାଷଣ ରଖିବା ସହିତ ସାହିତ୍ୟର ସାଂସ୍କୃତିକ ସଚେତନତା ଗଢ଼ି ତୋଳିବାରେ ଭୂମିକାକୁ ଉଲ୍ଲେଖ କରିଥିଲେ। ଶେଷରେ ଶଶିଶେଖର ସାମନ୍ତଙ୍କ ଧନ୍ୟବାଦ ଦେଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.